ହାତୀଓଟ ଜରାଶ୍ରମ ଅନ୍ତେବାସୀ ଓ ଗରିବ ଲୋକଙ୍କୁ ବିଧାୟକଙ୍କ ବସ୍ତ୍ର ପ୍ରଦାନ
ପୋଲସରା, (ଅନିଲ କୁମାର ମହାରଣା):କୁମାର ପୂର୍ଣ୍ଣିମା ଦିନ ନୂତନ ବସ୍ତ୍ର ପରିଧାନ କରି ଜହ୍ନଙ୍କୁ ଲିଆ ଫୋପାଡିବା ଓଡ଼ିଆ ଜାତିର ଏକ ପାରମ୍ପରିକ ପର୍ବ। ଧନୀ, ଗରିବ ସମସ୍ତେ ଏହି କୁମାର ପୂର୍ଣ୍ଣିମା ଦିନ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ତଥାପି ଏହିପରି କେତେ ବ୍ୟକ୍ତି ଅଛନ୍ତି ଯେଉଁମାନେ ନୂତନ ବସ୍ତ୍ର କିଣିବା ପାଇଁ ଅସମର୍ଥ।ସେହିପରି ବ୍ୟକ୍ତିମାନଙ୍କୁ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ନୂତନ ବସ୍ତ୍ର ପ୍ରଦାନ କରିଥାନ୍ତି। କୁମାର ପୂର୍ଣ୍ଣିମା ଦିନ ପୂର୍ବାହ୍ନରେ ମାନ୍ୟବର ବିଧାୟକ ଶ୍ରୀ ସାହୁ ନିଜ ହାତରେ ୨୦୧୨ ମସିହା ଅଗଷ୍ଟ ୧୫ ତାରିଖ ଦିନ ଗଢିଥିବା ହାତୀଓଟ ଜରାଶ୍ରମର ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ଆଜିର ସମାଜରେ ବୃଦ୍ଧ, ବୃଦ୍ଧା ପିତାମାତାଙ୍କୁ ସନ୍ତାନମାନେ ଅଣଦେଖା କରିଥିବା ବେଳେ ସେହିଭଳି ନିରାଶ୍ରୟ ମାନଙ୍କୁ ହାତୀଓଟ ଜରାଶ୍ରମରେ ଆଶ୍ରୟ ଦେଇ ଶାନ୍ତିରେ ରଖିପାରିଛନ୍ତି। ସନ୍ଧ୍ୟାରେ ବିଧାୟକ ଶ୍ରୀକାନ୍ତ ସାହୁ ହାତୀଓଟ ସ୍ଥିତ ନିଜ ବାସଭବନରେ ଗରିବ ମହିଳା, ପୁରୁଷ, ବୃଦ୍ଧ, ବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରିଥିଲେ । ବିଧାୟକଙ୍କ ପିତା ଗଙ୍ଗାଧର ସାହୁ , ପୁତ୍ର ରାହୁଲ ସାହୁ, ଝିଅ ସୋନିଆ ଓ ପତ୍ନୀ ଗୋଲାପ ସାହୁ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ କୁମାର ପୂର୍ଣ୍ଣିମା ଅବସରରେ ଗରିବ ବ୍ୟକ୍ତିଙ୍କୁ ନୂତନ ବସ୍ତ୍ର ସହିତ ପୂର୍ଣ୍ଣିମା ଖର୍ଚ୍ଚ ପ୍ରଦାନ କରିଥିଲେ । ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଲୋକ ପୂର୍ଣ୍ଣିମା ଖର୍ଚ୍ଚ ସହ ନୂତନ ବସ୍ତ୍ର ପାଇବା ଦ୍ୱାରା ଖୁସି ପ୍ରକଟ କରିଥିଲେ । ବିଧାୟକ ଶ୍ରୀ ସାହୁ ନିଜର ରାଜନୈତିକ ଜୀବନର ପ୍ରଥମ ପାହାଚ ସରପଞ୍ଚ ହେବା ଠାରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ଉପନଗରପାଳ ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋତିରାମ ସାହୁ, ନରେନ୍ଦ୍ର ଦେବତା, ନଗର ସଭାପତି ରଞ୍ଜିତ ସାହୁ, ଶାନ୍ତନୁ ବଢେଇ, ସୂର୍ଯ୍ଯନାରାୟଣ ପାଢ଼ୀ, ପଞ୍ଚୁ ଦାସ, ଅରୁଣ ସାହୁ, କାହ୍ନୁ ଚରଣ ସାହୁ, ସତ୍ଯନାରାୟଣ ବେହେରା, ପ୍ରତାପ ସାହୁ ସମେତ ବହୁ ସରପଞ୍ଚ ସମିତି ମେମ୍ବର ଓ ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


