ସ୍ବାବଲମ୍ବୀ କରୁଛି କନ୍ଧମାଳର “ମେହେରବାନ କଦଳୀ ଚାଷ”
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ସ୍ବତନ୍ତ୍ର ଧରଣର କଦଳୀ ଚାଷ କରି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଳକର ମୁଣ୍ଡିଗଡ ପଞ୍ଚାୟତର ୫୮ ପରିବାର ସ୍ବାବଲମ୍ବୀ ହୋଇଛନ୍ତି। ପୂର୍ବରୁ ଯେଉଁ ଜମିରେ ଚାଷ କରି ବାର୍ଷିକ ମାତ୍ର ୭ ରୁ ୮ ହଜାର ଟଙ୍କା ରୋଜଗାର କରୁଥିଲେ ବର୍ତ୍ତମାନ ସେହି ସମୟରେ କଦଳୀ ଚାଷ କରି ବାର୍ଷିକ ୮୦ ହଜାରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ମୁଣ୍ଡିଗଡ଼ ଓ ନୂଆସାହି କଦଳୀ ଚାଷୀଙ୍କ ମୁହଁରେ ଫୁଟିଛି ଅସରନ୍ତି ହସ। କେବଳ ଏତିକି ନୁହେଁ , କଦଳୀ ଚାଷ କରି ଚାଷୀମାନେ ସ୍ଥାୟୀ ରୋଜଗାର ଜୀବିକା ମଧ୍ୟ ସୃଷ୍ଟି ହୋଇ ପାରିଛନ୍ତି। କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ି କଦଳୀ ଚାଷ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଅନୁନ୍ନତ ପ୍ରତ୍ୟେକ ଚାଷୀଙ୍କୁ ୩୦୦ ଚାରା ସହିତ ଯେଉଁ ଜମିରେ କଦଳୀ ଗଛ ଲଗାଇଥିଲେ ତାହାର ଚତୁଃପାର୍ଶ୍ବରେ ବାଡ଼ ମଧ୍ୟ ବିଭାଗ ପକ୍ଷରୁ ମାଗଣାରେ ନିର୍ମାଣ କରାଯାଇଥିଲା।ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମର ୫୮ ଚାଷୀ ପରିବାରକୁ ସ୍ୱାବଲମ୍ବୀ କରିବାକୁ ଦୃଷ୍ଟିରେ ରଖି ପ୍ରାୟ ସାଢେ ୧୪ ଏକର ଜମିରେ ଜଣେ ଚାଷୀଙ୍କ ପିଛା ୩୦୦ ଟି ଲେଖାଏଁ କଦଳୀ ଚାରା ପ୍ରଦାନ କରାଯାଇଥିଲା। ଏକ ଏକରରେ ପ୍ରାୟ ୧୨୦୦ ଚାରା ରୋପଣ କରାଯାଇ ଥିଲା। ୧୪.୫ ଏକର ଜମିରେ ୧୭ ହଜାର ୪୦୦ ଚାରା ରୋପଣ କରାଯାଇଥିଲା। ଅଧିକ ଅମଳ ପାଇଁ ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ କରି ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ବୋଲି ଜୀବିକା କାର୍ଯ୍ୟ ଦକ୍ଷକ ଶରତଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଏହି ସବୁ ଚାଷୀମାନେ ‘ମେହେରାବାନ’ କଦଳୀ ଚାଷ କରିଥିଲେ। ବିଭିନ୍ନ ସମୟରେ ଉଦ୍ୟାନ ବିଭାଗ ଓ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ଚାଷୀଙ୍କୁ ସଚେତନ କରାଯାଇଥିଲା ବୋଲି କହିଛନ୍ତି ବାଲିଗୁଡ଼ା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ସୁରେଶଚନ୍ଦ୍ର ପ୍ରଧାନ। ମୁଣ୍ଡିଗଡ ଚାଷୀ ସୁବଳ ପାତ୍ରଙ୍କ କହିବା ପ୍ରକାରେ , ପୂର୍ବରୁ ସେ ମକା ଓ ସୋରିଷ ଚାଷ କରି ଯେଉଁ ଜମିରେ ବର୍ଷକୁ ମାତ୍ର ୭ ରୁ ୮ ହଜାର ଟଙ୍କା ପାଉଥିଲେ ଏବେ ସେ କଦଳୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ସେ ଲଗାଇଥିବା ୩୦୦ ଗୋଟି ଗଛରୁ ୩୦୦ ଟି କଦଳୀ ଖାନ୍ଦି ଅମଳ କରିଛନ୍ତି। ପ୍ରତ୍ୟେକ ଖାନ୍ଦିର ଓଜନ ପ୍ରାୟ ୨୭ ରୁ ୨୮ କେଜି। ତାହାକୁ ସେ କିଲୋ ପ୍ରତି ୧୦ ଟଙ୍କା ହିସାବରେ ବିକ୍ରି କରି ୮୧ ହଜାର ଟଙ୍କା ଉପାର୍ଜନ କରିପାରିଛନ୍ତି। ଅଞ୍ଚଳର ସୁବଳ ପାତ୍ର , ରବି ପାତ୍ର , ଗଣେଶ ପାତ୍ର , ବୃନ୍ଦାବନ ପାତ୍ରଙ୍କ ଭଳି ବହୁ ଚାଷୀ ଏହି ଧରଣର କଦଳୀ ଚାଷ କରି ବେଶ୍ ଲାଭବାନ ହୋଇ ପାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଉକ୍ତ ୨ଟି ଗ୍ରାମରେ ଚାଷୀ କଦଳୀ ଚାଷ କରି ଲାଭବାନ ହେବା ପରେ ଏବେ ଖମନଖୋଲ ,ଶେଶରଗାଁ ,ଧୁଙ୍ଗିଆ ପଖାଳ ଭଳି ଅନେକ ଗ୍ରାମର ଚାଷୀ ଏହି ଚାଷକୁ ବେଶ୍ ଆଗ୍ରହ ସହକାରେ ଆପଣାଇଛନ୍ତି। ସ୍ଥାୟୀ ଜୀବିକା ପାଇବା ଆଶାରେ ଏବେ ସଂପୃକ୍ତ ଅଞ୍ଚଳରେ ମେହେରାବାନ୍ କଦଳୀ ଚାଷର ବେଶ୍ ଆଗ୍ରହ ବୃଦ୍ଧି ପାଇଛି।