‘ହର୍ ଘର୍ ଜଲ’ ଯୋଜନାର ସୁଫଳ ଲୋକଙ୍କ ଠାରେ ପହଂଚାଇବାକୁ ନିର୍ଦ୍ଦେଶ ଦେଲେ ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ନିର୍ବାଚନମଣ୍ଡଳୀର ଗାମଂଚଳରେ ପାନୀୟ ଜଳ ଯୋଗାଣକୁନ ନେଇ ଦେଖାଦେଇଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଅଧିନରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ଓ ସ୍ୱଚ୍ଛତା ଡିଭିଜନର ସ୍ଥାନୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଗ୍ରାମଂଚଳର ଜନସାଧାରଣଙ୍କୁ ପନୀୟ ଜଳ ଯୋଗାଣରେ ବିଭାଗୀୟ ସ୍ଥାଣୁତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ଅନୁଦାନରେ କାର୍ଯ୍ୟାନ୍ୱିତ ହେଉଥିବା ‘ହର୍ ଘର୍ ଜଲ’ ଯୋଜନାରେ ବ୍ୟାପକ ଅନୀୟମିତତା ହୋଇଥିବା ନେଇ ସଂଖ୍ୟାଧିକ ଅଭିଯୋଗ ଉପରେ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଭୂତଳ ଜଳସ୍ତର ସଠିକ ଭାବେ ନିରୂପଣ ହୋଇନଥିବାରୁ ବିଭିନ୍ନ ପଂଚାୟତରେ ଜଳଉତ୍ସରୁ ପାଣି ବାହାରିବା ବନ୍ଦ ହୋଇଯାଇଛି । ନିମ୍ମ ମାନର କାର୍ଯ୍ୟ ଯୋଗୁଁ ଘରକୁ ଘର ବିଛା ଯାଇଥିବା ପାଇପ୍ ଫାଟି ପାଣି ନଷ୍ଟ ହେଉଛି । ବିଗତ ସରକାର ଅମଳରେ ଦଳୀୟ ଚାପରେ ପଡି ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଜଳ ଉତ୍ସ ସ୍ଥାପନ କରାଯାଇଛି । ପଂଚାୟତରେ ନିର୍ମାଣ ହୋଇଥିବା ଓଭର ହେଡ୍ ଟାଙ୍କିରେ ବିଶୁଦ୍ଧ ପାଣି ରହିବା ନେଇ ସମସ୍ୟା ଦେଖାଦେଉଛି । ତେବେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଯୋଗାଣ ଲକ୍ଷ୍ୟ ହାସଲ ଠାରୁ ବିଭାଗ ବହୁ ଦୁରରେ ଥିବାକୁ ନେଇ ବିଧାୟକ ଶ୍ରୀ ଦତ୍ତ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟରେ ସମ୍ପ୍ରତି ପାରଦର୍ଶୀ ସରକାର ଗଠନ ହୋଇଥିବା ବେଳେ ଜନସାଧାରଣଙ୍କୁ ପ୍ରତ୍ୟେକ ଯୋଜନାର ସୁଫଳ ପହଂଚାଇବାକୁ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ ପାଇଁ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ୍ କରିଥିଲେ । ସମୟସୀମା ଯୋଜନା ମାଧ୍ୟମରେ ଗ୍ରାମଂଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାର ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ସ୍ଥାନରେ ଭୂତଳ ଜଳସ୍ତର ହ୍ରାସ ହୋଇଛି ସେଠାରେ ପୁନଃ ସଠିକ ସର୍ଭେ ସହ ଖନନ କରିବାକୁ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଓ ସ୍ୱଚ୍ଛତା ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ସମୀର ଦେଙ୍କ ସମେତ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ରହି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ସଦର ନିର୍ବାଚନମଣ୍ଡଳୀରେ ପାନୀୟ ଜଳ ଯୋଗାଣର ବାସ୍ତବିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ରବି ନାରାୟଣ ପ୍ରଧାନ, ବନିତା ଭୂୟାଁ, ଜିତେନ ଜେନା, ସମିତି ସଭ୍ୟ ରବୀନ୍ଦ୍ର ଜେନା, ଅଞ୍ଜନ ପରିଡା, ରଶ୍ମିତା ନାୟକ, ସର୍ବେଶ୍ୱର ମହାନ୍ତି, ତପନ ଗିରି, କାର୍ତ୍ତିକ ରାଉତ, ଅନିଲ ପାତ୍ର, ବିଜୟ ଦାସ, ହରେନ୍ଦ୍ର ପ୍ରଧାନ, ପିଣ୍ଟୁ ନାୟକ, ଅଶୋକ ଦାସ, ପିତାମ୍ବର ଭୂୟାଁ, ଲକ୍ଷ୍ମୀଧର ମନ୍ତ୍ରୀ, ଭାଗ୍ୟଧର ଦାସ, କାହ୍ନୁ ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ବସନ୍ତ ପ୍ରଧାନ, ଅରବିନ୍ଦ ଜେନା, ବିଷ୍ଣୁ ଧିଣ୍ଡା, ସତ୍ୟ ଜେନା, ସୁଶୀଲ ମଣ୍ଡଳ, ସଞ୍ଜୟ ମଣ୍ଡଳ, ରଶ୍ମିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।