ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ରେ ଲୋକେ ଶୋଷଣ ହେଉଛନ୍ତି : ସିପିଏମ
ବାଲେଶ୍ୱର, (ସରୋଜ ପଣ୍ଡା) :ଲୋକଙ୍କୁ ସ୍ମାର୍ଟକାର୍ଡ଼ ବାଣ୍ଟି ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ନେଇ ରାଜ୍ୟସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଜନସାଧାରଣଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଉଠାଇଛନ୍ତି ସିପିଏମ ନେତା । ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିପିଏମ ଜିଲା ସସମ୍ପାଦକ ଶିଶିର କୁମାର ହୁଇ, ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ନିର୍ମଳ ନାୟକ, ରାଜ୍ୟ କମିଟି ସଦସ୍ୟ୍ୟ ଶିତାଂଶୁ ସେନାପତି, ସମ୍ପାଦକ ମଣ୍ଡଳି ସଦସ୍ୟ ପ୍ରେମରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ମୂଲ୍ୟହୀନ ବୋଲି ଆରୋପ କରିଛନ୍ତିି । ସେମାନଙ୍କ ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୨୮ ତାରିଖ ଏକ ରାସ୍ତା ଦୁର୍ଘଟଣାରେ ସି.ପି.ଆଇ.ଏମ୍ ପୂର୍ବତନ ଜିଲା କମିଟି ସଭ୍ୟ ଏବଂ ରାଇବଣିଆ ଅଞ୍ଚଳର ନେତା ଜୟନ୍ତ ଘୋଷଙ୍କ ବାମ ହାତ ପାପୁଲି ଏବଂ ଆଙ୍ଗୁଳି ଗୁଡ଼ିକ ଫାଟିଯାଇ ପ୍ରବଳ ରକ୍ତସ୍ରାବ ବହୁଥିବା ବେଳେ ପ୍ରଥମେ ଜଳେଶ୍ୱର ସିଏଚସି ଏବଂ ପରେ ବାଲେଶ୍ୱର ମେଡ଼ିକାଲ କଲେଜକୁ ନିଆଗଲା । ବାଲେଶ୍ୱର ମେଡ଼ିକାଲ କଲେଜ ଡାକ୍ତରଖାନାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁୁ ପଠାଇ ଦିଆଗଲା । କଟକରେ ପ୍ରାଥମିକ ଚିକିତ୍ସା ଓ ପରୀକ୍ଷାରୁ ତିନୋଟି ଆଙ୍ଗୁଳି ହାଡ଼ ଭାଙ୍ଗିଥିବା ବେଳେ ତୁରନ୍ତ ଅପରେସନର ଆବଶ୍ୟକ ବୋଲି ଜଣାପଡ଼ିଥିଲା । କଟକ ମେଡ଼ିକାଲର ଅଗ୍ନି-ଶୈଲ୍ୟ ବିଭାଗ ଅପରେସନ କରିବା ପରିବର୍ତ୍ତେ ବାରିପଦାରେ ହାତ ଆଙ୍ଗୁଳିର ଭଲ ଅସ୍ତ୍ରେପଚାର ହୋଇପାରିବ କହି ରୋଗୀଙ୍କୁ ଏପ୍ରିଲ ୧ ତାରିଖ କଟକ ମେଡ଼ିକାଲରୁ ବହିଷ୍କାର କରାଗଲା । ବାରିପଦା ମେଡ଼ିକାଲରେ ୮ ତାରିଖ ସେ ଭର୍ତ୍ତି ହେଲେ । ଅସ୍ଥି ଶୈଲ୍ୟ ବିଭାଗର ପ୍ରଫେସର ଡାକ୍ତରଖାନାରେ ଅପରେସନ କରିବା ପରିବର୍ତ୍ତେ ତାଙ୍କ ନର୍ସିଂହୋମରେ ୬୦ ହଜାର ଟଙ୍କା ନଗଦ ରାଶି ନେଇ ଅପରେସନ କରିବେ ବୋଲି କହିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ଟଙ୍କା ନ ପାଇବାରୁ ତାଙ୍କୁ ପୁଣି କଟକ ଏସ୍.ସି.ବି. କୁ ଗେଫାର କରିଦେଲେ । ରୋଗୀ ଜଣକ ବହୁ ହଇରାଣ ହରକତ ହୋଇ ଶେଷରେ ବାଲେଶ୍ୱର ମେଡ଼ିକାଲ କଲେଜରେ ଭର୍ତହାଇ ବର୍ତମାନ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର ମେଡ଼ିକାଲ କଲେଜ ହସପିଟାଲ ଏବେ ରେଫରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦଲାଲମାନେ ସକ୍ରିୟ ହେଲେଣି । ଏଭଳି ସ୍ଥିତିରେ ସାଧାରଣ ଲୋକେ କିପରି ଚିକିତ୍ସା ସେବା ପାଉଛନ୍ତି, ତାହା ଚିନ୍ତାର ବିଷୟ ହୋଇଛି ବୋଲି ସିପିଏମ ନେତାମାନେ ପ୍ରଶ୍ନ କରିଛନ୍ତି । ସମସ୍ତେ ଜାଣୁଛନ୍ତି ମାତ୍ର ଏହାର ପ୍ରତିକାର ବାବଦରେ କିଛି ପଦକ୍ଷେପ ନାହିଁ । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ୫-ଟି ମଧ୍ୟ କାମ କରୁନି । ତୁରନ୍ତ ଏ ବାବଦରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗେଲ ଆଗାମୀ ଦିନରେ ସିପିଏମ ଗଣ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ବାମପନ୍ଥୀ ନେତାମାନେ ଚେତାବନୀ ଦେଇଛନ୍ତି ।