ସ୍ୱଚ୍ଛ ବାରିପଦା ପାଇଁ ବ୍ୟବସାୟୀ ସଂଘ ସହ ପୋୖରପାଳିକାର ବୈଠକ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ସ୍ୱଚ୍ଛ ସର୍ବେକ୍ଷଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବାରିପଦା ପୋୖରପାଳିକା ପକ୍ଷରୁ ଶ୍ରେଷ୍ଠ ସ୍ଥାନ ହାସଲ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି. ବାରିପଦା ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ଗୁରୁବାର ବ୍ୟବସାୟୀ ସଂଘ ସହ ବାରିପଦା ପୋୖରପାଳିକାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ପୋୖରପାଳିକା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବଣିକ ସଙ୍ଘ , ପରିବା ଏବଂ ଉଠା ଦୋକାନୀ, ମାଛ ଓ କୁକୁଡ଼ା ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନା କରିଛନ୍ତି. ଆଗାମୀ ଦିନରେ ବାରିପଦା ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢ଼ିବା ପାଇଁ ବାରିପଦା ପୋୖରପାଳିକା ପକ୍ଷରୁ ସମସ୍ତଙ୍କ ସହାୟତା ଲୋଡ଼ା ଯାଇଥିଲା. ବଜାର ଅଞ୍ଚଳରୁ ଦୈନିକ ବାହାରୁ ଥିବା ଅଳିଆ ଆବର୍ଜନାକୁ କିପରି ଅଳିଆ ଗାଡି ଯୋଗେ ସଂଗ୍ରହ କରାଯାଇ ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ନେଇ ସମସ୍ତ ବ୍ୟବସାୟୀଙ୍କ ସହାୟତା କାମନା କରାଯାଇଛି. ସମଗ୍ର ଭାରତରେ ବର୍ତ୍ତମାନ ସ୍ୱଚ୍ଛ ସର୍ବେକ୍ଷଣ ଜାରି ରହିଥିବା ବେଳେ, ଉକ୍ତ ସର୍ବେକ୍ଷଣରେ ଦେଶର ଶ୍ରେଷ୍ଠ ୫୦ଟି ସ୍ୱଚ୍ଛ ସହର ତାଲିକା ମଧ୍ୟରେ ବାରିପଦା ପୋୖରପାଳିକା ସ୍ଥାନିତ ହେବା ନେଇ ଉଦ୍ୟମ ଜାରି ରହିଛି ବୋଲି ନଗରପାଳ ଶ୍ରୀ ମହାନ୍ତି କହିଛନ୍ତି. ବାରିପଦା ସହରକୁ ବର୍ଜ୍ୟମୁକ୍ତ ସହର ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ସ୍ୱଚ୍ଛତା ପାଇଁ ଆଗକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ. ପ୍ରତି ୱାର୍ଡ ବୁଲି ଜନସଚେତନ କରାଯିବ. ସ୍ୱଚ୍ଛ ବାରିପଦା ସହର ଗଠନ ନିମନ୍ତେ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କର୍ମକର୍ତ୍ତା ମାନେ ପ୍ରତିଶ୍ରୁତି ଦେଇଛନ୍ତି. ସୂଚନା ଥାଉକି, ବାରିପଦା ପୋୖରପାଳିକା ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୂର୍ବରୁ ୩୦ଗୋଟି ଏଲସିଭି ଗାଡି, ୭ଗୋଟି ବିଓଭି ଓ ୪୦ଗୋଟି ଟ୍ରଲି ଦ୍ୱାରା ପ୍ରତି ଘରୁ ନିୟମିତ ଆବର୍ଜନା ସଂଗ୍ରହ ହେଉଛି. ଏହାସହିତ ଯନ୍ତ୍ରଚାଳିତ ସଫେଇ ମେସିନ ମଧ୍ୟ ରହିଛି. ଗତ ୨୦୨୩ ମସିହାରେ ଭାରତର ୪୦୦୦ଟି ସହରକୁ ନେଇ ସ୍ୱଚ୍ଛ ସର୍ବେକ୍ଷଣ ହୋଇଥିବା ବେଳେ, ବାରିପଦା ସହର ୧୮୫ତମ ସ୍ଥାନ ହାସଲ କରିଥିଲା.