ସ୍କାଉଟ ଗାଇଡ୍ ଫ୍ୟୁଜନରେ ଖାଦ୍ୟର ପସରା

ଭୁବନେଶ୍ୱର : ଓଡିଶା ରାଜ୍ୟ ସ୍କାଉଟ ଗାଇଡ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ “ସ୍କାଉଟ ଗାଇଡ୍ ଫ୍ୟୁଜନ”ର ଆଜି ତୃତୀୟ ଦିବସରେ ଶିବିରାର୍ଥୀମାନେ ସ୍ୱତନ୍ତ୍ର ମଜା ଉଠାଇଥିଲେ । ନିୟମାନୁଯାୟୀ ପ୍ରାତଃ କର୍ମ ଏବଂ ପତାକା ପର୍ବ ପରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକୁ ସ୍କାଉଟ ଓ ଗାଇଡ୍‌ମାନେ ଉତ୍ସୁକତାର ସହ ନିର୍ବାହ କରିଥିଲେ । ଶିବିର ପରିସର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଓ ରାସ୍ତାକୁ ସଫେଇ କରିବାର କାର୍ଯ୍ୟକୁ ଅବ୍ୟାହତ ରଖିଥିଲେ । ଅପରାହ୍ନ ୯ା୩୦ ସମୟରେ ଆରମ୍ଭ ହୋଇଥିଲା ବକ୍ତୃତା ପ୍ରତିଯୋଗିତା । ସ୍କାଉଟ ଓ ଗାଇଡ ଭାବେ ଦେଶଗଠନରେ କର୍ତ୍ତବ୍ୟ ଉପରେ ବକ୍ତୃତା ପ୍ରତିଯୋଗିତାରେ ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କର ଉନ୍ନତ ଚିନ୍ତାଧାରା ବ୍ୟକ୍ତ କରିଥିଲେ । ପରେ ପରେ ବେସାମରିକ ପ୍ରତିରକ୍ଷା ସଂସ୍ଥାର ଏକ ଦଳ ପ୍ରାଥମିକ ଚିକିତ୍ସା ବିଶେଷ କରି ସି.ପି.ଆର, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ପ୍ରଣାଳୀ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ସମ୍ବନ୍ଧରେ ସ୍କାଉଟ ଓ ଗାଇଡ୍‌ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।  ଶିବିରାର୍ଥୀମାନଙ୍କ ଦ୍ୱାରା ଅପରାହ୍ନ ଅଧିବେସନର ଚମତ୍କାରିତା ବେସ୍ ମଜା ଦେଇଥିଲା ସମସ୍ତଙ୍କୁ । ବିଭିନ୍ନ ଜିଳ୍ଲାର ସର୍ବୋତ୍କୃଷ୍ଟ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ ସ୍କାଉଟ ଓ ଗାଇଡ୍‌ମାନେ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦର ଉପାଧ୍ୟକ୍ଷ  ବୃନ୍ଦାବନ ଶତପଥୀ । ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଗହଣରେ ମୁଖ୍ୟ ଅତିଥି  ଶତପଥୀ, ରାଜ୍ୟ ସମ୍ପାଦକରାମମୂର୍ତ୍ତି ଦୋରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ବୁଲି ବୁଲି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଓ ଆବଶ୍ୟକୀୟ ଉପକରଣ ଆଦି ପଚାରି ବୁଝିବା ସହିତ ସ୍ୱାଦ ପରୀକ୍ଷା ବି କରିଥିଲେ । ପରେ ପରେ ସମସ୍ତ ଶିବିରାର୍ଥୀ ଏ କାର୍ଯ୍ୟକ୍ରମର ବେଶ ମଜା ଉଠାଇଥିଲେ । ଅଧିବେଶନ ଆରମ୍ଭରୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ସ୍ୱାଗତ ଭାଷଣ ଦେବାକୁ ଯାଇ ସ୍କାଉଟ ଗାଇଡ୍ ଫ୍ୟୁଜନର ଆବଶ୍ୟକତା ତଥା ଏହାର ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଥିଲେ ।  ଶତପଥୀ ସ୍କାଉଟ ଗାଇଡ୍‌ମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ପ୍ରତ୍ୟେକ ଶିବିର ଏବଂ କାର୍ଯ୍ୟକ୍ରମ ଗୁଡିକ ସ୍କାଉଟ ଗାଇଡ୍‌ମାନଙ୍କୁ ଉପଯୁକ୍ତ ନାଗରିକ ତଥା ସମାଜସେବୀଭାବେ ଗଢ଼ିତୋଳିବା ପାଇଁ ଏକ ସଫଳ ଯୋଜନା ବୋଲି ଅଭିହିତ କରିଥିଲେ । କାର୍ଯ୍ୟକ୍ରମକୁ ଆଦର୍ଶ କରି ପ୍ରତ୍ୟେକ ସ୍କାଉଟ ଓ ଗାଇଡ୍ ନିଜ ନିଜର ସୁଦୂର ଭବିଷ୍ୟତ ଗଢ଼ିବା ପାଇଁ ସଫଳ ହୋଇପାରିବେ ବୋଲି ମତପ୍ରକାଶ କରିବା ସହିତ ଫ୍ୟୁଜନର ସଫଳତା କାମନା କରିଥିଲେ । ସାଂଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ଥିଲା ଶିବିରାର୍ଥୀମାନଙ୍କ ପାଇଁ ଏକ ନିଆରା ମଜା । ଭିନ୍ନ ଭିନ୍ନ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ନିଜ ଢ଼ଙ୍ଗରେ “ର‌୍ୟାମ୍ପ ୱାକ୍‌” ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର କଳା ନୈପୁଣତା ପ୍ରଦର୍ଶନ କରିଥିଲେ । ମୁଖ୍ୟ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ର‌୍ୟାମ୍ପ ସୋ ସମସ୍ତ ଶିବିରାର୍ଥୀମାନଙ୍କ ପାଇଁ ଖୁବ୍ ଆନନ୍ଦ ଦାୟକ ହୋଇଥିଲା । ଶେଷରେ ବିଜୟୀ ପ୍ରାର୍ଥୀମାନଙ୍କୁ ଡଃ ମିଶ୍ର ପଦକ ପ୍ରଦାନ କରି ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ