ହାଟଡିହି ବ୍ଲକରେ ଭତ୍ତା ବିବାଦ ତୁଟୁନି
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଭତ୍ତା ବିବାଦ ତୁଟିବାର ନାଁ ଧରୁନି । ପ୍ରତିଦିନ ଶହଶହ ହିତାଧିକାରୀ ଦୁର ଦୁରାନ୍ତରୁ ଆସି ବ୍ଲକ କାର୍ଯ୍ୟାଳୟରେ ଭିଡ ଜମାଉଛନ୍ତି । ସେମାନଙ୍କ ଭିତରୁ କିଛିକାଶଂ ହିତାଧିକାରୀଙ୍କ ସମସ୍ୟାର ସମାଧାନ କରାଯାଉଥିବାବେଳେ ଆଉ କିଛି ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହି ଆସିଛନ୍ତି । ଆଜି ଡିମିରିଆ, ପନ୍ଦାଡୋ, ସମଣା, ହାବଳେଶ୍ୱର, ସୋସୋ, କାନପୁର ଆଦି ଗ୍ରାମରୁ ୨୦ରୁ ଉର୍ଦ୍ଧ ହିତାଧିକାରୀ ୬/୭ମାସ ହେଲା ଭତ୍ତା ପାଉନଥିବା ଅଭିଯୋଗ କରି ବ୍ଲକରେ ବସିରହିଥିଲେ । ତରଭା ଗ୍ରାମର ରଥ ବାରିକ ନାମକ ଜଣେ ବୃଦ୍ଧ ୬ମାସ ହେଲା ଭତ୍ତା ନପାଇ ଅତି ଦୁଖଃ କଷ୍ଟରେ ଦିନ କାଟୁଥିବାବେଳେ ପନ୍ଦାଡୋ ଗ୍ରାମର ଶିରମଣୀ ତ୍ରିପାଠୀ ୮ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି । ଶିରମଣୀ ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡୁଥିଲେବି କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ସେହିପରି ବ୍ରାହ୍ମଣୀକଳା ଗ୍ରାମର ବିମ୍ବାଧର ଜେନା ୫ମାସ ହେଲା ଭତ୍ତା ପାଉନଥିବାବେଳେ ଡିମିରିଆ ଗ୍ରାମର ସଂଯୁକ୍ତା ପ୍ରଧାନ ୪ମାସ ହେଲା, ବକିଟି ରାଉଳ ୪ମାସ ହେଲା, ସୋସୋ ଗ୍ରାମର ବବୁଲ ଜେନା ୮ମାସ ହେଲା, କାନପୁର ଗ୍ରାମର ମମତାରାଣୀ ସେଣ ୫ମାସ ହେଲା, ଶାଳଣିଆଁର ମାଳତୀ ଜେନା ୪ମାସ ହେଲା, ପନ୍ଦାଡୋ ଗ୍ରାମର ସୁକାନ୍ତୀ ଜେନା ୬ମାସ ହେଲା ଭତ୍ତା ପାଉନଥିବା ଅଭିଯୋଗ କରି କାର୍ଯ୍ୟାଳୟ ସମ୍ମୁଖରେ ବସିରହିଥିଲେ । ଭତ୍ତା ନଦେଲେ ଉଠିବୁ ନାହିୁଁ ବୋଲି ଜିଦରେ ଥିବାବେଳେ ବ୍ଲକ କର୍ମଚାରୀ ମାନେ ବୁଝାସୁଝା କରି ଉଠାଇଥିବା ଜଣାଯାଇଛି ।