ହାଟଡ଼ିହିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ହୋଇଯାଇଛି। ହାଟଡ଼ିହି ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର କୁମାର ପୃଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ଗୌରୀମଣୀ ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ସାମାଜିକ ଅଧିକାରୀ ବିପ୍ଳବ ସାମନ୍ତରାୟ ପ୍ରମୁଖ ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶିବିରକୁ ମୋଟ ୨୦୬ଟି ଅଭିଯୋଗ ଆସିଥିଲା ବେଳେ ସେଥ‌ିରୁ ଗ୍ରାମୀଣ ଗୃହ ନିର୍ମାଣ, ଜମିଜମା ସଂକ୍ରାନ୍ତ ସହ ଶ୍ରମିକ କାର୍ଡ଼ ସମସ୍ୟା ସଂକ୍ରାନ୍ତରେ ଅର୍ଦ୍ଧାଧିକ ଅଭିଯୋଗ ଆସିଥିଲା । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅନେକ ହିତାଧିକାରୀ ଗୃହ ନିର୍ମାଣ କରି ବକେୟା ଅର୍ଥ ପାଉନଥିବା ଅଭିଯୋଗ ହୋଇଥିଲା । ଅନ୍ୟାନ୍ୟ ଅଭିଯୋଗ ମଧ୍ୟରେ ବିଭିନ୍ନ ଭତ୍ତା, ରାସନକାର୍ଡ଼, କୃଷି, ଜଳଯୋଗାଣ, ପ୍ରାଣୀବିଭାଗ ଆଦି ବିଭାଗରୁ ଅଭିଯୋଗ ଦାଖଲ ହୋଇଥିଲା । ଶିବିରକୁ ଆସିଥିବା ଦିବ୍ୟାଙ୍ଗଙ୍କ ମଧ୍ୟରେ ୨ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ମିଳିଛି। ଏଥିସହ ଏଲକଣା ସ୍କୁଲର ୪ଜଣ ଶିକ୍ଷୟିତ୍ରୀ କାର୍ଯ୍ୟାଳୟ ଦିବସରେ ପିଲାଙ୍କୁ ଧରି ଜିଲ୍ଲା ବାହାରକୁ ବୁଲିବାକୁ ଯାଇଥିବା ନେଇ ଗୁହାଳଗଡ଼ିଆ ଗ୍ରାମର ନିରାକାର ପରିଡ଼ା ପ୍ରକୋଷ୍ଠରେ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ବଦରମ୍ପାସ ଗ୍ରାମରେ ଥିବା ୧ନଂ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନଥିବା ବେଳେ ତାହା ଅଙ୍ଗନବାଡ଼ି କର୍ମୀ ଙ୍କ ବାସଗୃହରେ ଚାଲୁଥିବାରୁ ନାନା ଅସୁବିଧା ଉପୁଜୁଥିବା ନେଇ ସରପଞ୍ଚ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘ ୨୦ବର୍ଷଧରି ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଦାବି ହେଉଥିଲେ ବି ପ୍ରଶାସନ ଶୁଣୁ ନଥିବା ନେଇ ଅଭିଯୋଗ କରିଥିଲେ। ସେହିପରି ଦୀର୍ଘବର୍ଷ ପୂର୍ବେ ଚାକିରୀରୁ ଚଞ୍ଚକତା କରି ଆଇତିପୁର ପଞ୍ଚାୟତ ହାଇସ୍କୁଲରୁ କିରାଣୀ ସୁଶାନ୍ତ ଦାସ ଓ ସଂସ୍କୃତ ଶିକ୍ଷକ ନିରଞ୍ଜନ ବରାଳଙ୍କୁ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ବହିଷ୍କୃତ କରିଥିବା ନେଇ ୨ପୀଡ଼ିତ ଲିଖିତ ପତ୍ର ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟାନ୍ୟ ବିଭାଗ ମଧ୍ୟରେ ବନବିଭାଗର ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ, ବନପାଳ ମଳୟ ସାହୁ, ହାଟଡ଼ିହି ଶିକ୍ଷାଧିକାରୀ ଓମକାର ଅନ୍ଵେଷ, ସହ ଶିକ୍ଷାଧିକାରୀ ପ୍ରମୋଦ ନାୟକ, ବିଦ୍ୟୁତ ବିଭାଗ, ଜଳଯୋଗାଣ ବିଭାଗ, ହାଟଡ଼ିହି ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା, ଜିଲ୍ଲା ଶ୍ରମ ଅଧିକାରୀ, ହାଟଡ଼ିହୀ ଶିଶୁ ବିଭାଗର ସିଡ଼ିପିଓ, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ। ଏଥିରେ ବ୍ଲକ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ