ସ୍କୁଲକୁ ଦିନେ ଛଡ଼ା ଦିନେ ଯିବେ ପିଲା !
ନୂଆଦିଲ୍ଲୀ : ଶୀର୍ଷକଟି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଓ ଏନସିଇଆରଟି ପକ୍ଷରୁ ଏମିତି ଏକ ଯୋଜନା ପ୍ରସ୍ତୁତ କରାଯାଉଛି । କରୋନାକୁ ଆଖି ଆଗରେ ରଖି ଏବେ ସ୍କୁଲରେ ବି ୫୦% ଛାତ୍ରଛାତ୍ରୀ ଉପସ୍ଥିତ ରହିବେ । ଅଡ଼ ଇଭିନ ଫର୍ମୂଲାରେ ପିଲାମାନେ ସ୍କୁଲକୁ ଯିବେ । ଅର୍ଥାତ ଦିନେ ଛଡ଼ା ଦିନେ ପିଲାଙ୍କୁ ସ୍କୁଲ ଯିବାକୁ ପଡ଼ିବ । ଏନସିଇଆରଟି ପକ୍ଷରୁ ଆଗାମୀ ଶିକ୍ଷା ବର୍ଷ ପାଇଁ ଏମିତି ଏକ ଚିଠା ଗାଇଡ଼ଲାଇନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଚିଠା ଗାଇଡ଼ଲାଇନ ଅନୁଯାୟୀ, କ୍ଲାସରେ ବି ପିଲାମାନେ ସାମାଜିକ ଦୂରତ୍ୱ ରକ୍ଷା କରିବେ ବସିବେ । ସେହିପରି ଅନଲାଇନ ପାଠ୍ୟକ୍ରମ ଉପରେ ବି ଗୁରୁତ୍ୱ ଦିଆଯାଇଛି । ଏହା ସହ ଟେଲିଭିଜନ ଜରିଆରେ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ । ଅନେକ ଅଂଚଳରେ ଅନଲାଇନ ପ୍ଲାଟଫର୍ମର ସୁବିଧା ନଥିବାରୁ ସେଠାରେ ପିଲାମାନେ ଟେଲିଭିଜନ ଜରିଆରେ ପାଠ ପଢ଼ିପାରିବେ । ପିଲାମାନେ ନିର୍ଦ୍ଧିଷ୍ଟ ସମୟରେ ନିୟମିତ ଭାବେ ଭିନ୍ନଭିନ୍ନ ପାଠ୍ୟକ୍ରମ ଟେଲିଭିଜନ ଜରିଆରେ ପଢ଼ିପାରିବେ । ଅପରପକ୍ଷରେ ଅନ୍ୟ ଏକ ଯୋଜନା ଅନୁଯାୟୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୧୨ଟି ଚ୍ୟାନେଲ ପ୍ରସ୍ତୁତ କରାଯିବ । ଯାହାଫଳରେ ଯେଉଁ ଶ୍ରେଣୀର ପିଲା ସେହି ଶ୍ରେଣୀର ଚ୍ୟାନେଲରେ ପାଠପଢ଼ିପାରିବେ ।