ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ
ମନୀଷା ରାୟ, କଟକ
ମହାକାଳର ସ୍ରୋତରେ ପୃଥିବୀ ପୃଷ୍ଠରେ ଘଟି ଯାଇଛି ଅନେକ ବଡ଼ ବଡ଼ ଘଟଣା । ପ୍ରତିଟି ଘଟଣା ସୃଷ୍ଟି କରିଛି ବୈଶ୍ୱିକ ଇତିହାସ । ଠିକ୍ ସେମିତି ଏକ ଅନନ୍ୟ ଘଟଣା ଘଟିଯାଇଥିଲା ଭାରତ ବର୍ଷରେ । ଏହି ପୂଣ୍ୟ ତିଥିଟି ଥିଲା ଆମ ସ୍ୱାଧୀନତା ଦିବସ । ସନ ୧୯୪୭ ମସିହା ୧୫ ଅଗଷ୍ଟର ଏହି ସ୍ୱତନ୍ତ୍ର ଦିବସଟି ବର୍ତ୍ତମାନ ସନ ୨୦୨୧ ମସିହା ୧୫ ଅଗଷ୍ଟରେ ଉକ୍ତ ବର୍ଷରେ ପଦାର୍ପଣ କରିଛି । ଏହି ପୂଣ୍ୟ ତିଟି ପାଇଁ ପୂଣ୍ୟ ଭୂଇ ଭାରତବର୍ଷରେ ଘଟିଯାଇଛି କାହିଁ କେତେ ଅମାନୁଷିକ ଓ ଅମାନବୀୟ ଘଟଣା । ସଂଗ୍ରାମ, ତ୍ୟାଗ, ତିତୀକ୍ଷା ତଥା ଆତ୍ମଉତ୍ସର୍ଗର ଥିଲା ଜ୍ୱଳନ୍ତ ଉଦାହରଣ ଏହି ପୁଣ୍ୟ ଦିବସଟି । ସ୍ୱାଧୀନତା ଦିବସ । ଯେଉଁ ଦିବସଟି ଦେଇଥିଲା ଦେଶପ୍ରେମୀ ମୁକ୍ତି ସଂଗ୍ରାମୀମାନଙ୍କୁ ସ୍ୱତନ୍ତ୍ର ପରିଚୟ ।
ପୁଣ୍ୟଭୂମି ଭାରତବର୍ଷରେ ତିନୋଟି ଜାତୀୟ ଦିବସ ପାଳିତ ହୁଏ । ଏଇ ତିନୋଟି ପୁଣ୍ୟ ଦିବସ ହେଲା- ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ଗାନ୍ଧୀଜୟନ୍ତି । ତିନୋଟି ଜାତୀୟ ଦିବସ ମଧ୍ୟରୁ ସ୍ୱାଧୀନତା ଦିବସ ଅନ୍ୟତମ । ସନ ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ଦୁର୍ଦ୍ଦାନ୍ତ ଇଂରେଜମାନଙ୍କ କବଳରୁ ସ୍ୱାଧୀନ ହୋଇଥିଲା । ଏଇ ଶୁଭଙ୍କର ଦିବସଟି ଭାରତ ପାଇଁ ଥିଲା ଏକ ଗୌରବ ଅଧ୍ୟାୟ । ରାଜଧାନୀ ଦିଲ୍ଲୀର ଲାଲକିଲାଠାରେ ସ୍ୱାଧୀନ ଭାରତର ଝଣ୍ଡା ଫର ଫର ହୋଇ ଉଡ଼ିଥିଲା । ତତ୍ସହିତ ଭାରତବାସୀ ସ୍ୱାଧୀନତାର ଅମୃତ ସ୍ୱାଦ ଚାଖିଥିଲେ । ମୁକ୍ତ ଆକାଶରେ ଫରଫର ହୋଇ ଉଡୁଥିବା ଜାତୀୟ ପତାକା ସାରା ବିଶ୍ୱକୁ ଚେତାଇ ଦେଇଥିଲା ଭାରତର ପରାକ୍ରମ ଓ ପରାକାଷ୍ଠା । ସାରା ଭାରତବର୍ଷର କୋଣ ଅନୁକୋଣରେ ଜାତୀୟ ପତାକା ଉଡ଼ି ଦେଖାଇଥିଲା ତା’ର ଅତୀବ ମାଧୂର୍ଯ୍ୟ । ସେହି ଜାତୀୟ ପତାକା ତଳେ ଅଗଣିତ ଦେଶପ୍ରେମୀ ସଂଗ୍ରାମୀ ଉଦ୍ବେଳିତ କଣ୍ଠରେ ଗାଇ ଉଠିଥିଲେ ଭାରତ ମାତାର ଆବାହନୀ ସଂଗୀତ ।
‘ଜନଗଣ ମନ ଅଧିନାୟକ ଜୟହେ’ । କୋଟି କୋଟି ଭାରତୀୟଙ୍କୁ ଦେଶର ଶୁଭସଂକେତ ଦେଇ ଜାତୀୟ ପତାକା ଚେତାଇ ଦେଇଥିଲା । ‘ଆମ ଡଙ୍ଗାରେ ବର୍ତମାନ ଆମେ ନାଉରୀ ।’ ଅର୍ଥାତ ଆମ ଦେଶର ଶାସନ ଆମ ହାତରେ । ଆମେ ସବୁ ସ୍ୱାଧୀନ ଭାରତର ନାଗରିକ । ପୁଣ୍ୟ ଭୂମି ଭାରତବର୍ଷର ଅଖଣ୍ଡତାକୁ ଆମେ ଏକତା ରଜ୍ଜୁରେ ବାନ୍ଧି ରଖିବା । ସାରା ବିଶ୍ୱ ଦେଖିବ ଭାରତବର୍ଷର ଚିର ଅଖଣ୍ଡତାର ଛବି ।
ସ୍ୱାଧୀନତା ସଂଗ୍ରାମର ସମସ୍ତ ଶ୍ରେୟ ଏଇ ଖଦଡ଼ପିନ୍ଧା ମଣିଷଟିକୁ ଦିଆଯାଏ । ତାଙ୍କରି ନେତୃତ୍ୱରେ କିନ୍ତୁ ବିଶିଷ୍ଟ ନେତା ମୁକ୍ତି ସଂଗ୍ରାମରେ ଝାସ ଦେବାକୁ ଆଗଭର ହୋଇ ବାହାରି ଆସିିଲେ । ସମର୍ଥନ ଜଣାଇଲେ ବାପୁଜୀଙ୍କ ଅହିଂସାନୀତିକୁ । ଯେଉଁ ତୁଙ୍ଗନେତାମାନେ ହୃଦୟର ସହ ଗାନ୍ଧୀଙ୍କର ଅହିଂସା ନୀତି ଓ ଆଦର୍ଶକୁ ସମର୍ଥନ କରୁଥିଲେ, ସେମାନେ ହେଲେ ଜବାହାରଲାଲ ନେହେରୁ, ଲାଲବାହାଦୂର ଶାସ୍ତ୍ରୀ, ସୁବାଷ ଚନ୍ଦ୍ର ବୋଷ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରମୁଖ ।
ଆହୁରି ଅନେକ ଦେଶଭକ୍ତ ଏହି ମୁକ୍ତି ଆନ୍ଦୋଳନରେ ଝାସ ଦେଇ ନିଜ ଜୀବନ ଉତ୍ସର୍ଗ କରିଥିଲେ । କୋଟି କୋଟି ଭାରତୀୟ ଏକତ୍ରୀତ ହୋଇ ଏହି ଜାତୀୟ ମୁକ୍ତି ଆନ୍ଦୋଳନ ସ୍ରୋତରେ ସାମିଲ ହୋଇଥିଲେ । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଘମାଘୋଟ ସଂଗ୍ରାମ ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଲା । ଫିରିଙ୍ଗିଙ୍କ ଲାଲ ଆଖି ଆଗରେ ସେମାନେ ନତମସ୍ତକ ହେଲେ ନାହିଁ । ସ୍ୱାଧୀନତାର ସ୍ଫୁଲିଙ୍ଗରେ ଫିରିଙ୍ଗିମାନେ ଜଳିପୋଡ଼ି ଯିବାକୁ ଆରମ୍ଭ କଲେ । ଭାରତୀୟ ସଂଗ୍ରାମୀମାନେ ଯେତେଯେତେ ଶହୀଦ ହୋଉଥିଲେ ମୁକ୍ତି ଆନ୍ଦୋଳନର ଅଗ୍ନିଶିଖା ଭାରତବର୍ଷକୁ ସେତେସେତେ ଗ୍ରାସିବାକୁ ଲାଗିଲା । ଜାତୀୟ ଆନ୍ଦୋଳନର ମୁକାବିଲା କରିବା ପାଇଁ ଇଂରେଜମାନେ ଦେଶସାରା ଦମନ ଲୀଳା ଚଳାଇଲେ । ନୃଶଂସ ଭାବେ ନରସଂହାର କରିଚାଲିଲେ । ସମଗ୍ର ଭାରତବର୍ଷରେ ଚାଲିଲା ଅମାନବୀୟ ଅତ୍ୟାଚାର । ସବୁଠି ହେଲା ଢ଼ୋ ଢ଼ୋ ବନ୍ଧୁକ କମାଣର ଗର୍ଜନ ।
ଅଗଣିତ ମୁକ୍ତି ସଂଗ୍ରାମୀମାନଙ୍କ ଉପରେ ହେଲା ପ୍ରବଳ ଲାଠିମାଡ଼ । ଇଂରେଜମାନଙ୍କ ନୃସଂଶ ଅତ୍ୟାଚାରରେ ଟଳିପଡ଼ିଲେ ଅସଂଖ୍ୟ ଦେଶଭକ୍ତ । ଲାଲ, ବାଲ, ପାଲ ପରି ତୁଙ୍ଗ ନେତାମାନେ ମଧ୍ୟ ସେଥିରୁ ବାଦ୍ ପଡ଼ିନଥିଲେ । ଇଂରେଜଙ୍କ ଲାଠି ମାଡ଼ରେ ଶହୀଦ ହେଲେ ତୁଙ୍ଗ ସ୍ୱାଧୀନତା ସଂଗ୍ରାମୀ ଲାଲ ଲଜପତ ରାୟ । କ୍ରାନ୍ତିକାରୀ ଯୁବ ସଂଗ୍ରାମୀ ଭଗତ ସିଂହ ଫାଶୀଖୁଣ୍ଟରେ ଝୁଲି ପଡ଼ିଲେ । କେବଳ ଏଇ ଦୁଇ ଜଣ ସ୍ୱାଧୀନତା ପାଇଁ ଶହୀଦ ହୋଇନଥିଲେ । ଆହୁରି ଅନେକ ମୁକ୍ତି ସଂଗ୍ରାମୀ ଏଥିରେ ନିଜର ପ୍ରାଣଉତ୍ସର୍ଗ କରିଥିଲେ ।
ଓଡ଼ିଶା ଭଳି ଏକ କ୍ଷୁଦ୍ର ରାଜ୍ୟରୁ ଅନେକ ଓଡ଼ିଆ ଏହି ଜାତୀୟ ମୁକ୍ତି ଆନ୍ଦୋଳନରେ ଝାସ ଦେଇଥିଲେ । ସେମାନେ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ଗୋପବନ୍ଦୁ ଚୌଧୁରୀ, ମାଳତୀ ଚୌଧୁରୀ, ମାଆ ରମାଦେବୀ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ପ୍ରମୁଖ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆଙ୍କ ଅବଦାନ ଥିଲା ସମୁଦ୍ରକୁ ଶଙ୍ଖେ ଭଳି । ତଥାପି ଉତ୍କଳର ଏହି ବରପୁତ୍ରମାନେ ମୁକ୍ତି ସଂଗ୍ରାମପୂର୍ବରୁ ଇଂରେଜମାନ୍ଙ୍କ ବିରୋଧରେ ବିଦ୍ରୋହକରିଥିଲେ । ଏହି ବିଦ୍ରୋହ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ସଂଗ୍ରାମର ବହ୍ନିଶିଖାରେ ଝାସଦେଇ ନିଜ ଜୀବନ ଉତ୍ସର୍ଗ କରିଥିଲେ ଏଇ ବରପୁତ୍ରମାନେ । ଜୟୀ ରାଜଗୁରୁ, ବକ୍ସିଜଗବନ୍ଧୁ, ଚକରାବିଷୋୟୀ, ବୀର ସୁରେନ୍ଦ୍ର ସାଏ, ଚାଖିଖୁଂଟିଆ, ବିର୍ସାମୁଣ୍ଡା, ସହିଦ ଲକ୍ଷ୍ମଣ ନାୟକ, ରଘୁ-ଦିବାକର ଭଳି ବୀର ଜୀବନ ଉତ୍ସର୍ଗ କରି ଯୁଗଯୁଗ ପାଇଁ ଅମର ହୋଇଗଲେ । ଆତ୍ମବଳିଦାନ ଦେଇ ଅଗଣିତ ଭାରତୀୟଙ୍କ ପ୍ରେରଣାର ଉତ୍ସ ହୋଇଗଲେ ଏମାନେ କାଳକାଳକୁ ।
ଦେଶର ପିତା ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଦେଶସାରା ଆରମ୍ଭ ହୋଇଗଲା ଅସହଯୋଗ ଆନ୍ଦୋଳନ । ଭାରତୀୟ ସଂଗ୍ରାମୀଙ୍କ ଧୈର୍ଯ୍ୟ, ପରାକାଷ୍ଠା, ସାହାସ ପାଖରେ ନତମସ୍ତକ ହେଲା ଗୋରା ସରକାର । ମାତୃଭୂମୀ ପ୍ରତି ଭାରତୀୟଙ୍କ ଉତ୍ସର୍ଗିକୃତ ଭାବନା ଦେଖି ସେମାନେ ଭୟଭୀତ ହୋଇପଡ଼ିଲେ । ଇଂରେଜମାନେ ନିଜର ବିଚାରଧାରାକୁ ବଦଳାଇବାକୁ ବାଧ୍ୟ ହେଲେ । ମହାମାଗାନ୍ଧୀଙ୍କ ଅହିଂସା ନୀତି ପାଖରେ କାଟୁତି କଳା ନାହିଁ ସେମାଙ୍କର ପରାକ୍ରମ । ଆତ୍ମାରୁ ସେମାନେ ଅସହାୟ ହୋଇପଡ଼ିଲେ । ବୀର ପ୍ରସବିନୀ ଭାରତମାତାର ସୁଯୋଗ୍ୟ ସନ୍ତାନମାନଙ୍କ ହସ୍ତରେ ପରାଜୟ ବରଣ କଲେ ଉଦ୍ଧତ ଇଂରେଜମାନେ । ସାତ ସମୁଦ୍ର ତେର ନଈ ଛାଡ଼ି ଆସିଥିବା ବ୍ରିଟିଶ ସରକାର ବାଟ ଖୋଜିଲା କେମିତି ଏ ଦେଶ ଛାଡ଼ି ସ୍ୱଦେଶକୁ ପ୍ରତ୍ୟାବର୍ତନ କରିବ । ଆମ ଭାରତୀୟ ରାଜନୀତିକ ଆନ୍ଦୋଳନ ସେମାନଙ୍କ ଅକଲକୁ ଗୁଡ଼ୁମ କଲା । ଶେଷରେ ବାଧ୍ୟ ହୋଇ ୧୯୪୭ ମସିହା ୧୪ ଅଗଷ୍ଟ ମଧ୍ୟରାତ୍ରିରେ ସ୍ୱାଧୀନତାର ଚୁକ୍ତିପତ୍ରରେ ସ୍ୱାକ୍ଷର କଲା ଗୋରା ସରକାର । ପରେ ସନ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ୱାଧୀନତା ଦିବସ ରୂପେ ଘୋଷଣା କରାଗଲା । ଆଜିର ଦିନରେ ୧୯୪୭ ମସିହାର ମୁକ୍ତି ଆନ୍ଦୋଳନ ୭୫ଟି ବସନ୍ତ ଅତିକ୍ରାନ୍ତ କରି ପଚସ୍ତରୀ ବର୍ଷରେ ପଦାର୍ପଣ କରିଛି । ସ୍ୱାଧୀନତା ସଂଗ୍ରାମର ଅନ୍ତରାଳକୁ ଯଦି ଆମେ ତନ୍ନତନ୍ନ କରି ନିରୀକ୍ଷଣ କରିବା ତାହା ହେଲେ ଆମେ ସ୍ପଷ୍ଟ ଭାବେ ଦେଖିପାରିବା ଭିନ୍ନ ଦୁଇଟି ବିଦ୍ରୋ । ଯେଉଁ ବିଦ୍ରୋହ କେବଳ ଭାରତର ସ୍ୱାଧୀନତା ପାଇଁ ହିଁ ଆରମ୍ଭ ହୋଇଥିଲା । ଏବେକାର ସ୍ୱାଧୀନତା ସଂଗ୍ରାମର ଠିକ୍ ୧୦୦ ବର୍ଷ ପୂର୍ବେ ଘଟିଥିଲା ଏକ ଭୟାବହ ବିଦ୍ରୋହ । ଯାହାର ନାମ ସିପାହୀ ବିଦ୍ରୋ । ସନ୍ ୧୮୫୭ ମସିହାରେ ଭାରତୀୟ ସିପାହୀମାନେ ଏକତ୍ରୀତ ହୋଇ ଇଂରେଜ ସରକାର ବିରୁଦ୍ଧରେ ଏହି ବିଦ୍ରୋହ କରିଥିଲେ । ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥିଲା ଭାରତର ଜାତୀୟତା ଭାବକୁ ଅକ୍ଷୂର୍ଣ୍ଣ ରଖିବା । ଏହି ବିଦ୍ରୋହରେ ସିପାହୀମାନେ ପ୍ରାଣମୂର୍ଚ୍ଛା ସଶସ୍ତ୍ର ସଂଗ୍ରାମ କରିଥିଲେ । ଏହି ବିଦ୍ରୋହର କର୍ଣ୍ଣଧାର ଥିଲେ ନାନା ସାହେବ, ଝାନସୀ ରାଣୀ ଲକ୍ଷ୍ମୀବାଈ, ତାନ୍ତିଆ ଟୋପେ, ଚାଖି ଖୁଂଟିଆ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ।
ଅନ୍ୟ ଏକ ବିଦ୍ରୋହ ହେଲା ପଲ୍ଲାସୀ ଯୁଦ୍ଧ । ସିପାହୀ ବିଦ୍ରୋହର ଠିକ୍ ୧୦୦ବର୍ଷରୁ ଏହି ବିଦ୍ରୋହ ସଂଘଟିତ ହୋଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀର ସେନାପତି ଲର୍ଡ କ୍ଲାଇବ ଓ ବଙ୍ଗର ନବାବ ସିରାଜଉଦୌଲାଙ୍କ ମଧ୍ୟରେ ଏହି ପଲାସୀ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ନବାବ ସିରାଜଉଦୌଲା ପରାସ୍ତ ହୋଇଥିଲେ । ଆଉ ସ୍ୱବର୍ଣ୍ଣ ସୁଯୋଗ ମିଳିଥିଲା ଗୋରା ସରକାରଙ୍କୁ ଭାରତବର୍ଷକୁ ଶାସନ କରବାକୁ । ଏଇ ଯୁଦ୍ଧ ପରଠାରୁ ଇଂରେଜମାନଙ୍କ ମୂଳଦୁଆ ସୁଦୃଢ଼ ହୋଇଥିଲା । ସେତେବେଳେ ଯଦି ଏଇ ମୁଷ୍ଟିମେୟ ଇଂରେଜମାନଙ୍କୁ କରାୟତ କରାଯାଇଥାଆନ୍ତା ତାହାହେଲେ ପୂଣ୍ୟଭୂମି ଭାରତବର୍ଷକୁ ଏତେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିନଥାନ୍ତା ।
ସିପାହୀ ବିଦ୍ରୋହ ପରେ ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ମିଳିବାକୁ ୧୦୦ବର୍ଷରୁ ୧୦ ବର୍ଷ କମ୍ ସମୟ ଲାଗିଥିଲା । ଦେଶ ସ୍ୱାଧୀନତା ହେଲା । ଲାଲକିଲ୍ଲାରେ ଉଡ଼ିଲା ଜାତୀୟ ପତାକା । ସ୍ୱାଧୀନତା ପ୍ରାପ୍ତିରେ ବିଭୋର ହେଲେ ଭାରତବାସୀ । ନୂତନ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି ହେଲା ଭାରତର ଅମ୍ଳାନ ଇତିହାସରେ । ମୂକ ସାକ୍ଷୀ ରହିଲେ ପ୍ରାଣବଳୀ ଦେଇଥିବା ମୁକ୍ତି ସଂଗ୍ରାମୀମାନେ ।
ସତକଥା କହିବାକୁ ଗଲେ ସେବେକାର ଦେଶପ୍ରୀତି ଏବେ ଆଉ ଦେଖିବାକୁ ମିଳୁନାହିଁ । କାହାର ହୃଦୟରେ କାଣିଚାଏ ଦେଶଭକ୍ତି ଆଉ ନାହିଁ । କେବେଠୁଁ ଏ ଭାବ ପ୍ରବଣତାରେ ଭଟ୍ଟା ଦେଖାଦେଇଛି । ସୁତରାଂ କହିବାକୁ ଗଲେ ସ୍ୱାଧୀନତା ଦିବସ ତ ବଂଚିଛି । ଏହି ଦିବସରେ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଫଲ୍ଗୁ ବୋହିଯାଉଛି । ଚତ୍ସହିତ ଚେଇଁଉଠେ ଦେଶ ଓ ଦେଶ । ଭାରତୀୟଙ୍କ ମାନସପଟରେ ଉଙ୍କିମାରନ୍ତି ଗୋଟିଏ ଦିନପାଇଁ ସ୍ୱାଧୀନତା ସଂଗ୍ରାମୀ । ସାରା ଦେଶ ଭାବବିହ୍ୱଳରେ ସ୍ମରଣ କରିବସେ ଭାରତର ହୃତଗୌରବ । ସ୍ୱତଃପୃତ ଭାବେ ବରପୁତ୍ରମାନଙ୍କର ହୁଏ ଜୟ ଜୟକାର । ସ୍ୱାଧୀନତାର ସ୍ୱାଦ ଚଖାଇଥିବା ଜାତିପ୍ରେମୀମାନେ ଏବେ ଆମ ଗହଣରେ ନାହାନ୍ତି ସତ । କିନ୍ତୁ ସେମାନଙ୍କର ପୁଣ୍ୟାତ୍ମା ସାରା ଭାରତବର୍ଷରେ ବିଚରଣ କରୁଛନ୍ତି । ସ୍ୱତଃପ୍ରବୃତ ଭାବେ ସେମାନେ ଚେତାଇ ଦେବାକୁ ଚାହାନ୍ତି ପୁରା ଭାରତବାସୀଙ୍କୁ ତୁମ ମାନଙ୍କ ଗହଣରେ ଆମେ ସର୍ବଦା ଦଣ୍ଡାୟମାନ । ସ୍ୱାର୍ଥକୁ ତ୍ୟାଗ କରି ଦେଶର ପ୍ରଗତି ପଥର ମାଧ୍ୟମ ହୁଏ । ତେଣୁ ତ ଉତ୍କଳ ଗୌରବ ମଧୁସୂଦନ ଦାସ ଲେଖିଛନ୍ତି – “ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥୀ କଲେ । ଟାଣେ କିରେ ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁଖେ ବନ୍ଧା ଥିଲେ । ।”
ଜୟ ହିନ୍ଦ୍, ଜୟ ଭାରତ ମାତା ।