ହାଟଡିହି ଡାକ୍ତରଖାନାକୁ ଅପଗ୍ରେଡେଡ କରିବାକୁ ଦାବି ଜୋର ଧରିଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ହାଟଡିହି ଏରିଆ ହସପିଟାଲକୁ ଅପଗ୍ରେଡଡ କରିବାକୁ ଦାବି ଜୋର ଧରିଛି । ଏହି ଡାକ୍ତରଖାନାଟି ଉପରେ ହାଟଡିହି ବ୍ଲକର ହାଟଡିହି, ଶାସଙ୍ଗ, ପନ୍ଦାଡୋ, ବଞ୍ଚୋ, ଅକରୁଆ, ମରୈଗାଁ, ସଢ଼ା, ଇଞ୍ଚୋଳ ଆଦି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଏହି ଡାକ୍ତରଖାନାଟି ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥ କଡରେ ଅବସ୍ଥିତ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶୀକାର ହୋଇ ରୋଗୀମାନେ ଚିକିତ୍ସା ପାଇଁ ଧାଇଁ ଆସିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏଠାରେ ଦୀର୍ଘବର୍ଷ ହେବ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସୁବିଧା ନପାଇ ରୋଗୀମାନେ ନିରାଶ ହୋଇ ଅନ୍ୟ ଡାକ୍ତରଖାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି । ପୁର୍ବରୁ ଏହି ଡାକ୍ତରଖାନାରେ ନିୟମିତ ଦୁଇଶହରୁ ଉର୍ଦ୍ଧ ରୋଗୀଙ୍କ ଲମ୍ବା ଧାଡି ଲାଗୁଥିବାବେଳେ ଜଣେ ମାତ୍ର ଡାକ୍ତର ସମସ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ସେହି ଡାକ୍ତରଙ୍କ ବଦଳି ହୋଇଯିବା ପରଠାରୁ ଡାକ୍ତରଖାନାଟି ଡାକ୍ତର ବିହୀନ ହୋଇପଡିବା ସହ ଏଠାରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଯାଇଛି । ସେହିପରି ରାତିରେ ଅନେକ ଦୁର୍ଘଟଣାର ଶୀକାର ହୋଇ ଅନେକ ରୋଗୀ ଆସୁଥିଲେବି ଡାକ୍ତର ନଥିବାରୁ ଉପଖଣ୍ଡ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି ସାଧାରଣ ରୋଗୀମାନେ ଥଣ୍ଡା, ଜ୍ୱରରେ ପିଡିତ ହୋଇଥିଲେବି ବାଧ୍ୟହୋଇ ଦୁର ଦୁରାନ୍ତ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । କେବଳ ଜଣେ ଫାର୍ମାସିଷ୍ଟ ଓ କିଛି କର୍ମଚାରୀଙ୍କୁ ନେଇ ଡାକ୍ତରଖାନାଟି ଖୋଲା ରହୁଥିଳେବି ଚିକିତ୍ସା ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଡାକ୍ତରଖାନାଟି ବ୍ଲକର କେନ୍ଦ୍ରସ୍ଥଳରେ ଥିବାବେଳେ ଏଠାକୁ ସମସ୍ତ ଅଞ୍ଚଳରୁ ଗମନାଗମନର ସୁବିଧା ଅଛି । ନିକଟରେ ବ୍ଲକ, ତହସିଲ, ବ୍ୟାଙ୍କ, କୋର୍ଟ କଚେରୀ ପ୍ରଭୃତି କାର୍ଯ୍ୟାଳୟ ଥିବାବେଳେ ଏହି ଡାକ୍ତରଖାନାକୁ ଏକ ସିଏଚସି ନଚେତ ଅପଗ୍ରେଡେଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କରିବାପାଇଁ ଆବଶ୍ୟକ ଭିତ୍ତିଭୁମୀ ମଧ୍ୟ ରହିଛି । ତେଣୁ ଏହାକୁ ତୁରନ୍ତ ଅପଗ୍ରେଡେଡ କରିବାସହିତ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି କରିବାପାଇଁ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର ଜେନା, ଶାସଙ୍ଗ ସରପଞ୍ଚ ମଧୁମିତା ବିଶ୍ୱାଳ, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ ସେଠୀ, ଇଞ୍ଚୋଳ ସରପଞ୍ଚ ସସ୍ମିତା ମହାପାତ୍ର ପ୍ରମୁଖ ଦାବି ଜଣାଇବା ସହିତ ଏନେଇ ପଞ୍ଚାୟତ ସମିତି ବୈଠକରେ ଏକ ରେଜୁଲେସନ ପାରିତ କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଛନ୍ତି । ଏନେଇ ଏକ ପ୍ରତିନିଧିଦଳ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଭେଟି ଦାବି ଉପସ୍ଥାପିତ କରିବେ ବୋଲି ନିଷ୍ପତି ନେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ