ହାତୀ ଅତୀତ,ବର୍ତମାନ ଓ ଭବିଷ୍ୟତ
ଭାରତୀୟ ଇତିହାସରେ ହାତୀମାନେ ଯୁଗେ ଯୁଗେ ଏଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଛନ୍ତି । ଏମାନେ ଏ ମାଟିର ପରମ୍ପରା, କାହାଣୀ, କିମ୍ବଦନ୍ତୀ ଓ ସଂସ୍କୃତି ସହିିତ ସଂଶ୍ଲିଷ୍ଟ । ଏହାର ବିଶାଳ ଆକାର, ବିଚିତ୍ର ଥୋଡ଼ ବା ଶୁଣ୍ଢ, ଆଶ୍ଚର୍ଯ୍ୟଜନକ ଦେହର ଗଣ୍ଡି ଓ ପ୍ରସିଦ୍ଧ ଧୀଶକ୍ତି ଏହାକୁ ଯୁଗେଯୁଗେ ମଣିଷ ପାଖରେ ପ୍ରିୟ କରିପାରିଛି । ପ୍ରାଗ୍ ଐତିହାସିକ ଯୁଗରୁ ହାତୀର ଖୋଦିତ କଳାକୃତି, ରଂଜିତଚିତ୍ର ଓ ମୋହର ଯାହାକି ହର୍ପ୍ପା ସଭ୍ୟତାରୁ ମିଳେ, ତାହା ମଣିଷ ସହିତ ହାତୀର ସଂପର୍କ କ’ଣ ବା କିପରି ସୂଚାଇଥାଏ । ପ୍ରାଚୀନ ଭାରତରେ ରାଜାମାନେ ଯୁଦ୍ଧ ଓ ଶାନ୍ତି ବେଳେ ରାଜକୀୟ ଆରୋହଣ ରୂପେ ହାତକୁ ହିଁ ବ୍ୟବହାର କରୁଥିଲେ । ଇତିହାସ କୁହେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପ୍ରାୟ ୯ ହଜାର ହସ୍ତୀ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ଥିଲେ । ସମ୍ରାଟ ଅଶୋକଙ୍କ ବେଳେ ଏ ହସ୍ତୀ ବୌଦ୍ଧଧର୍ମର ପ୍ରତୀକ ରୂପେ ବ୍ୟବହାର ହେଉଥିଲେ । ମୋଗଲ ସମ୍ରାଟ ମହାନୁଭବ ଆକବଳଙ୍କ ପାଇଁ ହାତୀ ଥିଲେ ଅତିପ୍ରିୟ । କୁହାଯାଏ ଯେ ତାଙ୍କ ହାତୀଶାଳାର ପ୍ରାୟ ୩୨,୦୦୦୦ ହାତୀ ପୋଷା ଯାଇଥିଲେ । ତେବେ ଯେବେଠୁ ହାତୀମାନଙ୍କୁ ଯୁଦ୍ଧରେ ନିୟୋଜନ କରାଗଲା, ସେବେଠୁ ତାଙ୍କର ରାଜକୀୟ ବ୍ୟବହାରରୁ କ୍ରମଶଃ ହ୍ରାସ ହେବାରେ ଲାଗିଲା; ଘରୋଇ ସଂପତି ରୂପେ କେଉଁଠି କେଉଁଠି ସେମାନେ ବ୍ୟବହୃତ ହେଲେ । ଏବେ ବି କେତେକ ମଠ ବା ମନ୍ଦିରରେ ପୂଣ୍ୟ ପର୍ବରେ ସେମାନଙ୍କ ବ୍ୟବହାର ପାଇଁ ପୋଷା ଯାଇଛନ୍ତି । ସେତେବେଳେ ସେମାନଙ୍କୁ ସୁନ୍ଦର ଭାବରେ ସଜ୍ଜିତ କରାଇ ସର୍ବସାଧାରଣରେ ପ୍ରଦର୍ଶନ ନିମନ୍ତେ ବ୍ୟବହାର କରାଯାଇଥାଏ । ସଦାକାଳେ କାଠଶିଳ୍ପଶାଳାରେ, ସରକାରୀ ଜଙ୍ଗଲ ବିଭାଗରେ, ପର୍ଯ୍ୟଟନ ବିଭାଗ ତଥା ସର୍କସ ଦଳରେ ହାତୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜଙ୍ଗଲି ରାସ୍ତାରେ, ପାହାଡ଼ିଆ ସ୍ଥାନରେ ଓ ଯେଉଁଠି ଆଧୁନିକ ପରିବହନ ଯାନ ପହଂଚିପାରିବ ନାହିଁ, ସେଠି ହାତୀମାନେ ପରିବହନ ଏବଂ ଜିନିଷ ଉଠାପକା କାର୍ଯ୍ୟ କରିଥାଆନ୍ତି । ୧୯୬୦ ଦଶକରେ ପ୍ରସିଦ୍ଧ ସୋନପୁର ହାତୀ ହାଟରେ ହଜାର ହଜାର ହାତୀମାନଙ୍କର କିଣା ବିକା ହେବାର ଦେଖାଯାଇଛି । ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ ହାତୀ ହିଂସ୍ରଜନ୍ତୁ ଏବଂ ଏହା ଗୃହପାଳିତ ନହେଲେ ମଧ୍ୟ ମଣିଷକୁ ସେବାଦିଏ । ହାତୀଟିଏ ମଣିଷକୁ ଦେଉଥିବା ସେବାର ପଟ୍ଟାନ୍ତର ନାହିଁ । ହାତୀ ଯିଏ ଆମର ପ୍ରିୟ ପଶୁଟିଏ ତଥା ସଂପଦ ଓ ଯିଏ ଆମ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରେ, ଏବେ ଏ ଧରାରୁ ନିଶ୍ଚିହ୍ନ ହେବ ପଥରେ ଆଗେଇ ଚାଲିଛି । ଏକ ଆକଳନରୁ ଜଣାପଡ଼ିଛି ଯେ ସମଗ୍ର ଆଫ୍ରିକାରେ ଏମାନଙ୍କ ସଂଖ୍ୟା ୪ ଲକ୍ଷ ଏବଂ ଏସିଆ ମହାଦେଶରେ ଏମାନଙ୍କ ସଂଖ୍ୟା ପାଖାପାଖି ୫୦ ହଜାରରୁ କମ୍ । ଏକଦା ହାତୀମାନେ ଏସିଆ ମହାଦେଶର ପଶ୍ଚିମ ଏସିଆରୁ ଚୀନ୍ ଯାଏଁ ତାଙ୍କର ସ୍ଥିତି ବିସ୍ତାର କରିଥିଲେ । ଏବେ ହାତୀମାନେ ଇରାନ୍, ଆଫଗାନିସ୍ଥାନ, ପାକିସ୍ତାନ ଏବଂ ଚୀନ୍ର ଅଧିକାଂଶ ଅଂଚଳରୁ ଲୁପ୍ତ ହୋଇଗଲେଣି । କେବଳ ଭାରତ, ଶ୍ରୀଲଙ୍କା, ନେପାଳ, ଭୁଟାନ, ବଙ୍ଗଳାଦେଶ, ମିଆଁମାର, ଥାଇଲାଣ୍ଡ, ଭିଏତ୍ନାମ ଓ ମାଲେସିଆରେ କିଛି ପରିମାଣରେ ଅଛନ୍ତି । ଏଥିରୁ ଅଧେ ଅଛନ୍ତି ଭାରତ ଉପମହାଦେଶରେ । ଗତ ୧୦୦ ବର୍ଷ ମଧ୍ୟରେ ଭାରତର ୫ଟି ରାଜ୍ୟ ବିଶେଷକରି ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ହାତୀ ନିଶ୍ଚହ୍ନ ହୋଇଗଲାଣି । ଓଡ଼ିଶା କଥା ତଦ୍ରୁପ । ଏକଦା ଯିଏ ହାତୀମାନଙ୍କ ଘର ଥିଲା, ଏତେ ତା’ର ହାତୀ ସଂଖ୍ୟା ୨୦୧୧-୧୨ ଗଣନାନୁଯାୟୀ ମାତ୍ର ୧୯୩୦ । ଏହି ସଂଖ୍ୟା ୧୯୭୯ରେ ଥିଲା ୨୦୪୪ । ୨୦୧୫ରେ ଥିଲା ଏମାନଙ୍କ ସଂଖ୍ୟା ୧୯୫୪ । ସଂପ୍ରତି ୨୦୧୭ରେ ହାତୀ ଗଣନା ଅନୁସାରେ ଏହାର ସଂଖ୍ୟା ଅଛି ୧୯୭୬ । ଏଠାରେ ସୂଚନା ମିଳେ ଯେ, ଚଳିତବର୍ଷ ହାତୀଙ୍କ ସଂଖ୍ୟା କିଛିଟା ବୃଦ୍ଧି ପାଇଛି । ଏ ସଂଖ୍ୟା ଯେ ଆଗାମୀକୁ ବୃଦ୍ଧି ପାଇବ ଏହାର କିଛି ମାନେ ନାହିଁ । ସାମଗ୍ରିକ ଭାବରେ ଦେଖିଲେ ଆମ ଦେଶରେ ଏମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ହାତୀବଂଶ ବୁଡ଼ିବା ପଛରେ ଯେଉଁସବୁ କାରଣମାନ ଅଛି ସେଗୁଡ଼ିକ ହେଲା ବହୁ ପରିମାଣରେ ଅରଣ୍ୟ ଛେଦନ, ବିସ୍ତୃତ ପରିମାଣର କଫି, ଚା, ରବର ଓ ଟିକ୍ ଚାଷ ତଥା ଖଣି ଖାଦନ ଖନନ, ଶିଳ୍ପୀକରଣ, ବିଦ୍ୟୁତ୍ ଉତ୍ପାଦନ, ସର୍କସ ଓ ପର୍ଯ୍ୟଟନ କ୍ଷେତ୍ରରେ ହାତୀ ନିୟୋଗ ତଥା ହାତୀ ଦାନ୍ତ ସଂଗ୍ରହ ପାଇଁ ହାତୀ ଶିକାର । ଏଠାରେ ସ୍ମରଣ କରାଇ ଦେଉଛେ ହାତୀଦାନ୍ତର ମୂଲ୍ୟ ବର୍ତମାନ ସୁନାଠାରୁ ବହୁଗୁଣରେ ଅଧିକ । ବିଶେଷକରି ଚୀନ୍ରେ ଏହାର ଚାହିଦା ବେଶୀ । ଏଥିସହିତ ବହୁମୁଖୀ ନଦୀବନ୍ଧ ଯୋଜନା ଯୋଗୁଁ ବହୁ ଜଙ୍ଗଲ ଜଳ ମଧ୍ୟରେ ନିମଜ୍ଜିକରଣରୁ ହାତୀଙ୍କ ନିବାସସ୍ଥଳୀ ବାଧାପ୍ରାପ୍ତ । ଜଙ୍ଗଲ ଭାବ କାରଣରୁ ସେମାନେ ଗ୍ରାମ ବା ସହରୀଭିମୁଖୀ, ବୁଡ଼ାନ୍ତି କୃଷିକ୍ଷେତ୍ର ଏବଂ ଶିକାର କରନ୍ତି ମଣିଷ । ତାହିଁକି ନିଜେ ଶିକାର ହୁଅନ୍ତି ଚୋରା ଶିକାରୀ ହସ୍ତରେ ଅଥବା ବିପଦ ଜାଲ ବିଦ୍ୟୁତ୍ ସ୍ପର୍ଶରେ ବା ଆଉ ସେମିତି କିଛିରେ । ବଂଚିବାର ସଂଗ୍ରାମରେ ଏବେ ହାତୀ ମଣିଷ ମଧ୍ୟରେ ଯୁଦ୍ଧ । ଦେଖାଦେଇଛି ଯେ ଗତ ୨୦୧୧ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ଏହି ସଂଗ୍ରାମରେ ଓଡ଼ିଶାରେ ମଣିଷ ମରିଛନ୍ତି ୫୭୦ ଏବଂ ହାତୀ ମରିଛନ୍ତି ୬୧୮ । ହାତୀଟିଏ ମଣିଷ ମାରିଲେ ତା’ ପରିବାରକୁ କ୍ଷତିପୂରଣ ଭାବରେ ୧୫ ଦିନ ମଧ୍ୟରେ ୪ ଲକ୍ଷଟଙ୍କା ମିଳିଥାଏ । ଅଥଚ ମଣିଷଟିଏ ହାତୀ ମାରିଲେ…. କଥାରେ କୁହାଯାଏ; ହାତୀ ବଂଚିଥିଲେ ଲକ୍ଷେ, ମଲେ ବି ଲକ୍ଷେ । ଏଥିରୁ ଜୀବିତ ବା ମୃତ ହାତୀର ବ୍ୟବହାରିକ ଗୁଣ ଦୃଷ୍ଟିରୁ ମୂଲ୍ୟାଙ୍କନ କରାଯାଏ । ହାତୀ ଆରୋହଣ ଏବଂ ସୌଖୀନ କଥା, ପରିବହନ, ଯୋଗାଯୋଗ ଏବଂ ଶିଳ୍ପଶାଳା ପାଇଁଁ ତା ସ୍ଥାନ ତ ସ୍ୱତନ୍ତ୍ର; ହାତୀଦାନ୍ତ ଓ ଅସ୍ଥିରୁ ସୌଖୀନ ସାମଗ୍ରୀ ପ୍ରସ୍ତୁତର ଚାହିଦା କହିଲେ ନସରେ; ହାତୀ ମଲାପରେ ତା ସର୍ବାଙ୍ଗ କାମରେ ଲାଗେ ଓ ଜୀବିତାବସ୍ଥାରେ ହାତୀ କେବଳ ଏକ ମୁଖ୍ୟ ଆକର୍ଷଣ ନୁହେଁ । ଅନ୍ୟପକ୍ଷରେ ତା’ର ମୂଲ୍ୟ ତଦୁର୍ଦ୍ଧ । ହାତୀକୁ ନେଇ ଏକ ଚଳଚ୍ଚିତ୍ର ‘ହାତୀ ମେରା ସାଥୀ’ ଅଛି, ଏକଥା ଆମେ ଜାଣୁ । ଏବେ ବିଶ୍ୱରେ ଥାଇଲାଣ୍ଡରେ ହାତୀମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଏ । ଥାଇଲାଣ୍ଡରେ ହାତୀମାନେ ହେଉଛନ୍ତି ପ୍ରାକୃତିକ ଓ ଜାତୀୟ ସଂପଦ । ସେମାନେ ସେଠାରେ ଅର୍ଥନୈତିକ ପ୍ରଗତିରେ ବିଶେଷ ସହାୟକ ହୋଇଥାନ୍ତି । ସେମାନେ ତାଙ୍କର ପାହାଡ଼ି ପରିବହନର ଯାନ ବା ଟ୍ରାକ୍ଟର; କଟା କାଠକୁ ଗାଡ଼ିକୁ ଉଠାଇବାରେ କ୍ରେନ୍; ନଦୀକୂଳକୁ ବୁହାଇବାରେ ଶଗଡ଼ ଗାଡ଼ି ବା ଟ୍ରକ୍ ଯେଉଁଠି ପରିବହନ ପାଇଁ କୋଉ ଯାନ ପହଂଚିପାରିବ ନାହିଁ, ସେଠି ହାତୀ ବାହନ କାମ କରେ । ହାତୀ ଓ ଜଙ୍ଗଲ ଥାଇଲାଣ୍ଡ ବାସୀଙ୍କ ଅମୂଲ୍ୟ ସଂପଦ । ହାତୀ ପାଳନ ଓ ତାଙ୍କ ସଂଖ୍ୟା ବୃଦ୍ଧି ଓ ସଂରକ୍ଷଣ ସହ ପୁରାତନ ଜଙ୍ଗଲର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସେମାନେ ସଦାସନ୍ତତଃ ଚେଷ୍ଟିତ । ଥାଇଲାଣ୍ଡରେ ହାତୀଙ୍କ ସୁରକ୍ଷା ନିମନ୍ତେ ଏକ ସଂସ୍ଥା ‘ଇଲିଫାଂଟ୍ସ ରି ଇନ୍ଟ୍ରୋଡକ୍ସନ୍’ ୨୦୧୧ ମସିହାରୁ କାର୍ଯ୍ୟ କରୁଅଛି । ହାତୀଙ୍କ ବଂଶ ବୃଦ୍ଧି ନିମନ୍ତେ ଏ ସଂସ୍ଥା ସେଠାରେ ନାନାବିଧ କାର୍ଯ୍ୟ କରୁଛି । ଏ ସଂସ୍ଥାର ମୁଖ୍ୟ ୨୦୧୨ ମସିହାରେ ଜାତିସଂଘକୁ ‘ବିଶ୍ୱହାତୀ ଦିବସ’ ପାଳନ ନିମନ୍ତେ ଏକ ପ୍ରସ୍ତାବ ଦେଇଥିଲେ । ଜାତିସଂଘ ଏହା ଉପରେ ବିଭିନ୍ନ ରାଷ୍ଟ୍ରମାନଙ୍କ ସହିତ ବିଚାର ବିମର୍ଷ କରି ଅଗଷ୍ଟ ୧୨କୁ ପ୍ରତିବର୍ଷ ହାତୀ ଦିବସ ରୂପେ ପାଳନ କରିବାକୁ ନିଷ୍ପତି ନେଲା ଏବଂ ଏହା ୨୦୧୨ ମସିହା ଠାରୁ ପାଳିତ ହୋଇଆସୁଛି । ବିଶ୍ୱର ୬୫ ବନ୍ୟଜନ୍ତୁ ସଂସ୍ଥା ଏ ଦିବସ ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ଆଫ୍ରିକାର ପ୍ରତ୍ୟେକ ଚିଡ଼ିଆଖାନା ଓ ଅଭୟାରଣ୍ୟରେ ବିଶ୍ୱହାତୀ ଦିବସ ପାଳନ କରାଯାଏ । ଜନମାନସରେ ହାତୀମାନଙ୍କ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧିରେ ସଚେତନତା ସୃଷ୍ଟି ପାଇଁ ଏହା ଏକ ପ୍ରଚେଷ୍ଟା । ସମଗ୍ର ବିଶ୍ୱରେ ସବୁ ଦେଶରେ ହାତୀ ନଥିଲେ କି ନାହାଁନ୍ତି । ତେବେ ଯେଉଁଠିଥିଲେ, ଅନେକ ଦେଶରୁ ନିଶ୍ଚିହ୍ନ ଏବଂ କେତେକ ସ୍ଥାନରେ ଲୁପ୍ତପ୍ରାୟ । ଦ୍ରୁତବେଗରେ ଏମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି । ଆଉ କେଇ ଦିନପରେ ଏମାନେ ହେବେ କେବଳ ଚିଡ଼ିଆଖାନାର ଜୀବ । ସେଇଠୁ ଡାଇନୋସର ପରି ଏ ଜୀବ ବି ଏ ଧାରାରେ ଲୋପ ପାଇଯିବେ । ତାପରେ ସେମାନେ ହେବେ ଛବିରେ ହାତୀ । ଏହା ହିଁ ଦୁଃଖ । ଆସନ୍ତୁ ହାତୀବଂଶ ବଂଚିବାରେ କିଛି ତ ଚିନ୍ତା କରିବା ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮