ସ୍ଥାଣୁ ପାଲଟିଛି କୃଷି ବିଭାଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):କେନ୍ଦ୍ର ଓ ସରକାର କୃଷକ ତଥା କୃଷି କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି। ବିଶେଷ କରି ବ୍ଲକ କୃଷି ବିଭାଗ ପକ୍ଷରୁ ଯୋଜନା ମାନ କାର୍ଯ୍ୟକାରୀ ହେଉଥିବା ବେଳେ ଅନେକ ଜାଗାରେ ଚାଷୀ ମାନେ ବିଭିନ୍ନ ସେବାରୁ ବଞ୍ଚିତ ହେଉଥିବା କୁହାଯାଉଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ଅଧୀନରେ ପ୍ରାୟ୧୭ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହେଉଛି। ଉନ୍ନତମାନର ଧାନ ଚାଷ ପାଇଁ ଚାଷୀ ମାନଙ୍କୁ କୌଣସି ପରାମର୍ଶ ଦିଆଯାଉନଥିବା ବେଳେ ସମ୍ପ୍ରତି କୃଷି ଅଧିକାରିଣୀ କ୍ଷେତ୍ର ପରିଦର୍ଶନ କରୁନଥିବା ଅଭିଯୋଗ ହେଉଛି। ଏପରିକି ବର୍ତ୍ତମାନ ଧାନରେ ବିଭିନ୍ନ ପ୍ରକାର ପୋକ ଲାଗିବାର ସମ୍ଭାବନା ଥିବାରୁ ରିହାତି ମୂଲ୍ୟରେ ଚାଷୀ ମାନଙ୍କୁ ଏନେଇ କୌଣସି କୀଟନାଶକ ଯୋଗାଯାଉ ନାହିଁ। ଏହାଛଡା ସାର କଳା ବଜାରୀ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ବେଳେ ବ୍ଲକ କୃଷି ଅଧିକାରିଣୀ ଜଣକ ବ୍ୟବସାୟ କେନ୍ଦ୍ର ଯାଞ୍ଚ କରୁନାହାନ୍ତି। ଫଳରେ ଚାଷୀ ମାନେ ଅନେକ କ୍ଷତି ସହୁଥିବା ବେଳେ ସାର କଳାବଜାରୀ ବ୍ୟାପକ ଭାବେ ବୃଦ୍ଧି ପାଉଥିବା କୁହାଯାଉଛି। ଏହାଛଡା ୨୦୨୨-୨୩ ରବି ଋତୁରେ ଯେଉଁ ଚାଷୀ ଭାଇ ମାନେ ଧାନ ଚାଷ ପରବର୍ତ୍ତୀ ମୁଗ, ବିରି ଚାଷ କରିଥିଲେ ସେମାନେ ଏଯାଏଁ ପ୍ରୋତ୍ସାହନ ରାଶି ପାଇପାରୁନାହାନ୍ତି। ଚାଷୀ ମାନେ ଯେକୌଣସି ସେବାପାଇଁ କାର୍ଯ୍ୟାଳୟକୁ ଯାଉଥିଲେ ସୁଦ୍ଧା ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀଙ୍କ ଠାରୁ ସେମାନେ ଉଚିତ ସେବା ପାଉନଥିବା ଜଣାଯାଇଛି। କେବଳ ଚାଷୀ ନାମଧାରୀ କେତେଜଣ ଦଲାଲ କାର୍ଯ୍ୟାଳୟକୁ ଆସି ସରକାରଙ୍କ ଠାରୁ ମିଳୁଥିବା ସୁବିଧା ସୁଯୋଗକୁ କୌଶଳ କ୍ରମେ ହାତଉଥିବା କୁହାଯାଉଛି। ମୋଟାମୋଟି ଭାବେ ଭଣ୍ଡାରିପୋଖରୀ କୃଷି ବିଭାଗ ଏବେ ଏକପ୍ରକାର ସ୍ଥାଣୁ ଭାବେ କାମ କରୁଥିବା ଆଲୋଚନା ହେଉଛି। ତେଣୁ ଏହା ଉପରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବିଭିନ୍ନ ଅଞ୍ଚଳର ଚାଷୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ