ହିଂଜିଳି ଥାନା ଅଂଚଳରେ ସିରିଜ ଚୋରୀ ଘଟଣାରେ ପୁଲିସକୁ ସଫଳତା ୪ ଗିରଫ,୬ ଭରି ସୁନା ସମେତ ମାରଣାସ୍ତ୍ର ଜବତ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗତ କିଛି ଦିନ ଧରି ଗଂଜାମ ଜିଲ୍ଲା ହିଂଜିଳି ଥାନା ଅଂଚଳରେ ସିରିଜ ଚୋରୀ ଘଟଣା ଚାଲିଥିଲା । ହିଂଜିଳି ଥାନା ଅଂଚଳରେ ସିରିଜ ଚୋରୀ ପେରେ ସ୍ଥାନୀୟ ପୁଲିସ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ଲୁଟେର ମାନେ ସ୍ଥାନୀୟ ପୁଲିସ ପ୍ରଶାସନକୁ ଚ୍ୟାଲେଂଜ ଦେଇ ଗୋଟିକ ପରେ ଗୋଟିଏ ଲୁଟ କରିବାରେ ସକ୍ଷମ ହେଉଥିବା ବେଳେ ପୁଲିସ ପ୍ରଶାସନ ପ୍ରତି ସାଧାରଣ ଜନତାଙ୍କ ବିଶ୍ୱାସ ତୁଟିବାରେ ଲାଗିଥିଲା । ପରିଶେଷରେ ରବିବାର ବିଳମ୍ବିତ ରତ୍ରରେ ହିଂଜିଳି ପୁଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣ ଲୁଟେରା ସମେତ ଚୋରୀ ସୁନା କିଣିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ୩ ଜଣ ଫେରାର ହୋଇ ଯାଇଛନ୍ତି । ସେମାନଙ୍କ ନିକଟରୁ ପ୍ରାୟ ୬ ଭରି ଓଜନର ସୁନା ସମେତ ଚୋରୀ ପାଇଁ ବ୍ୟବହୃତ ସ୍କୃ ଡ଼୍ରାଇଭର, ପେଚକାରୀ ଓ ଏକ ଲୁହାରଡ଼କୁ ଜବତ କରିଛି । ଗିରଫ ମାନେ ହେଲେ ଲୁଟେରା ଗ୍ୟାଙ୍ଗର ବ୍ରହ୍ମପୁର ସଦର ଥାନା ପଲ୍ଲୀ ପଦ୍ମନାଭପୁର ଗ୍ରାମର କେ. କାହ୍ନା ଓରଫ୍ ଛୋଟା (୨୫) ଓ କୁକୁଡ଼ାଖଣ୍ଡି ଗ୍ରାମର ଟି. ଜଳନ୍ଧର (୧୯) । ଚୋରୀ ସୁନା ଅଳଙ୍କାର କିଣି ଥିବା ଅଭିଯୋଗରେ ରଘୁନାଥ ସାହୁ (୫୦) ଓ ଆସିକା ଗ୍ରାମର ମନୋଜ ଆଚାରୀ (୩୦)ଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଫେରାର ୩ ଅଭିଯୁକ୍ତ ହେଲେ ବ୍ରହ୍ମପୁର ସଦର ଥାନା ପଲ୍ଲୀ ପଦ୍ମନାଭପୁର ଗ୍ରାମର କେ. ଶିବ, ବାଇଗଣବାଡ଼ି ଗ୍ରାମର ଏସ. କୁଶ ଓ କୁକୁଡ଼ାଖଣ୍ଡି ଗ୍ରାମର ଟି. କୃଷ୍ଣ । ପ୍ରକାଶ ଥାଉକି, ଗତ ୨୯.୦୫.୨୦୧୯ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ଥାନା ସିକିରି ପାରି ସାହି ବାସିନ୍ଦା ଗୋପାଳ ପଣ୍ଡାଙ୍କ ଘରର ବାରପଟ କବାଟ ତାଡ଼ି ଲୁଟେରା ମାନେ ୨୨ ଭରି ଓଜନର ସୁନା ଅଳଙ୍କାର, ୧୫ ହଜାର ଟଙ୍କା ସମେତ ରୂପା ଅଳଙ୍କାର ଓ ଅନ୍ୟାନ ଦାମୀ ଆସବାବ ପତ୍ର ଲୁଟ କରିବାରେ ସକ୍ଷମ ହୋଇଥିଲେ । ସେହିପରି ଉକ୍ତ ଦିନ ରାତିରେ ସ୍ଥାନୀୟ ଥାନା ଆଡ଼ପଡ଼ା ଫାଣ୍ଡି ଡ଼େଙ୍ଗାପଦର ଗ୍ରାମରୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଚିକିତ୍ସକ ବାହାନ ଦାସଙ୍କ ବାସଭବନର କବାଟ ଭାଙ୍ଗି ଘର ମଧ୍ୟରୁ ସୁନା ଓ ରୂପା ଅଳଙ୍କାର ସମେତ ୪୫ ହଜାର ଟଙ୍କା ଲୁଟି ନେଇଥିଲେ । ୩୦ ତାରିଖ ରାତିରେ ସ୍ଥାନୀୟ ଥାନା ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠୀଙ୍କ ଘର ମଧ୍ୟରୁ ୬ ଭରି ଓଜନର ସୁନା ଅଳଙ୍କାର ଲୁଟ ହୋଇଥିଲା । ସେହିପରି ଚଳିତ ମାସ ୨ ତାରିଖ ବିଳମ୍ବିତ ରାତିରେ ହିଂଜିଳି ଥାନା ସୋମପୁର ଗ୍ରାମର ସୁରେନ୍ଦ୍ର ଗୌଡ଼ଙ୍କ ଘର ସମ୍ମୁଖରୁ କୌଣସି ଲୁଟେରା ୫ଟିି ମେଣ୍ଢା ଚୋରୀ କରି ନେଇଯାଇଥିଲା । ଏ ନେଇ ସୁରେନ୍ଦ୍ର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ୩ ତାରିଖ ରାତି ପ୍ରାୟ ସାଢେ ୯ ଟାରେ ହିଂଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ୧୦୮ ଆମ୍ବୁଳାନ୍ସ କର୍ମଚାରୀଙ୍କ ପ୍ରକୋଷ୍ଠରୁ ଳୁଟ ହୋଇଥିଲା । ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ହିଂଜିଳିକାଟୁରେ ରହିଥିବା ୨ ଟି ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଯାଇଥିବା ବେଳେ ଲୁଟେରା ମାନେ ଆମ୍ବୁଳାନ୍ସ କର୍ମଚାରୀଙ୍କ ପ୍ରକୋଷ୍ଠ ଗେଟର ତାଲା ଭାଙ୍ଗି ପ୍ରକୋଷ୍ଠ ମଧ୍ୟରୁ ଗୋଟିଏ ଗ୍ୟାସ ସିଲିଣ୍ଡର, ପ୍ରାୟ ୧୨ ହଜାର ଟଙ୍କା, ମୋବାଇଲ ଫୋନ, ରସ ଡ଼ିକିଚି ସମେତ ଅନ୍ୟାନ ଆସବାବ ପତ୍ର ଚୋରୀ କରି ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ସେହିପରି ସ୍ଥାନୀୟ ଥାନା ବି. ନୂଆଁପଲ୍ଲୀ ଓ ନିକଟସ୍ଥ ଗ୍ରାମାଂଚଳ ସମେତ ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼ର ବହୁ ଲୋକଙ୍କ ଘରେ ପଶି ଲୁଟେରା ମାନେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରୀ କରି ଫେରାର ହୋଇଯିବାରେ ସକ୍ଷମ ହେଉଥିଲେ ମଧ୍ୟ ଲୁଟେରାଙ୍କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇ ପାରିନଥିଲା । । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଗତ କିଛି ଦିନ ଧରି ଲୁଟେରା ମାନେ ସକ୍ରିୟ ହୋଇପଡ଼ିବା ସହ ପୁଲିସ ପ୍ରଶାସନକୁ ଚ୍ୟାଲେଂଜ କରି ଗୋଟାକେ ପରେ ଗୋଟାକ ଲୁଟ କରିବାରେ ସକ୍ଷମ ହେଉଛନ୍ତି । ସ୍ଥାନୀୟ ଅଂଚଳରେ ଗତ କିଛି ଦିନ ଧରି ସିରିଏଲ ଲୁଟ ଘଟଣା ପରେ ପୁଲିସର ପାରିବାପଣ ପ୍ରତି ଅଙ୍ଗୁଳି ଉଠିଥିଲା । ଆଗାମୀ ଦିନରେ ହିଂଜିଳି ଥାନା ଅଂଚଳରେ ଘଟିଥିବା ସମସ୍ତ ଚୋରୀ ଘଟଣାରେ ସଂପୃକ୍ତ ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ