ସ୍କାଉଟ ଗାଇଡ୍ ମାନଙ୍କର ରକ୍ତଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଉତ୍କୃଷ୍ଠ ଉଚ୍ଚବିଦ୍ୟାଳୟ ସୁନ୍ଦରଗଡ ଠାରେ ଏକ ୭ଦିନିଆ ବେସିକ୍ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି । ଏହି ତାଲିମ ଶିବିରରେ ସୁନ୍ଦରଗଡର ବିଭିନ୍ନ ବିଦ୍ୟାଳୟରୁ ୫୪ ଜଣ ସ୍କାଉଟ ମାଷ୍ଟର ଏବଂ ୪୯ ଗାଇଡ୍ କ୍ୟାପଟେନ ଅଂଶଗ୍ରହଣ କରି ତାଲିମ ନେଇଛନ୍ତି ।ରାଜ୍ୟ ମୁଖ୍ୟ ମିଶନର ଡଃ. ମିଶ୍ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ ମାନେ ଏହି ତାଲିମ ଶିବିରରୁ ଶିକ୍ଷାଗ୍ରହଣ କରି ବିଦ୍ୟାଳୟକୁ ଫେରିଯାଇ ପିଲାମାନଙ୍କୁ ସ୍କାଉଟ ଗାଇଡ୍ର ଯେଉଁ ଉଦ୍ଦେଶ୍ୟ ଅଛି ତାହାର କିପରି ସୁବିଧା ପିଲାମାନେ ପାଇପାରିବେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଏହି ଅବସରରେ ଆଜି ସକାଳୁ ସ୍କାଉଟ ମାଷ୍ଟର ଏବଂ ଗାଇଡ୍କ୍ୟାପଟେନମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ରକ୍ତଦାନ ଶିବିରକୁ ରାଜ୍ୟ ତାଲିମ କମିଶନର (ସ୍କାଉଟ) ଶ୍ରୀ ସୁରଜିତ୍ ସେନ୍, ରାଜ୍ୟ ତାଲିମ କମିଶନର (ଗାଇଡ୍) ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ପଧାନ, ଜିଲ୍ଲା କମିଶନର, ସୁନ୍ଦରଗଡ ଶ୍ରୀଯୁକ୍ତ ବିଭିଷଣ ବାରିକ ଏବଂ ସରକାରୀ ଉତ୍କୃଷ୍ଠ ଉଚ୍ଚବିଦ୍ୟାଳୟ ସୁନ୍ଦରଗଡର ପ୍ରଧାନଶିକ୍ଷକ ଶ୍ରୀ ନଳିନୀକାନ୍ତ ଶାସିନୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ଏବଂ ଉଚ୍ଚଶିକ୍ଷା ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସଂଗଠନ ସହିତ ନୂତନ ଭାବେ ଯୋଡିହୋଇଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।