ସ୍ଥାୟୀ ନିଯୁକ୍ତି ଦାବିରେ ପାର୍ଟଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ
ଭୁବନେଶ୍ୱର, (ୱାଇଏନ୍ଏସ୍): ସର୍ବଶିକ୍ଷା ଯୋଜନା ଅଧିନରେ ୨୦୧୩ ମସିହାରୁ ସାରା ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କଳା ଓ କ୍ରୀଡ଼ାର ବିକାଶ ପାଇଁ ପାର୍ଟଟାଇମ ଭିତ୍ତିରେ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଗତ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ପାର୍ଟଟାଇମ ପ୍ରଶିକ୍ଷକମାନଙ୍କ ଅହରହ ପ୍ରଚେଷ୍ଟା ଫଳରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମ।।ନଙ୍କରେ କଳା ଓ କ୍ରୀଡ଼ାର ବିକାଶ ସମ୍ଭବପର ହୋଇପାରିଛି । ଅନ୍ୟ ପଟରେ କଳା ଓ କ୍ରୀଡ଼ା ପ୍ରତି କୋମଳମତି ଛାତ୍ରଛାତ୍ରୀମାନଙ୍କ ଥିବା ଆକର୍ଷଣ କାରଣରୁ ଏହି ଶିକ୍ଷକମାନଙ୍କ ନିଯୁକ୍ତି ଫଳରେ ସରକାରୀ ବିଦ୍ୟାଳୟମାନଙ୍କରେ ଉପସ୍ଥାନ ବୃଦ୍ଧି ପାଇଛି । କିନ୍ତୁ କଳା ଓ କ୍ରୀଡ଼ା ସଂକ୍ରାନ୍ତରେ ଶିକ୍ଷା ପ୍ରଦାନ କରୁଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦୂରବସ୍ଥା କହିଲେ ନସରେ । ପାର୍ଟଟାଇମ୍ ନିଯୁକ୍ତି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ପ୍ରଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଅପରପକ୍ଷରେ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଗଲା ବେଳେ ଏହି କଥାକୁ ବିଚାରକୁ ନ ନିଆଯିବା ନିଶ୍ଚିତଭାବରେ ଦୁଃଖର ଘଟଣା । ଦୀର୍ଘଦିନ ଧରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ପ୍ରଦାନ କରିବା, ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହ ମାସିକ ୧୨ମାସ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରିବା, ଚାକିରୀର ସର୍ତ୍ତାବଳୀ ଓ ରାଜ୍ୟରେ ଏକପ୍ରକାର ଶିକ୍ଷାଦାନର କାର୍ଯ୍ୟ ଖସଡ଼ା, ଏକ ପ୍ରକାର ନିୟମ ଏବଂ ସମୟ ନିର୍ଦ୍ଧାରଣ କରିବା ଆଦି ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେଥିପ୍ରତି ଦୃଷ୍ଟି ଦେଉନାହିଁ । ଯାହାର ପ୍ରତିବାଦରେ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି କଳା ଓ କ୍ରୀଡ଼ା ମହାସଂଘ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା । କୋଭିଡ଼ କଟକଣାକୁ ମାନି ଭିନ୍ନ ଢଙ୍ଗରେ ସାରା ରାଜ୍ୟରେ ନିଜ ପରିବାର, ପରିଜନଙ୍କୁ ସାଙ୍ଗରେ ନେଇ ନିଜ ବାସଭବନ ସମ୍ମୁଖରେ ନିଜ ଦାବିକୁ ଧରି ପ୍ରତିବାଦ କରୁଥିବା କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦାବି ପ୍ରତି ନିଜ ଅଞ୍ଚଳରେ ବ୍ୟାପକ ଜନସମର୍ଥନ ଦେଖିବାକୁ ମିଳିଥିଲା ।
ଅନ୍ୟ ପଟରେ ଆଜିଠାରୁ ରାଜ୍ୟ ବିଧାନସଭା ବୈଠକ ଆରମ୍ଭ ହୋଇଥିବାରୁ ମହାସଂଘର ଭିନ୍ନ ଭିନ୍ନ ପ୍ରତିନିଧି ମଣ୍ଡଳୀ ଉଭୟ ଶାସକ ଓ ବିରୋଧୀ ଦଳର ବରିଷ୍ଠ ବିଧାୟକମାନଙ୍କୁ ଦାବିପତ୍ର ପ୍ରଦାନ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ବିଧାନସଭାର ପବିତ୍ର ଗୃହରେ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ । ତତ୍ସହିତ ସରକାରୀ କଳ ମାଧ୍ୟମରେ ବିଇଓ, ଡିଇଓ, ଡ଼ିପିସିଙ୍କ ଦ୍ୱାରା ଏକ ୫ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା । ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି ।


