ସ୍କୁଲରେ କମ୍ପ୍ୟୁଟର ଶିକ୍ଷାର ପୁନଃ ପ୍ରଚଳନ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଦାବି
ହାଟଡ଼ିହି, : କେନ୍ଦ୍ରର ମୋଦୀ ସରକାର ସମଗ୍ର ଭାରତ ବର୍ଷକୁ “ଡିଜିଟାଲ ଇଣ୍ଡିଆ” କରିବାପାଇଁ ଲକ୍ଷ ରଖିଥିବାବେଳେ ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କୁ କମ୍ପୁଟଟର ଶିକ୍ଷାରୁ ବଞ୍ଚିତ କରିବା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୁର୍ବରୁ ଓଡିଶାରେ ୯ମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍କୁଲ ମାନଙ୍କରେ କମ୍ପ୍ୟୁଟର ଶିକ୍ଷାଦାନ କରାଯାଉଥିଲା । ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇବାସହ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାଦାନରେ ଭାଗ ନେଉଥିଲେ । କେନ୍ଦ୍ର ସରକାର ଏଥିପାଇଁ ଦେଉଥିବା ଅନୁଦାନକୁ ବନ୍ଦ କରିଦେବାପରେ ଏବେ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ମାନଙ୍କରୁ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ଛଟେଇ କରିଦେଇଛି । ଫଳରେ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏହାକୁନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁନେଇ ଗୋପୀନାଥଜୀୟୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଚିଠିଲେଖି ପୁନର୍ବାର କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରିବାକୁ ନିବେଦନ କରିଛନ୍ତି । ସ୍କୁଲର ଶୁଭଲକ୍ଷ୍ମୀ ଲେଙ୍କା, ଅର୍ଚ୍ଚନା ମହାପାତ୍ର, ଅର୍ଚିତା ଦାସ, ମନୀସା ବେହେରା, ବୈଶାଖି ପଣ୍ଡା, ଶୁଭଲକ୍ଷ୍ମୀ ନାଥ, ମନ୍ଦାକିନୀ ବେହେରା, ସୌମ୍ୟା ପ୍ରୀୟଦର୍ଶନୀ ପାତ୍ର, ମୋନାଲିସା ବେହେରା, ଶିତଲ ମହାପାତ୍ର, ତପସ୍ୱିନୀ ଜେନା, ଭଗବତୀ ପଣ୍ଡା, ଦିପକ କୁମାର ଜେନା, ଶିବ ପ୍ରସାଦ ସ୍ୱାଇଁ, ସତ୍ୟଜିତ ପଣ୍ଡା, ରବିନାରାୟଣ ଓଝା, ଦେବାଶିଷ ଜେନାଙ୍କ ସମେତ ୪୦ରୁ ଉର୍ଦ୍ଧ ୯ମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦସ୍ତଖତ ସମ୍ବଳିତ ଏକ ନିବେଦନ ପତ୍ର ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।