ସ୍କାଉଟସ୍ ଓ ଗାଇଡସ୍‌ର ଡ୍ୟାନ୍ସ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଡ୍ୟାନ୍ସ ଫେଷ୍ଟିଭାଲ ଆଜି ଉଦ୍‌ଯାପିତ ହୋଇଯାଇଛି । ସକାଳୁ ସମସ୍ତ ଶିବିରାର୍ଥୀ ଗାଇଡ୍‌ମାନଙ୍କ ମଧ୍ୟରେ ଜୋଶ୍ ଭରିଦେବା ପାଇଁ ଯୋଗ ଏବଂ ଏରୋବିକ୍ ମାଧ୍ୟମରେ ବ୍ୟାୟାମ କରାଯାଇଥିଲା । ତା’ପରେ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଫ୍ରି ବିଙ୍ଗ୍ ମି, ସର୍ଫ ସ୍ମାଟ,ଏ.ବି.ସି., ଏମ୍‌.ଓ.ପି. ଏବଂ ଏସ୍‌.ଡି.ଜି. ଆଦି ଉପରେ ଗାଇଡ୍‌ମାନଙ୍କୁ ଅବଗତ କରାଯାଇଥିଲା । ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା, ଇଣ୍ଟରନେଟ୍ ମାଧ୍ୟମରେ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନରେ ଶାନ୍ତିର ବାର୍ତ୍ତା, ଆଦି ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଗାଇଡ୍‌ମାନେ ସଫଳତାର ସହ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୪ ଘଟିକା ସମୟର କାର୍ଯ୍ୟକ୍ରମ ଥିଲା ଶିବିରାର୍ଥୀମାନଙ୍କ ପାଇଁ ଏକ ନିଆରା ମଜା । ଭିନ୍ନ ଭିନ୍ନ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ନିଜ ଢ଼ଙ୍ଗରେ “ର‌୍ୟାମ୍ପ ୱାକ୍‌” ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର କଳା ନୈପୁଣତା ପ୍ରଦର୍ଶନ କରିଥିଲେ । ମୁଖ୍ୟ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ର‌୍ୟାମ୍ପ ସୋ ସମସ୍ତ ଶିବିରାର୍ଥୀମାନଙ୍କ ପାଇଁ ଖୁବ୍ ଆନନ୍ଦ ଦାୟକ ହୋଇଥିଲା । ଶେଷରେ ବିଜୟୀ ପ୍ରାର୍ଥୀମାନଙ୍କୁ ଡଃ ମିଶ୍ର ପଦକ ପ୍ରଦାନ କରି ପୁରସ୍କୃତ କରିଥିଲେ । ସାଂଧ୍ୟ ଅଧିବେଶନରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପସଭାପତି ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ମହିଳା କମିଶନ ଡଃ. ମିନତୀ ବେହେରା, ନିର୍ଦ୍ଦେଶକ ସଂସ୍କୃତି ବିଭାଗ ଏବଂ ଅତିରିକ୍ତ ସଚିବ ଓଡିଆ, ଭାଷା, ସାହିତ୍ୟକ ସଂସ୍କୃତି ବିଭାଗ ଶ୍ରୀ ରଞ୍ଜନ କୁମାର ଦାସ, ଆଇଏଏସ୍ ଏବଂ ଅତିରିକ୍ତ ସଚିବ, ଅର୍ଥ ବିଭାଗ ଶ୍ରୀ ଅଶୋକ କୁମାର ରଥ ଉକ୍ତ ଫେଷ୍ଟିଭାଲରେ ଯୋଗଦାନ କରିଥିଲେ । ଗାଇଡ୍‌ମାନେ ସେମାନଙ୍କର ପାରମ୍ପରିକ କଲରପାର୍ଟି ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ରାଜ୍ୟ ଗାଇଡ୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ ଅଫିସର ଶ୍ରୀମତୀ ଅନାମିକା ଦାସ ତାଙ୍କ ସ୍ୱାଗତ ଭାଷଣରେ ଉକ୍ତ ଶିବିର ଆୟୋଜନର ତାତ୍ପର୍ଯ୍ୟ ବିଷୟରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଉତ ସ୍କାଉଟ ଓ ଗାଇଡ୍ ସଂଗଠନର ଅତୀତ ଦିନର କାର୍ଯ୍ୟକ୍ରମର ସ୍ମୃତିଚାରଣ କରିବା ସହିତ ଆଗକୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଆଖିରେ ରଖି ଏଭଳି ଏକ ଆୟୋଜନ କରିଥିବାରୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ଆଭିମୁଖ୍ୟ ଖୁବ୍ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଶିବିର ମାଧ୍ୟମରେ ଛାତ୍ରୀମାନେ ନିଜ ନିଜର ଅନ୍ତର୍ନିହିତ ଗୁଣର ପ୍ରକାଶ କରିବା ଏହା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଥିଲେ । ସମ୍ମାନୀତ ଅତିଥି ବେହେରା, ଦାସ ଏବଂ ରଥ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଶିବିରର ସଫଳତା କାମନା କରିଥିଲେ । ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ଅଭିଭାଷଣରେ ରାଜ୍ୟ ସଂଗଠନ ଦ୍ୱାରା ଭବିଷ୍ୟତରେ ବହୁ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ କ୍ରିୟାଭିମୁଖୀ କରିବାକୁ ପଦକ୍ଷେପ ନିଆଯିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ଶେଷରେ ଶିବିରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଜିଲ୍ଲା ଏବଂ ଗାଇଡ୍‌ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଫଳକ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ