ସ୍ୱାଧୀନତାର ସ୍ୱାଦ

(ପଣ୍ଡିତ ହରେକୃଷ୍ଣ ପତିଙ୍କ ଆଲେଖ୍ୟ)
ହିମାଳୟ ଠାରୁ କୁମାରୀକା ପର୍ଯ୍ୟନ୍ତ ବିସ୍ତୃତ ଭାରତ ଭୂଖଣ୍ଡର ଅସୁମାରି ସମ୍ପଦ ଉପରେ ଯୁଗେ ଯୁଗେ ରହି ଆସିଛି ବୈଦେଶିକ ଶକ୍ତିମାନଙ୍କର ନଜର । କେତେବେଳେ ଇଂରେଜ ତ କେତେବେଳେ ମୋଗଲ, କେତେବେଳେ ଫରାସୀ ତ ପୁଣି କେତେବେଳେ ପର୍ତ୍ତୁଗୀଜ, କାଳେ କାଳେ ଏମାନେ ଏହି ସମ୍ପଦକୁ ଲୁଟି ନେବାର ହୀନ ପ୍ରୟାସ କରି ଆସିଛନ୍ତି । ଏହାକୁ ଆମେ କହୁ ପରାଧୀନତା । ଇଂରେଜମାନେ ବାଣିଜ୍ୟ କରିବାକୁ ଆସି କୂଟ ଚକ୍ରାନ୍ତ କରି ଭାରତର ସମ୍ରାଟ ବୋଲାଇବା ଏବଂ ମୋଗଲମାନେ ବଳପୂର୍ବକ ରାଜାମାନଙ୍କୁ ବନ୍ଦୀ କରି ସେମାନଙ୍କ ସିଂହାସନ ହାତେଇ ନେବା ଆଦି ହେଉଛି ଆମ ପରାଧୀନତାର କାରଣ । ଏହା ପଛରେ ରହିଛି ଆମ ଭାରତବାସୀଙ୍କ ସରଳତା ।
୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତ୍ରୀ ୧୨ ଘଟିକା ସମୟରେ ଆମେ ଭାରତୀୟ ସ୍ୱାଧୀନତାର ସ୍ୱାଦ ଚାଖିଥିବା ବେଳେ ସେ ସମୟର ଅପୂର୍ବ ଆନନ୍ଦ କଳ୍ପନାତୀତ ଥିଲା । ୧୬୧୫ ମସିହାରେ ଇଂରେଜ ଦୂତ ସାର ଟମାସ ରୋ, ବାଣିଜ୍ୟର ବନ୍ଧୁତା ନେଇ ଭାରତକୁ ଆସିଥିଲେ । ସେତେବେଳେ ଦିଲ୍ଲୀର ମୋଗଲ ଶାସକ ଥାନ୍ତି ଜାହାଙ୍ଗୀର । ଜାହାଙ୍ଗୀର ଏ ପ୍ରକାର ପ୍ରସ୍ତାବକୁ ସ୍ପଷ୍ଟ ମନା କରିଦେବା ପରେ ଭାଗ୍ୟର ବିଡ଼ମ୍ବନା ସଦୃଶ ତାଙ୍କ ସ୍ତ୍ରୀ ଅସୁସ୍ଥ ହେଲେ । ଇଂରେଜ ଡାକ୍ତରଙ୍କ ଚିକିତ୍ସାରେ ବେଗମ୍ ଆରୋଗ୍ୟ ଲାଭ କରିବାରୁ ସମ୍ରାଟ ଇଂରେଜମାନଙ୍କୁ ବାଣିଜ୍ୟର ଅନୁମତି ଦେଇଥିଲେ । ଇଂରେଜମାନେ କପଟୀ ଆଚରଣ ବଳରେ ନିରୀହ ଭାରତୀୟମାନଙ୍କୁ ଧୋକା ଦେବା ସହ ଦେଶର କୋଣ ଅନୁକୋଣରେ ଅବାଧ ପ୍ରବେଶ କରିଥିଲେ । ସେ ସମୟର ଜଣେ ଇଂରେଜ, ନିଜକୁ ସବୁ କାର୍ଯ୍ୟରେ ଅସଫଳ ମନେକରି ଆତ୍ମହତ୍ୟା ଉଦ୍ୟମ ପୂର୍ବକ ନିଜ ରିଭଲଭରରୁ ଗୁଳି ଚଳାଇଥିଲେ ହେଁ ଗୁଳୁଟି ନ ଫୁଟିବାରୁ ତାଙ୍କ ମନରେ ଆଶା ସଂଚାର ହେଲା ଯେ, ସେ ନମରିବା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ନିହିତ ରହିଛି । ତେଣୁ ସେ ଭାରତରେ ପ୍ରବେଶ କରି ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ଏକ ସଂସ୍ଥା ଖୋଲିବା ସହ ଭାରତର ସମ୍ପଦକୁ ଲୁଟିବା ଆରମ୍ଭ କରି ଦେଇଥିଲେ । ସେତେବେଳର ନିରୀହ ଭାରତବାସୀ, ଚତୁର ଇଂରେଜମାନଙ୍କ ଭେଳିକିରେ ପ୍ରଭାବିତ ହୋଇ ନିଜ ଦେଶର କଞ୍ଚାମାଲକୁ ତାଙ୍କ ହାତରେ ଟେକି ଦେବା ସହ ତାହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇବା ପାଇଁ କର ପ୍ରଦାନ କରୁଥିଲେ ଏବଂ ସେହି ସାମଗ୍ରୀକୁ ଇଂରେଜମାନଙ୍କ ଠାରୁ ଚଢା ଦରରେ କ୍ରୟ କରିବାକୁ ବାଧ୍ୟ ହେଉଥିଲେ । ତାଜମହଲ, ହାୱଡ଼ା ବ୍ରିଜ ପରି ପୃଥିବୀର ଆଶ୍ଚର୍ଯ୍ୟକୁ ନିର୍ମାଣ କରିଥିବା ଭାରତୀୟ କୁଶଳୀ କାରିଗରମାନଙ୍କ ହାତ ପାପୁଲି ଓ ଆଙ୍ଗୁଠି କାଟିଦେବା ସହ ସେମାନଙ୍କୁ ଜୀବନରୁ ମାରିଦେବା ପରି ଜଘନ୍ୟ କାର୍ଯ୍ୟ କରିବାକୁ ମଧ୍ୟ ସେମାନେ ପଛାଉ ନଥିଲେ । ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକମାନଙ୍କର ଦୁର୍ଦ୍ଦଶା ମଧ୍ୟ ସମାନ ଥିଲା । ସେମାନେ ଭାରତ ଛାଡ଼ି ଯିବା ପୂର୍ବରୁ ଅଖଣ୍ଡ ଭାରତକୁ ଖଣ୍ଡ ବିଖଣ୍ଡିତ କରିବାରେ ମଧ୍ୟ ସଫଳ ହୋଇଥିଲେ । ଅଖଣ୍ଡ ଭାରତକୁ ଭାରତ, ପାକିସ୍ଥାନ ଓ ବାଂଲାଦେଶ, ତିନି ଭାଗରେ ବିଭକ୍ତ କରି ଦେଇଥିଲେ । ଏହିପରି ହଜାର ହଜାର ଶହୀଦଙ୍କ ବଳିଦାନର ଉପହାର ସ୍ୱରୂପ ଆମେ ସ୍ୱାଧୀନତା ପ୍ରାପ୍ତ ହୋଇଥିଲେ ସତ, କିନ୍ତୁ ସାମ୍ପ୍ରତିକ ସମୟରେ ଆମ ପାଇଁ ସ୍ୱାଧୀନତାର ସଂଜ୍ଞା ବଦଳି ଯାଇଛି ଆମ ଦେଶର କିଛି ସ୍ୱାର୍ଥପର ଜନନାୟକ, ଅସାଧୁ ଧନୀକ ବର୍ଗ, ବେଇମାନ ବ୍ୟବସାୟୀ ଏବଂ ନିଜା ନୈତିକତା ହରାଇଥିବା ଶାସକ, ପ୍ରଶାସକ, କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ।
୧୯୫୦ ମସିହାରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସୃଷ୍ଟି ହୁଏ ଭାରତୀୟ ସମ୍ବିଧାନ । ସେହି ସମ୍ବିଧାନ ଅନୁଯାୟୀ ଚାଲେ ଆମ ଦେଶର ଗଣତନ୍ତ୍ର । ପ୍ରଥମ ପ୍ରଧାନମନ୍ତ୍ରୀ ଚାଚା ନେହେରୁଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଅଦ୍ୟାବଧି ଆମେ ଶାସିତ ହୋଇ ଆସୁଅଛୁ । ମହାତ୍ମାଗାନ୍ଧୀ, ରାମରାଜ୍ୟର ସ୍ୱପ୍ନ ଦେଖିଲା ବେଳେ ଏମିତି ଏକ ଭାରତର କଳ୍ପନା କରିଥିଲେ, ଯେଉଁଠି ଭୟ, ଦୁର୍ଦ୍ଦଶା, କ୍ଷୁଧା, ଦୁର୍ନୀତି, ନାରୀ ନିର୍ଯ୍ୟାତନା, ଅସ୍ପୃଶ୍ୟତା, ଅତ୍ୟାଚାର ଓ ହୀନମନ୍ୟତାର ଲେଶ ମାତ୍ର ନଥିବ । ଯେଉଁ ଦିନ ନାରୀଟିଏ ଭାରତୀୟ ରାଜରାସ୍ତାରେ ଅର୍ଦ୍ଧରାତ୍ରୀରେ ନିର୍ଭୟରେ ବିଚରଣ କରି ପାରିବ, ସେହି ଦିନ ହିଁ ଆମେ ସ୍ୱାଧୀନ ବୋଲି ପ୍ରମାଣିତ ହେବ । ଆମେ ସ୍ୱାଧୀନ ହୋଇ ବି ଆଜି ସମ୍ପୂର୍ଣ୍ଣ ପରାଧୀନ । ଏହାର କାରଣ ଆମେ ନିଜେ ଓ ଆମର ଦେଶବାସୀ । ବର୍ତ୍ତମାନ ସମାଜରେ ଘଟି ଚାଲିଥିବା ଦୈନନ୍ଦିନ ଘଟଣାବଳିରେ ସ୍ୱାଧୀନତାର ସାମାନ୍ୟ ଝଲକ ନଥିବାର ଦେଖିବାକୁ ମିଳେ । ଏଠାରେ ମଣିଷଙ୍କୁ ପଶୁ ପରି ରହିବାକୁ ପଡୁଛି ।
ଗଣତନ୍ତ୍ର ରାଷ୍ଟ୍ରରେ ଜନତାଙ୍କ ଭୋଟ ପାଇ ନେତା ସାଜିଥିବା ଲୋକେ ଏ ଦେଶର ଗରୀବ ଜନସାଧାରଣଙ୍କୁ କ୍ରମାଗତ ଭାବେ ଲୁଣ୍ଠନ କରି ଚାଲିଛନ୍ତି । ଗରୀବି ହଟାଓ ଯୋଜନା ନାମରେ ଦେଶକୁ ଅଧିକ ଦରିଦ୍ର ସଜା ଯାଉଥିବା ବେଳେ ଦେଶର ପ୍ରଗତିରେ ଦେଶର ରକ୍ଷକମାନେ ହିଁ ବାଧକ ସାଜୁଛନ୍ତି । ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀ ଠାରୁ ଆରମ୍ଭ କରି ଗରୀବ, ଖଟିଖିଆ, ଭିନ୍ନକ୍ଷମ, ଛାତ୍ରଛାତ୍ରୀ, ମହିଳା, ଆଦିବାସୀ, ହରିଜନ, ପଛୁଆବର୍ଗ, ଶିଶୁ, କିନ୍ନର ମାନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ କାଗଜ କଲମରେ ଯୋଜନା ପରେ ଯୋଜନା ପ୍ରଣୟନ ହେଉଥିବା ବେଳେ ପ୍ରତ୍ୟେକ ସ୍ତରରେ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଉଛି । ସ୍ୱାଧୀନତା ପରେ କୃଷି, ଶିକ୍ଷା, ସାମାଜିକ ସୁରକ୍ଷା, ଦରଦାମ ନିୟନ୍ତ୍ରଣ, ମୌଳିକ ସାମଗ୍ରୀ ବଣ୍ଟନ, ବାଣିଜ୍ୟ, ସ୍ୱାସ୍ଥ୍ୟ, ନାରୀ ଓ ଶିଶୁ ସୁରକ୍ଷା, ସରକାରୀ ସହାୟତା, ଉନ୍ନତୀକରଣ, ଆତଙ୍କବାଦ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ସଚେତନତା, ପୁଞ୍ଜି ବିନିଯୋଗ ଆଦି ସମସ୍ତ କ୍ଷେତ୍ରରେ କେବଳ ଅବନତି ଦେଖାଯାଇଛି ଆମ ଦେଶରେ । ତଥାକଥିତ ସରକାରୀ ବାବୁ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧିମାନେ ଜନତାର ରକ୍ଷକ ବଦଳରେ ସାଜିଛନ୍ତି ଭକ୍ଷକ । ଚାଷୀମାନଙ୍କୁ ଚଢା ଦରରେ ସମସ୍ତ ସାମଗ୍ରୀ ଦେଇ ତା’ ଠାରୁ ଶସ୍ୟ କିଣିଲା ବେଳେ ତା’କୁ ଲୁଣ୍ଠନ କରାଯାଏ ଏ ଦେଶରେ । ମାସକୁ ଲକ୍ଷେ ଟଙ୍କା ବେତନ ପାଉଥିବା ଜଣେ ବାବୁ ଯେଉଁ ଦରରେ ଆବଶ୍ୟକୀୟ ସାମଗ୍ରୀ କିଣେ, ଦିନକୁ ଦେଢ ଶହ ଟଙ୍କା ମଜୁରୀ ପାଉଥିବା ସାମାନ୍ୟ ଦିନ ମଜୁରିଆଟିଏ ମଧ୍ୟ ସେହି ଦରରେ କିଣିବାକୁ ବାଧ୍ୟ ହୁଏ । ଏ ଦେଶରେ କୌଣସି ପ୍ରସଙ୍ଗ ଉପରେ ନିୟନ୍ତ୍ରଣ ନାହିଁ ।
ଏବେ ବି ସ୍ୱାଧୀନ ଭାରତର ନାଗରିକ ପୂର୍ବ ପରି ନିଷ୍ପେଷିତ ତଥା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବାର ସ୍ପଷ୍ଟ ଚିତ୍ର ବାରି ହେଉଥିବା ବେଳେ ଫିରିଙ୍ଗି ଶାସନର ଛାପ ଆମ ଦେଶରୁ ଯାଇ ନଥିବା ପରି ମନେହୁଏ । ଆମେ ଏବେ ବି ପରାଧୀନ ଏବଂ ଏହା ହିଁ ଆମ ଭାରତବାସୀଙ୍କ ପାଇଁ ସ୍ୱାଧୀନତାର ସ୍ୱାଦ ।

–ସା./ପୋ.-ପଧାନପଡ଼ା, ଜି-ଭଦ୍ରକ, ପିନ୍‌-୭୫୬୧୧୪ ।
ମୋବାଇଲ ନଂ.-୭୫୦୪୪୨୪୬୦୧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ