ସ୍ୱାଧୀନତା ଦିବସରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ବାର୍ତା
(ଯୁଗାବ୍ଦ ନ୍ୟୁଜ ),୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାସହ ଦେଶମାତୃକାକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଯେଉଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ ଅଦମ୍ୟ ସଂଘର୍ଷ, ସାହସ ଏବଂ ନିଷ୍ଠା ପ୍ରଦର୍ଶନ ପୂର୍ବକ ଚରମ ବଳିଦାନ ଦେଇଛନ୍ତି ସେମାନଙ୍କୁ ସ୍ମରଣ କରିଛନ୍ତି । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କୁ ମନେପକାଇବା ସହ ଗାନ୍ଧୀଜିଙ୍କ ଉଦ୍ୟମ ଦ୍ୱାରା ସ୍ୱାଧୀନତା ହାସଲରେ ସଫଳତା ଏବଂ ସକଳ ଅସମାନତା ଦୂର କରି ସମାଜରେ ସଂସ୍କାର ଆଣିବା ପଛରେ ପ୍ରେରଣା ଓ ମାର୍ଗଦର୍ଶନ ରହିଥିବା କହିଛନ୍ତି ।ଶିଖ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛ ଜଣାଇଛନ୍ତି । ଯେଉଁ ମହାନ୍ ପିଢ଼ି ଆମକୁ ସ୍ୱାଧୀନତା ଦେଇଥିଲା ତାହା କେବଳ ସ୍ୱାଧୀନତାକୁ ରାଜନୈତିକ କ୍ଷମତା ହସ୍ତାନ୍ତରରେ ସୀମିତ ରଖିବାକୁ ଭାବି ନଥିଲା । ଏହି ପିଢ଼ିର ନେତାଙ୍କ ପାଇଁ ସ୍ୱାଧୀନତା ଲାଭ ଏକ ଦୀର୍ଘତମ, ବୃହତର ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାର ମୂଳଦୁଆ ବିବେଚିତ ହୋଇଥିଲା । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କଲ୍ୟାଣ ଆଣିବା, ପ୍ରତି ପରିବାର ଏବଂ ସର୍ବୋପରି ସମଗ୍ର ସମାଜର ବିକାଶ ସେମାନଙ୍କର ଧ୍ୟେୟ ଥିଲା । ଜାମ୍ମୁ-କାଶ୍ମୀର ଓ ଲଦାଖରେ ଯେଉଁ ପରିବର୍ତନ ହୋଇଛି ତାହା ସେହି ଅଂଚଳର କଲ୍ୟାଣରେ ବିଶେଷ ସହାୟକ ହେବ । ଏହାଦ୍ୱାରା ସେହି ଅଂଚଳର ଜନସାଧାରଣ ଦେଶର ଅନ୍ୟାନ୍ୟ ଅଂଚଳର ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବାସହ ଶିକ୍ଷା ଅଧିକାର ଆଇନ ଲାଗୁ ହେବାପରେ ସବୁ ପିଲାଙ୍କ ପାଇଁ ଶିକ୍ଷା ଲାଭ ସୁନିଶ୍ଚିତ ହୋଇପାରିବ । ସୂଚନା ଅଧିକାର ମିଳିବା ପରେ ଏବେ ସେଠାକାର ଲୋକେ ଜନହିତ ସମ୍ବଳିତ ତଥ୍ୟ ପାଇପାରିବେ । ପାରମ୍ପରିକ ରୂପେ ବଂଚିତ ରହି ଆସିଥିôବା ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳିବ । ଆହୁରି ମଧ୍ୟ ତକ୍ରାଳ ତିନି ତଲାକ୍ ଭଳି ପ୍ରଥାର ଅବସାନ ପରେ ସେଠାରେ ଥିବା ଆମ ଝିଅମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନେ ଭୟମୁକ୍ତ ଜୀବନଯାପନ କରିବାର ସୁଯୋଗ ପାଇବେ । ନିର୍ବାଚକମାନେ ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ ଯେଉଁ ବିଶ୍ୱାସ ସ୍ଥାପନ କରିଛନ୍ତି ସେଥିପାଇଁ ଏହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ସହିତ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସଂଶ୍ଳିଷ୍ଟ ଥିବାରୁ ଏହା ବିଶେଷ ଗୁରୁତ୍ୱ ବହନ କରୁଛି । ରାଷ୍ଟ୍ରନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା ଏବଂ ସେଥିରେ ସ୍ୱାଧୀନତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ସେ ଦୃଷ୍ଟିରୁ ସବୁ ଅନୁଷ୍ଠାନ, ପ୍ରତିଷ୍ଠାନ, ପ୍ରତ୍ୟେକ ସଂପୃକ୍ତ ପକ୍ଷ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ରାଷ୍ଟ୍ର ନିର୍ମାଣର ଅନ୍ତିମ ଲକ୍ଷ୍ୟ ହେଲା ଭୋଟର ଓ ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି, ନାଗରିକ ଓ ସରକାର ତଥା ନାଗରିକ ସମାଜ ଓ ରାଷ୍ଟ୍ର ମଧ୍ୟରେ ଏକ ଶ୍ରେଷ୍ଠ ଭାଗୀଦାରୀ ସୃଷ୍ଟି କରିବା ।


