ସ୍ୱାଧୀନତା ଦିବସ ପାଇଁ ସପ୍ତାହାନ୍ତ ସଟଡାଉନ୍ କଟକଣା କୋହଳ
ବାଲେଶ୍ୱର, (ସରୋଜ କୁମାର ପଣ୍ଡା): ସାମ୍ପ୍ରତିକ ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ କଟକଣା ମଧ୍ୟରେ ଚଳିତ ସ୍ୱାଧୀନତା ଦିବସ ପାଳନ ପାଇଁ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ ତାରିଖ ଶନିବାର ସ୍ୱାଧୀନତା ଦିବସ ପାଳନ ପାଇଁ ସପ୍ତାହାନ୍ତ ସଟଡାଉନ୍ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯାଇଛି । ସେହିଦିନ ପୂର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ ଜିଲ୍ଲାବାସୀ ନିଜ ଘରେ ଏବଂ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିପାରିବେ । ତେବେ କୌଣସି ସ୍ଥାନରେ ୧୦ ଜଣରୁ ଅଧିକ ବ୍ୟକ୍ତି ବିଶେଷ ଏକତ୍ର ହୋଇପାରିବେ ନାହିଁ ଏବଂ କୋଭିଡି-୧୯ ନିୟମ ପାଳନ ଯଥା ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର ଓ ଉପଯୁକ୍ତ ବିଶୋଧନ ପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଅନ୍ୟପକ୍ଷରେ ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ପୁଲିସ ପ୍ୟାରେଡ୍ ପଡ଼ିଆରେ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏବର୍ଷ ଓଡ଼ିଶା ସରକାରଙ୍କ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜନସାଧାରଣ ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଏଥରର କାର୍ଯ୍ୟକ୍ରମକୁ ପ୍ରବେଶ ଅନୁମତି ଦିଆ ନ ଯିବାକୁ ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମ ଫଟୋଚିତ୍ର ଓ ଭିଡିଓ ଚିତ୍ର ମିଡିଆକୁ ପ୍ରଦାନ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନର ସଙ୍ଗୀନ କରୋନା ସ୍ଥିତିକୁ ଗୁରୁତ୍ୱ ଦେଇ ସରକାରଙ୍କ ନିୟମ ପାଳନ ପୂର୍ବକ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।


