ହାଇୱା ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ଗତକାଲି ଅପରାହ୍ନରେ ଅଣାଛକ ନିକଟରେ ଏକ ହାଇୱା ଡ଼କ୍କାରେ ଆହତ ହୋଇ ଚିକିତ୍ସାପାଇଁ କଟକ ବଡଡାକ୍ତରଖାନାକୁ ଯାଇଥିବା ଶାସଙ୍ଗ ଗ୍ରାମର ବୈକୁଣ୍ଠ ପାତ୍ରଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ବୈକୁଣ୍ଠଙ୍କ ମୃତଦେହ ତାଙ୍କ ଶାସଙ୍ଗ ଗ୍ରାମରେ ପହଞ୍ଚିବାପରେ ଶହଶହ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ମୃତଦେହକୁ ନେଇ ଗାଁ ଶ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରିଛନ୍ତି । ଆନନ୍ଦପୁର-ଭଦ୍ରକ ରାସ୍ତାରେ ଦ୍ରୁତଗତିରେ ଭାରିଯାନ ଚଳାଚଳ ଯୋଗୁଁ ନିୟମିତ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନୀ ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦିନରେ ଭାରିଜାନ ଚଳାଚଳ ବନ୍ଦ ନିମନ୍ତେ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ହେଉ ନଥିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାସହ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା । ଆନନ୍ଦପୁରର ଭାରପ୍ରାପ୍ତ ଏସ.ଡି.ପି.ଓ ରବିନ୍ଦ୍ର ମଲ୍ଲିକ, ନନ୍ଦିପଦା ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା । ଆଜି ତହସିଲ ପକ୍ଷରୁ ମୃତ ବୈକୁଣ୍ଠଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି । ଏଠାର ସୁଚନାଯୋଗ୍ୟ ଯେ ଶାସଙ୍ଗ ଗ୍ରାମର ବୈକୁଣ୍ଠ ପାତ୍ର ନାମକ ଜଣେ ଯୁବକ ଘରେ ବରା ନିମିକି ପ୍ରସ୍ତୁତ କରି ଭାରରେ ଧରି ଗାଁଗାଁ ବୁଲି ତେଲଭାଜି ବେପାର କରି ତାଙ୍କର ୫ଜଣ ପରିବାର ପ୍ରତିପୋଷଣ କରେ । ଗତକଲି ଅପରାହ୍ନ ୪ଟାବେଳେ ସେ ଗାଁ ବୁଲି ଚାଲି ଚାଲି ଫେରିବାବେଳେ ଅଣା ଛକ ନିକଟରେ ଓଡି୨୨ଜେ ୧୧୭୭ ନମ୍ବର ବିଶିଷ୍ଟ ହାଇୱା ଗାଡିଟି ଭଦ୍ରକ ପଟୁ ଦ୍ରୁତଗତିରେ ଆସୁଥିବାବେଳେ ବୈକୁଣ୍ଠକୁ ଧକ୍କା ଦେଇଥିଲା । ଏପରିକି ୨୦୦ମିଟର ଦୁର ପର୍ଯ୍ୟନ୍ତ ଘୋଷାରି ଘୋଷାରି ନେଇଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ବୈକୁଣ୍ଠକୁ ଗାଡିତଳୁ ଉଦ୍ଧାର କରି ଦମକଳ ସହଯୋଗରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।