ସ୍ୱାଧୀନତାର ୭୪ବର୍ଷ ପରେ ସୁଦ୍ଧା ଗଜପତିର ୫ଟି ଗ୍ରାମବାସୀ ବିଦ୍ୟୁତ ଆଲୋକ ଦେଖିନାହାଁନ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦେଶ ସ୍ୱାଧୀନତାର ଦୀର୍ଘ୭୪ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାରେ ଏପରି ଅନେକ ଗ୍ରାମ ରହିଛି ଯେଉଁ ଠାରେ କି ଲୋକେ ବିଦ୍ୟୁତ୍ ଆଲୋକ ଆଜି ପର୍ଯ୍ୟନ୍ତ ଦେଖିନାହାଁନ୍ତି । ଆହୁରି ଅନେକ ଗ୍ରାମ ରହିଛି ଯେଉଁଠାରେ କି ବିଦ୍ୟୁତ୍ ଖୁଣ୍ଟ ପୋତା ହୋଇ ଗ୍ରାମବାସୀଙ୍କ ଘରେ ବିଦ୍ୟୁତ୍ ତାର ସଂଯୋଗ କରାଯାଇ ଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉ ନାହିଁ । ଏପରି ଏକ ଉଦାହରଣ ଗଜପତିର ମୋହନା ବ୍ଲକରେ ଦେଖାଦେଇଛି । ଏହି ବ୍ଲକର କେଶରୀଗୁଡା ଗ୍ରାମପଞ୍ଚାୟତର ୫ଗୋଟି ଗ୍ରାମ ଯଥା,ଢେଙ୍କାବନ୍ଧ,ନୁଆସାହି,ଆଖୁବାଡ,ସାଲପୁଟୁଳା,ନୁଆଗାଁ ଆଦି ୫ଗୋଟି ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୋକ ଦେଖି ନାହାଁନ୍ତି । ଗ୍ରମପଞ୍ଚାୟତ ଠାରୁ ମାତ୍ର ୨କିମି ଦୁରରେ ଏହି ଗ୍ରାମ ଗୁଡିକ ରହିଛି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ବିଦ୍ୟୁତ୍ ବିଭାଗକୁ ଏମାନେ ବହୁ ଅନୁରୋଧ ଜଣାଇଛନ୍ତି । ତଥାପି ଏହି ୫ଗୋଟି ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ରହିଛି ବିଦ୍ୟୁତ୍ ସେବା ପହଞ୍ଚି ନ ଥିବା ଗ୍ରାମକୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବା ନିମନ୍ତେ । ତଥାପି ବହୁବାର ଅନୁରୋଧ ସତ୍ୱେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇ ନାହିଁ ବୋଲି ଏହି ୫ଗୋଟି ଗ୍ରାମରୁ ମାଧବ ଶବର,ମିଶାଲ ଶବର,ଯସିୟ ଶବର,ଏଲିଓ ଗମାଙ୍ଗ,ମଜେଶ ରଇତ,ସିମନ ରଇତ,ବନ୍ଧୁ ମାଝି,ଦାନିଆଲ ରଇତ,କାଳିଆ ମାଝି ପ୍ରମୁଖ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରି କହିଛନ୍ତି,ମୌଳିକ ସୁବିଧାରୁ ଆମକୁ ବଞ୍ଚିତ କରାଯାଇଛି । ବିଦ୍ୟୁତ୍ ନ ଥିବାରୁ ଏହି ଗ୍ରାମ ଗୁଡିକର ଛାତ୍ରଛାତ୍ରୀମାନେ ପାଠ ପଢିପାରୁ ନାହାଁନ୍ତି । ଚଢା ଦରରେ କିରୋସିନି କିଣି ନ ପାରି ଅନ୍ଧକାର ମଧ୍ୟରେ ବିପଦ ପୁର୍ଣ୍ଣ ଜିବନ ବିତାଉଛୁ ।


