ଅନଲାଇନ ମଦ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: ମଦ ବିକ୍ରି ଉପରେ କଟକଣା ଲାଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଅନଲାଇନ ଜରିଆରେ ମଦ ବିକ୍ରି କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏନେଇ ରାଜ୍ୟ ସରକାରମାନେ ମଦ ଦୋକନ ଖୋଲିବେ ନା ଅନଲାଇନ ମାଧ୍ୟମରେ ମଦ ବିକ୍ରି କରିବେ ସେ ନେଇ ନିଷ୍ପତ୍ତି ଗ୍ରହଣ କରିପାରିବେ । ବନ୍ଦ ବିକ୍ରି ବନ୍ଦ କରିବା ପାଇଁ ସୁପ୍ରମିକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ମଦ ବିକ୍ରି ଯୋଗୁଁ ସାମାଜିକ ଦୂରତ୍ୱ ବ୍ୟାହତ ହେଉଥିବାବେଳେ ସାଧାରଣ ଲୋକ ହଇରାଣ ହେଉଛନ୍ତି ବୋଲି ଯୁକ୍ତି ଦର୍ଶାଯାଇଥିଲା । ତେବେ ସୁପ୍ରିମକୋର୍ଟ ମଦ ବିକ୍ରି ଉପରେ ରୋକ ଲଗାଯାଇପାରିବ ନାହିଁ ବୋଲି କହିଛନ୍ତି ।
କରୋନା ଲକଡାଉନ ଭିତରେ ଅନଲାଇନରେ ମଦ ଯୋଗାଣ ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଅନଲାଇନରେ ହୋମ ଡେଲିଭରି ଦେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏନେଇ ରାଜ୍ୟ ସରକାରମାନେ ଚିନ୍ତା କରିବାକୁ କୋର୍ଟ କହିଛନ୍ତି । ସାମାଜିକ ଦୂରତ୍ୱରେ ମଦ ବିକ୍ରି ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଯେ, କରୋନା କବଳରେ ଏବେ ସାରା ବିଶ୍ୱ । ଭାରତ ବି ଏଥିରୁ ବାଦ ପଡ଼ିନାହିଁ । ତେବେ ୩.୦ ଲକଡାଉନ ଘୋଷଣା ପରେ ଦେଶର କିଛି ରାଜ୍ୟରେ ମଦ ଦୋକାନ ଖୋଲାଯାଇଛି । ଯାହା ଫଳରେ ମଦ ଦୋକାନ ଆଗରେ ଲୋକଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଏହା ଦ୍ୱାରା କରୋନା ମୁକାବିଲା ପାଇଁ ଏକମାତ୍ର ଅସ୍ତ୍ର କୁହାଯାଉଥିବା ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେଉଥିବା କୁହାଯାଉଛି ।


