ହରିଶୟନ ଏକାଦଶୀ ଓ ଜିଉମାନଙ୍କର ସୁନାବେଶ

ରଥଯାତ୍ରାପରେ ଆଷାଢ଼ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କୁହନ୍ତି । ଏହିଦିନ ହରିଶୟନୋତ୍ସବ ପାଳିତ ହୁଏ । ସେଦିନ ଚତୁର୍ଥ ପ୍ରହରର ପୂଜାପରେ ତ୍ରିମୂର୍ତ୍ତିଙ୍କ ପାଖରୁ ବିଜୟପ୍ରତିମାମାନଙ୍କୁ ନାନାଦି ଉପହାର ଦିଆଯାଏ । ପ୍ରାସାଦର ଦକ୍ଷିଣଭାଗସ୍ଥ ସୁସଜ୍ଜିତ ମଣ୍ଡପକୁ ନିଆଯାଇ ସେଠାରେ ଦୋଳରେ ଥିବା ପେଟିକାରେ ତିନି ଠାକୁରଙ୍କୁ ବନ୍ଦକରି ନିକଟସ୍ଥ ଗୃହରେ ଚାରିମାସ ଅର୍ଥାତ୍ ଆଷାଢ଼ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିିକ ଶୁକ୍ଳ ଦଶମୀ ଯାଏଁ ସଂରକ୍ଷିତ ରଖାଯାଏ । ଏହାକୁ ନେଇ ଯେଉଁ ଉତ୍ସବ ହୁଏ, ତାକୁ ହରିଶୟନୋତ୍ସବ କୁହନ୍ତି । ଏହା ଶ୍ରୀ କ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ।
ବିଷ୍ଣୁଙ୍କର ଏହି ଚାରିମାସ ଆବଦ୍ଧ ବା ଶୟନ କାଳକୁ ଚତୁର୍ମାସ୍ୟା ସମୟ ବୋଲି କୁହାଯାଏ । ଏହାକୁ ଏକ ଅଶୁଭ କାଳ ବୋଲି ବିବେଚନା କରାଯାଉଥିବାରୁ , ଏଥିରେ କୌଣସି ଶୁଭକାମ ହୁଏ ନାହିଁ । ଅଥଚ ଏହି ସମୟରେ ବିଷ୍ଣୁଙ୍କୁ ଆରାଧନା କଲେ ବାଞ୍ଛିôତ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ । ଚାରିମାସ ଶୟନପରେ କାର୍ତ୍ତିକ ଶୁ୍କ୍ଳ ଦଶମୀ ଦିନ ବିଷ୍ଣୁ ପୁନର୍ବାର ଜାଗ୍ରତ ଅବସ୍ଥାକୁ ଆସନ୍ତି ।
ମଳମାସକୁ ବାଦଦେଲେ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଏ । ତା ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାର୍ଗଶୀର ଶୁକ୍ଳ ଏକାଦଶୀମାନଙ୍କୁ ବଡ଼ ଏକାଦଶୀ କହନ୍ତି । ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀ ।
ଏକାଦଶୀ ପୂର୍ବଦିନ ହବିଷାନ୍ନ ବ୍ରତୀମାନେ ଖାଇଥାନ୍ତି ଏବଂ ଏକାଦଶୀଦିନ ଉପବାସ ପାଳନ କରନ୍ତି । ତେବେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଏହି କାଳରେ ଶାକାହାର କିମ୍ବା ଫଳ ଭୋଜନ ପୂର୍ବକ ପାଳନ କରିଥାନ୍ତି । ଏକଦଶୀ ତଥା ଚତୁର୍ମାସ୍ୟା କାଳରେ ବ୍ରତୀମାନେ ନିରୋଳା ଓ ନିର୍ଜନ ସ୍ଥାନରେ ହରିନାମ ଜପରେ ତପସ୍ୟା କରିପାରନ୍ତି । ଗୃହସ୍ଥମାନେ ନିଜନିଜ ଗୃହରେ ପବିତ୍ରତା ସହ ପାଳନ କରିଥାନ୍ତି ।
ହରିଶୟନ ଏକାଦଶୀକୁ ନେଇ ଏକ କାହାଣୀ ଅଛି । ଏକଦା ସୂର୍ଯ୍ୟବଂଶୀ ରାଜା ମାନଧାତାଙ୍କର ରାଜ୍ୟ ଅଯୋଧ୍ୟାରେ ଅକାଳ ମଡ଼କ ପଡ଼ିଲା । ପ୍ରଜାମାନେ ନାନା ଦୁଃଖରେ ଜୀବନ କଟାଇଲେ ଏବଂ ଭୋକ ଉପାସରେ ମଲେ । ରାଜା ଏହାର ପ୍ରତିକାର ଓ ନିରାକରଣ ପାଇଁ ଅଙ୍ଗିରା ଋଷିଙ୍କୁ ଭେଟିଲେ । ସେ କହିଲେ ଯେ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଛି । ସେ ତାକୁ ବାରଣ କରନ୍ତୁ । ତା’ ହେଲେ ସେ ଏ ଦଶାରୁ ମୁକ୍ତି ପାଇବେ । ଏଥିକୁ ମାନଧାତା କହିଲେ ସେ ତାଙ୍କୁ ବାରଣ କରିପାରିବେ ନାହିଁ । ତା’ର ବି ଈଶ୍ୱରଙ୍କୁ ଭଜିବାର ଅଧିକାର ଅଛି ବରଂ ସେ ତାଙ୍କୁ ଅନ୍ୟ ଉପାୟ ବତାନ୍ତୁ । ରାଜାଙ୍କ ଉତ୍ତରରେ ଅଙ୍ଗିରା ସନ୍ତୁଷ୍ଟ ହୋଇ ହରିଶୟନ ଏକାଦଶୀ ବ୍ରତ ପାଳନ କରିବା ପାଇଁ ପ୍ରବର୍ତ୍ତାଇଲେ ଏବଂ କହିଲେ ଯେ ଏହାଦ୍ୱାରା ବାଞ୍ଛିôତ ଫଳ ପ୍ରାପ୍ତ ହେବ ଏବଂ ସମସ୍ତ ଉପଦ୍ରବମାନେ ଶାନ୍ତି ହେବେ । ଅକାଳ ମୃତ୍ୟୁ ଦୂରେଇ ଯିବ, ରାଜ୍ୟରେ ଯଥା ସମୟରେ ବର୍ଷା ହେବ ଓ ଅରାଜକତା ଦୂର ହେବ ଏବଂ କେବଳ ସେତିକି ନୁହେଁ ଏହିଦିନ ତୁଳସୀ ରୋପଣ ବା ତା’ ବୀଜ ବପନ କଲେ, ବହୁତ ପୂଣ୍ୟ ହୁଏ । ତୁଳସୀ ଗଛ ସ୍ପର୍ଶ ପବନକୁ ବି ଯମଦୂତଙ୍କ ଭୟ । ଯାହା କଣ୍ଠରେ ତୁଳସୀମାଳ ଥାଏ, ତା ଜୀବନ ଧନ୍ୟ ।
ଧର୍ମ କେବେ ବିଜ୍ଞାନ ରହିତ ନୁହେଁ । ଉପବାସ ଶରୀର ପାଇଁ ବିଜ୍ଞାନ ସମ୍ମତ । ତୁଳସୀ ଗଛର ହାୱାରେ ଜୀବାଣୁମାନେ ନାଶ ଯାଆନ୍ତିି । ଏହା ଏକ ପ୍ରାକୃତିକ ବିଶୋଧକ । ତୁଳସୀ ଗଛ ମୂଳର ଜଳ ଏକ ହଜମକାରୀ ଔଷଧ, ଡାଳ ଚର୍ମରୋଗର ନିରୋଧକ ଏବଂ ପତ୍ର କାଶ, ଶର୍ଦ୍ଦି ଏବଂ ଅନ୍ୟାନ୍ୟ ବାୟୁୂବାହିତ ରୋଗର ପ୍ରତିରୋଧକ । ଏହିକଥାକୁ ସର୍ବ ସାଧାରଣଙ୍କୁ ଧର୍ମ ବାକ୍ୟ ମଧ୍ୟରେ ପ୍ରୟୋଗ କରାଯାଇଛି ଯେ ସେମାନେ ଏହା କରନ୍ତୁ । କାରଣ ଆମ୍ଭେମାନେ ଧର୍ମଭୀରୁ । ଗୋଲକ ଦାସଙ୍କ ଭାଷାରେ :
ମୂଳେ ତୋର ଗଙ୍ଗା , ଡାଳେ ତୋର ବିଷ୍ଣୁ,
ପତ୍ରେ ଦେବତାଙ୍କ ବାସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ