ହାଟଡିହି ତହସିଲ ରେ ଜମି ହଡପ ଅଭିଯୋଗ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ ସରକାର ଦୁର୍ନୀତିମୁକ୍ତ ଶାସନ ଚଳାଉଛନ୍ତି ବୋଲି ବାହାବା ନେଉଥିବାବେଳେ ହାଟଡିହି ତହସିଲରେ କିଛି କର୍ମଚାରୀଙ୍କ ମନମାନି ଯୋଗୁଁ ତହସିଲରେ ଅରାଜକତା ଦେଖାଦେଇଛି । କିଛି କର୍ମଚାରୀ  ତହସିଲରେ ବ୍ୟାପକ ଅବ୍ୟବସ୍ଥା ଓ ଜାଲିଆତି ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ମାନ ହୋଇ ଆସୁଥିଲେବି ଜିଲ୍ଲା ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇ ଦୁର୍ନିତିଗ୍ରସ୍ଥ କର୍ମଚାରୀ ମାନଙ୍କୁ ଘଣ୍ଟ ଘୋଡାଇ ପ୍ରୋତ୍ସାହନ ଯୋଗାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମରୈଗାଁ ରାଜସ୍ୱ ସର୍କଲ ଅଧିନସ୍ଥ ଶାସଙ୍ଗ ଗ୍ରାମର କିର୍ତ୍ତନ ବିହାରୀ ସୁବୁଦ୍ଧିଙ୍କ କ୍ଷେତ୍ରରେ । ସେ ଗୋଟିଏ ପ୍ଲଟରୁ କିଛି ପରିମାଣର ଜମିକୁ ଥରେମାତ୍ର ବିକ୍ରି କରିଥିବାବେଳେ ତାକୁ ତହସିଲର କିଛି କର୍ମଚାରୀ ଚଞ୍ଚକତା କରି ଦୁଇ ଦୁଇଥର ବିକ୍ରୀ କରାଯାଇଥିବା ଦର୍ଶାଇ ଦୁଇଟି ପଟ୍ଟା କରିଦେଇଛନ୍ତି । ଫଳରେ ଜମି ମାଲିକ ଜଣକ ବିକ୍ରୀ ଜମିଠାରୁ ଦୁଇଗୁଣ ଜମି ହରାଇ ତହସିଲଦାରଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରୀ କରି ଚାଲିଥିଲେବି କୌଣସି ସୁଫଳ ମିଳି ପାରୁନି ବୋଲି ଅଭିଯୋଗ କରିଛନ୍ତି । କିର୍ତ୍ତନଙ୍କ ଅଭିଯୋଗ ଅନୁଯାଇ ୧୯୯୩ ମସିହାରେ ସେ ତାଙ୍କ ଖାତା ନଂ୨୦୦ ପ୍ଲଟ ନଂ ୧୫୭୬ର ମୋଟ ୨୦ଡିସିମିଲ ଜମିରୁ ୮.୫ଡିସିମିଲ ଜମି ୯୪୭ କବଲା ବଳରେ ସେହି ମୈାଜାର ବୈଷ୍ଣବ ସୁବୁଦ୍ଧିଙ୍କୁ ବିକ୍ରୀ କରିଥିଲେ । ଯାହାକି ମିୟୁଟେସନ କେସନଂ ୩୪୪୩ ରେ କ୍ରେତାଙ୍କ ନାମରେ ୯ଡିସିମିଲ ଜମି ପଟ୍ଟା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ କୌଣସି ଜମି ବିକ୍ରୀ କରିନଥିବାବେଳେ ୨୦୧୭ରେ ସେହି ୯୪୭କବଲାକୁ ଦର୍ଶାଇ କେସ୯୮୩/୨୦୧୭ ବଳରେ ପୁନର୍ବାର ୮.୫୦୦ଡିସିମିଲ ଜମି ଅନ୍ୟ ଲୋକଙ୍କ ନାମରେ ବିକ୍ରୀ ହୋଇଥିବା ଦର୍ଶାଯାଇ ପଟ୍ଟା ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଜାଣିବାପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ତହସିଲଦାରଙ୍କୁ ଭେଟି ପଚାରିବା ପରେ ତତ୍‌କାଳୀନ ତହସିଲଦାର ସମସ୍ତ ରେକର୍ଡପତ୍ର ଭେରିଫାଏ କରିବାପରେ ସେହି ୯୪୭ କବଲା ବଳରେ ଦୁଇ ଦୁଇଟି ପଟ୍ଟା ହୋଇଥିବା ଜାଣିବାକୁ ପାଇଥିଲେ । ତାଙ୍କ କର୍ମଚାରୀଙ୍କ ଭୁଲ ଯୋଗୁଁ ହୋଇଥିବା ସ୍ୱୀକାର କରିବା ସହିତ ଏଥିପାଇଁ ଟିକେ ସମୟ ଲାଗିବ ତୁମ ଜମି ତୁମେ ଫେରି ପାଇବ ବୋଲି କହିଥିଲେ । କିନ୍ତୁ ଦୁଇବର୍ଷ ହେଲା କିର୍ତ୍ତନ ସୁବୁଦ୍ଧି ତହସିଲ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନି । ଏପରିକି ସେ ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିବାପରେ ଜିଲ୍ଲାପାଳ ଏହାକୁ ସଂଶୋଧନ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ । ସେ ଜଣେ ଅତି ଗରିବ ଶ୍ରେଣୀରପ୍ରଜା ହୋଇ ଥିବାରୁ ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ମାଲି ମୋକଦମା କରିବାକୁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିବା ସେ କରିଛନ୍ତି । ତହସିଲର ଲାଞ୍ଚୁଆ କର୍ମଚାରୀ ମାନେ ଭୁଲ କରିବେ ମୁଁ କଣପାଇଁ ତଣ୍ଡ ଗଣିବି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଗରିବ କିର୍ତ୍ତନଙ୍କ ଗୁହାରୀ ଶୁଣିଲେ ବିଚରା ତାର ଜମିତକ ଫେରି ପାଇପାରିବ ବୋଲି ସେ ନିବେଦନ କରିଛନ୍ତି । ଖାଲି ଜଣେ କିର୍ତ୍ତନ ନୁହଁନ୍ତି ଏହିପରି ଅନେକ ଲୋକ ଏହି ତହସିଲରେ ଏହିପରି ଠକାମିର ଶୀକାର ହୋଇଥିବା ଅଭିଯୋଗ ହୋଇ ଆସୁଛି । ଏହିପରି ଦୁର୍ନିତିଗ୍ରସ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ