ହାଟଡିହିରେ ଶିକ୍ଷାବିଭାଗର ବିକଳ ଚିତ୍ର, ହେଉନି ସ୍ୱାୟୀ ବି.ଇ.ଓ ନିଯୁକ୍ତି
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକରେ ସ୍ଥାୟୀ ବି.ଇ. ଓ ନିଯୁକ୍ତି ହେଉନଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗତ ୮ ମାସ ହେଲା ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଢେଇ ଚାକିରିରୁ ଅବସର ନେବା ପରେ ଅନ୍ୟ କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଆନନ୍ଦପୁର ବି.ଏନ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବି.ଏନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିବା ସହିତ ଏ ବ୍ଳକର ଶିକ୍ଷା ଅଧିକାରୀ ଦାୟିତ୍ଵ ନିର୍ବାହ କରୁଥିବାରୁ ସ୍କୁଲ ପରିଦର୍ଶନ କରିବା ସମ୍ଭବପର ହେଉନି। ଖାଲି ସେତିକି ନୁହିଁ ବ୍ଲକର ୩ଜଣ ଏବିଇଓ ଙ୍କମଧ୍ୟରୁ ଦୀର୍ଘମାସ ହେବ ଦୁଇଜଣ ଏବିଇଓ ଅବସର ନେଇଯାଇ ଥିବାରୁ ଜଣେ ଏ.ବି.ଇ.ଓ ତଥା ବିଆର ସି.ସି ଅଛନ୍ତି। ସେ କେବଳ ଅଫିସ କାମ ବ୍ୟତିତ ସ୍କୁଲ ତଦାରଖ କରିବା ସମ୍ଭବ ହେଉନି। ଫଳରେ ଅନେକ ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥାରେ ନାନା ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଅନେକ ବିଦ୍ୟାଳୟରେ ଶିକ୍ଷକ ମାନେ ମନ ଇଚ୍ଛା ସ୍କୁଲ ଯାଉଥିବାବେଳେ ଆଉ କିଛି ସ୍କୁଲ ନଯାଇ ଛକ ବଜାରରେ ବୁଲୁଥିବା ଦେଖିବାକୁ ମିଳିଛି। ବ୍ଲକରେ ୨୬୦ଟି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୪୭ଟି ଉଚ୍ଚବିଦ୍ୟାଳୟ ରହିଛି। ୨୬୦ଟି ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୮୬୫୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪୭ଟି ଉଚ୍ଚବିଦ୍ୟାଳୟରେ ୪୭୪୧ ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ୭୦୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟୟନରତ ଅଛନ୍ତି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଯେ ୨୬୦ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୧୦ଟି ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ସେଥିମଧ୍ୟରୁ ପଦୋନ୍ନତି ହେଉ ନଥିବାରୁ ୭୫ଟି ଲେବୁଲ- ୩ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହୋଇ ପାରୁନି। ଶହେରୁ ଉର୍ଦ୍ଧ ଶିକ୍ଷକ ପଦବୀ ଖାଲିପଡିଥିବା ବେଳେ ଚଳିତ ଥର ୫୭ ଜଣ ନୁତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯିବାର ଥିଲା। କିନ୍ତୁ ୪୧ଜଣ ନୂତନ ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୧୬ଜଣ ଆଜି ପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି। ଯାହା ଦ୍ଵାରା ବ୍ଲକରେ ୧୦ରୁ ଉର୍ଦ୍ଧ ସ୍କୁଲ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି।