ସ୍ୱାମୀର ମାଡ଼ରେ ସଂଜ୍ଞାହୀନ ହେଲେ ପତ୍ନୀ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ପରିବାର ଅଦାଲତକୁ ଛାଡ଼ପତ୍ର ମାମଲାରେ ଆସିଥିବା ପତି-ପତ୍ନୀଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଅଦାଲତ ବାହାରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ଟଣାଓଟାରା ଏବଂ ପରେ ସ୍ୱାମୀର ହେଲମେଟ ମାଡ଼ରେ ମହିଳା ଜଣକ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ । ଜନୈକ ସାମ୍ବାଦିକଙ୍କ ପ୍ରଚେଷ୍ଟାରେ ଗୁରୁତର ମହିଳାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଜିଲାମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ଗ୍ରାମର ରତିକାନ୍ତ ପାଣିଗ୍ରାହୀର ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାହାନଗା ଅଞ୍ଚଳର ରଶ୍ମିରେଖା ପାଣିଗ୍ରାହୀଙ୍କର ପ୍ରାୟ ୨୦ ବର୍ଷ ପୂର୍ବରୁ ବିବାହ କରିଥିଲେ । ଉଭୟଙ୍କର ଦୁଇଗୋଟି କନ୍ୟା ସନ୍ତାନ ଅଛନ୍ତି । ତେବେ ଗତ ୫/୭ ବର୍ଷ ପୂର୍ବରୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଗତ ୩ ବର୍ଷ ଧରି ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ସାଙ୍ଗକୁ ଏସଡିଜେଏମ କୋର୍ଟରେ ଯୌତୁକ ନିର୍ଯାତନା ମାମଲା ବି ବିଚାରଧୀନ ରହିଛି । ତେବେ ଆଜି ତାରିଖ ଥିବା ବେଳେ ଉଭୟ ସ୍ୱାମୀ,ସ୍ତ୍ରୀ ପରିବାର ଅଦାଲତକୁ ଆସିଥିଲେ । ଅଦାଲତ ସମ୍ମୁଖରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ରଶ୍ମିରେଖା ସ୍ୱାମୀ ରତିକାନ୍ତର ସାର୍ଟ କଲର ଟାଣିବା ସହ ‘ତୁ ତ ହାଉସ କରୁଛୁ, ମୋ ପାଖରେ ଛାଡ଼ି ଯାଇଥିବା ଦୁଇଝିଅ କେମିତି ଅଛନ୍ତି ବୁଝୁନୁ କାହିଁକି’ ବୋଲି କହିଥିଲେ । ସର୍ବ ସମ୍ମୁଖରେ ପତ୍ନୀର ଏଭଳି ଆଚରଣରେ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ହେଲମେଣ୍ଟରେ ରଶ୍ମିରେଖାଙ୍କ ମୁଣ୍ଡରେ ବାରମ୍ବାର ମାଡ଼ ଦେଇଥିଲା ।ଏଥିରେ ସ୍ତ୍ରୀ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ଉତ୍ତେଜିତ ହୋଇ ରତିକାନ୍ତକୁ ଅଟକିବାକୁ ଚେଷ୍ଟା କରିଥିବା ବେଳେ ନିଜ ଓକିଲଙ୍କ ସହ ସେ ସେଠାରୁ ଉଭାନ ହୋଇଯାଇଥିଲା । ସଂଜ୍ଞାହୀନ ରଶ୍ମିରେଖା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଖବର ପାଇ ସହଦେବଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରକ୍ତିକାନ୍ତକୁ ଖୋଜାଖୋଜି କରିଥିବା ଦେଖିବାକୁ ମିଳିଥିଲା ।