ସ୍ୱଚ୍ଛତା ପ୍ରତି ଉତରଦାୟୀ ପ୍ରୟାସ, ଆଦାୟ ହେଲା ୧୨,୨୦୦ଟଙ୍କା
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍) :ସ୍ୱଚ୍ଛତା ଏକ ନିରନ୍ତର ପ୍ରକ୍ରିୟା ସାମୁହିକ ଉଦ୍ୟମ ଓ ବ୍ୟାପକ ସଚେତନତା ଏହାକୁ ସଫଳ କରିପାରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆଶାବ୍ୟକ୍ତ କରିଛନ୍ତି । ଶୁକ୍ରବାର ପ୍ରତ୍ୟୁଷରୁ ଯାଜପୁର ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ପାଇଁ ଧରପଗଡ କରାଯାଇଥିଲା । ବିଶେଷକରି ରାସ୍ତା ଅବରୋଧ କରି ଇଟା, ଗୋଡି, ବାଲି, ଅଳିଆ ଇତ୍ୟାଦି ଗଦା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ସେମାନଙ୍କଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ଦାସଙ୍କ ସମେତ ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସୁନିଲ କୁମାର ମେହେର, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ପୌରନିର୍ବାହୀ ଅଧିକାରୀ, ଅଜୟ କୁମାର ମହାନ୍ତି, ପୌରପ୍ରଶାସନ ଓ.ଏସ୍୍.ଡି. ସୁଦର୍ଶନ ମିଶ୍ର ଓ ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ଏହି ଧରପଗଡରେ ସାମିଲ ଥିଲେ । ଜିଲ୍ଲାପାଳ ତହସିଲ ସମ୍ମୁଖ ଫୁଲ ଦୋକାନର ଅଳିଆକୁ ତୁରନ୍ତ ହଟାଇବାକୁ ନିର୍ଦ୍ଧେଶ ଦେବାପରେ ହାବିଲବଜାର, ବସଷ୍ଟାଣ୍ଡ ହୋଇ ନାରାୟଣ ଛକ ସ୍ଥିତ ଅନନ୍ତ ବିଳାସ ରେଷ୍ଟୁରାଣ୍ଟ ସମ୍ମୁଖରେ ବ୍ୟାପକ ଆବର୍ଜନାକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ । ଏତେ ବଡ ଦୋକାନ କରି ମଧ୍ୟ ଡଷ୍ଟବିନ୍ଟିଏ ନରଖିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଜିଲ୍ଲାପାଳ ତାଙ୍କୁ ୫୦୦୦ଟଙ୍କାର ଫାଇନ ଆଦାୟ ପାଇଁ ନିର୍ଦ୍ଧେଶ ଦେଇଥିଲେ । ସେହିପରି ଅନ୍ୟତମ ଜଳଖିଆ ଦୋକାନ ଭାଗିରଥୀ ସାହୁଙ୍କୁ ୨୦୦ଟଙ୍କା ଫାଇନ କରାଯାଇଥିଲା । ତେବେ ଗରିଆପୁର ଛକରେ ଥିବା ଜଗନ୍ନାଥ ମହାଳିକ ଯିଏକି ଜଣେ କବାଡିବାଲା ଭାବେ ପରିଚିତ ସେ ନିଜଘର, ରାସ୍ତା ଇତ୍ୟାଦି ସ୍ଥାନରେ ବ୍ୟାପକ କବାଡିଦ୍ରବ୍ୟ ରଖି ରାସ୍ତା ଅବରୋଧ, ଅପରିଷ୍କାର ଇତ୍ୟାଦି କରୁଥିବାରୁ ତାଙ୍କୁ ୫୦୦୦ଟଙ୍କାର ଫାଇନ ସହ ତୁରନ୍ତ କବାଡି ଦ୍ରବ୍ୟ ଗୁଡିକୁ ପୌରପ୍ରଶାସନ ଉଠାଇ ନେଇଥିଲା ପରେ କ୍ୱାଲିଟୀ ସୁଇଟ୍ସ ଷ୍ଟଲ ଆବର୍ଜନା ସୃଷ୍ଟି କରୁଥିବାରୁ ୧୦୦୦ଟଙ୍କା, ପରିବା ଦୋକାନୀ ପ୍ରଶାନ୍ତ ସାହୁ ୫୦୦ଟଙ୍କା, ରେଡକ୍ରସ ଛକ ଚାଇଲ ଦୋକାନୀ ସାମସର ଅଲ୍ଲୀ ଙ୍କଠାରୁ ୫୦୦ଟଙ୍କା ଫାଇନ କରାଯାଇଥିଲା । ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରି ବିଭିନ୍ନ ଆବର୍ଜନାକୁ ସଫା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ କ୍ୟାବିନକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲା । ଫାଇନ ଆଦାୟ କେବଳ ଏକ କାର୍ଯ୍ୟାନୁଷ୍ଠାନ । ତେବେ ଏହାକୁ ସଫଳ କରିବାକୁ ଆଇନରେ ଥିବା ବ୍ୟବସ୍ଥା ପାଇଁ ଏହା ଜରୁରୀ କିନ୍ତୁ ଜନସଚେତନା ସୃଷ୍ଟି ନହେଲେ ଏହା ସଫଳ ହେବନାହିଁ । ପ୍ରତ୍ୟେକ ବ୍ୟକ୍ତି ନିଜଘର, ପରିସରକୁ ସଫା କରିବା ସହ ନିଶ୍ଚିତ ଭାବେ ଡଷ୍ଟବିନର ଉପଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ମଧ୍ୟ ସାମିଲ ଥିଲେ । ଏହାକୁ ନିୟମିତ ଭାବେ କାର୍ଯ୍ୟକାରୀ କରି ଧରପଗଡ ଜାରି ରହିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସ୍ପଷ୍ଟ କରିଦେଇଛନ୍ତି । ଏହି ଧରପଗଡରେ ପୌର ପ୍ରଶାସନର ଚନ୍ଦନ ସିଂଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ ।