ହିତାଧିକାରୀଙ୍କୁ କନ୍ଦାଉଛି ଭତ୍ତା ଯୋଜନା, ବ୍ଲକ ଦୌଡି ଦୌଡି ନୟାନ୍ତ ହେଉଛନ୍ତି
ହାଟଡିହି, (ବିକାଶ ବିଶ୍ୱାଳ):ପୁର୍ବରୁ ପଞ୍ଚାୟତ ମାଧ୍ୟମରେ ଦିଆଯାଉଥିବାବେଳେ ଏବେ ଅନଲାଇନ ବ୍ୟବସ୍ଥା ପରେ ମିଳୁନି ଭତ୍ତା, ଔଷଧ ଟିକିଏ କିଣିବାକୁ ପଇସାଟିଏ ବି ନାହିଁଁ । ଅନେକ ଧାର କରଜ ହୋଇଗଲାଣି । ଧାର ଉଦ୍ଧାର କରି ସଉଦା ପତ୍ର ଆଣିଥିବା ଦେକାନୀର ତାଗିଦା ସହି ହେଉ ନାହିଁ । ହେ ସରକାର ଶୁଣ ଆମ ଗୁହାରୀ । ନଚେତ ମନା କରିଦିଅ ଭତ୍ତା ମିଳିବ ନାହିଁ ବୋଲି, ଆମେ ଜମିବାଡି ବିକି ଚଳିବୁ । ଏତେଥର ଆଉ ବ୍ଲକ, ପଞ୍ଚାୟତ ଦଉଡି ପାରିବୁ ନାହିଁ । ଏହା ଥିଲା ଭତ୍ତା ହିତାଧିକାରୀଙ୍କ କରୁଣ ଚିକ୍ରାର । ଜଣେ କି ଦୁଇଜଣ ନୁହଁ ବ୍ଲକରେ ପ୍ରତିଦିନ ଶହଶହ ହିତାଧିକାରୀ ବ୍ଲକକୁ ଆସି ଅଧିକାରୀଙ୍କ ନିକଟରେ ଏପରି କାକୁତି ମିନତୀ ହେଉଛନ୍ତି । ଜମ୍ଭୀରା ପଞ୍ଚାୟତ ଲାଖବିନ୍ଧା ଗ୍ରାମର ସୁଲୋଚନା ମୁଦୁଲି ଜଣେ ବିଧବା ମହିଳା ହୋଇଥିବାବେଳେ ସେ ପୁର୍ବରୁ ପଞ୍ଚାୟତ ମାଧ୍ୟମରେ ଠିକ ଭାବରେ ଭତ୍ତା ପାଉଥିଲେ । କିନ୍ତୁ ତା ପରଠାରୁ ଆଉ ତାଙ୍କୁ ଭତ୍ତା ମିଳିନି । ୭ମାସ ହେଲା ସେ ବ୍ଲକ ଓ ପଞ୍ଚାୟତକୁ ଦୌଡି ଦୌଡି ନୟାନ୍ତ ହୋଇ ଗଲେଣି । ଘରେ ଖାଇବାକୁ ନଥିବା ବେଳେ ଏହି ଭତ୍ତା ଗଣ୍ଡାକରେ ସେ ନିଜ ପାଇଁ ଔଷଧପତ୍ର ଆଣୁଥିବାବେଳେ ସଉଦାପତ୍ର ମଧ୍ୟ କିଣିଥାନ୍ତିଷ୍କିନ୍ତୁ ୭ମାସ ହେଲା ଭତ୍ତା ପାଉନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସୋସୋ ପଞ୍ଚାୟତ କାନପୁର ଗ୍ରାମର କମଳା ଧଳ ୭ମାସ ହେଲା ଭତ୍ତା ପାଉ ନାହାନ୍ତି । ବାରମ୍ବାର ପଞ୍ଚାୟତ ଓ ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇ ଗଲେଣି । ବାରମ୍ବାର ଅଧିକାରୀ ମାନଙ୍କୁ ଦେଖା କରୁଥିଲେବି କିଛି ସୁଫଳ ପାଇ ପାରି ନାହାନ୍ତି । ସେହିପରି କାନପୁର ଗ୍ରାମର ଭାଷ୍କର ସେଣ, ମାଗୁଣି ସେଣ, ଦୀପକ ଖମାରୀ, ପୁର୍ଣ୍ଣିମା ସେଣ, ଗୁରୁବାରୀ ଖମାରୀ, ଜଳଧର ରାଉତ, ଯମୁନା ବେହେରା, ନାରାୟଣ ଖମାରୀ, ମିତା ଖମାରୀ, ନୀଳାପୁର ଗ୍ରାମର ଗଙ୍ଗାଧର ସାହୁ, ଲାଖବିନ୍ଧା ଗ୍ରାମର ଗୁର ମୁଦୁଲି, ହେମ ନାଇକ, ମରୈଗାଁ ଗ୍ରାମର ବୁଲା ଜେନା, ଜମ୍ଭୀରା ପଞ୍ଚାୟତ ବରାଙ୍ଗ ଗ୍ରାମର ଉଦୟନାଥ ଜେନା, ଗେଲକ ଜେନାଙ୍କ ଭଳି ଶହଶହ ଲୋକ ୩/୪ମାସ ହେଲା ଭତ୍ତା ପାଉ ନଥିବାରୁ ନାନା ଅସୁବଧା ଭୋଗ କରୁଛନ୍ତି । ଆଜି ଢ଼େଙ୍କା ପଞ୍ଚାୟତର ସାକର ସୋରେନ, ହୀରା ମୁର୍ମୁ, ମାଳତୀ ମୁର୍ମୁ, ଶଙ୍ଖା ମାଝୀ, ଲଖାୟା ମୁର୍ମୁ, ଭତ୍ତା ପାଉନଥିବା ଅଭିଯୋଗ କରି ବ୍ଲକକୁ ଆସିଥିଲେ । ସେମାନଙ୍କ ଅଭିଯୋଗ ଯେ ଗତ ତିନି ମାସ ହେଲା ଆମେ ଭତ୍ତା ପାଇପାରିନୁ । ପୁର୍ବରୁ ଭତ୍ତା ପାଉଥିବାବେଳେ ଆମ ଭତ୍ତା ଟଙ୍କା ଗଲା କୁଆଡେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହିପରି ମରୈଗାଁ ଗ୍ରାମର ଟୁନା ଗିରି ଗତ ଫେବୃୟାରୀ ମାସରୁ ଭତ୍ତା ପାଇପାରି ନାହାନ୍ତି । ଭତ୍ତା ଟଙ୍କାରେ ସେ ଔଷଧପତ୍ର କିଣୁଥିଲେ । ଭତ୍ତା ନପାଇବାରୁ ନାନା କଷ୍ଟରେ ସେ କାଳାତିପାତ କରିବା ସହ ନିଜେ ଠିକରେ ଚାଲି ପାରୁନଥିବାବେଳେ ଗ୍ରାମର ଜଣେ ଲୋକଙ୍କ ସହଯୋଗରେ ବ୍ଲକକୁ ଆସିଛନ୍ତି ବୋଲି କହିଛନ୍ତି । ଅଫିସ ଆସି ବୁଝିବାବେଳେକୁ ଏକାଉଣ୍ଟକୁ ଟଙ୍କା ଯାଇଛି କହି ପଠାଇ ଦେଉଛନ୍ତି, ବ୍ୟାଙ୍କକୁ ଯାଇ ବୁଝିବାବେଳେକୁ ଏକାଉଣ୍ଟକୁ ଆସିନି । ଆଧାରକାର୍ଡ ସଂଯୋଗ କରିବାପରେ ଏବେ ଭିନ୍ନ ଏକାଉଣ୍ଟକୁ ଟଙ୍କା ପଳାଉ ଥିବାରୁ ବିଚରା ଗରିବ ହିତାଧିକାରୀ ମାନେ ନାନା ଅସୁବିଧା ଭୋଗୁଥିବାବେଳେ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ବ୍ଲକ କର୍ତ୍ତୁପକ୍ଷ କେବଳ ଚିଠିକରି ବସିଯାଉ ଥିବାରୁ ଟଙ୍କା ପାଇବାନେଇ ଆଶଙ୍କାରେ ଅଛନ୍ତି । ଆଜି ସୋସୋ, ହଦଗଡ, କେ ବାଲିପାଳ, ଢ଼େଙ୍କା, ପଞ୍ଚୁଗୋଛିଆ, ଜମ୍ଭୀରା, ସମଣା ଆଦି ପଞ୍ଚାୟତର ଶହଶହ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଭେଟିବା ସହିତ ଭତ୍ତା ବିଭଗର ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ବିଡିଓ ବୀନିତା ବିଜୟିନୀ ବିଭାଗୀୟ କର୍ମଚାରୀଙ୍କୁ ଡାକି ତୁରନ୍ତ ଏନେଇ କଣ କଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏନେଇ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ କହିବାନୁଯାଇ ଶହଶହ ହିତାଧିକାରୀଙ୍କ ଭତ୍ତା ଅନ୍ୟ ଏକାଉଣ୍ଟକୁ ଯାଇଥିବାବେଳେ ଯଦି ବ୍ୟାଙ୍କ କର୍ତ୍ତୁପକ୍ଷ ଚାହିଁବେ ତେବେ ସେ ଟଙ୍କା ଫେରି ଆସିପାରିବ । କିନ୍ତୁ ବ୍ୟାଙ୍କ ଏଥିପ୍ରତି ଗୁରୁତ୍ୱ ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଗତ ପଞ୍ଚାୟତ ସମିତି ବୈଠକରେ ଏନେଇ ସରପଞ୍ଚ ଓ ସମିତିସଭ୍ୟ ମାନେ ଅନେକ ଅଭିଯୋଗ ଆଣିବାପରେ ବ୍ଲକ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲେବି କୌଣସି ବ୍ୟବସ୍ଥା ହୋଇ ନଥିବା ନେଇ ଅନେକ ସରପଞ୍ଚ ଅଭିଯୋଗ ଉଠାଇଛନ୍ତି । ତେବେ ଏହି ହିତାଧିକାରୀ ମାନଙ୍କୁ କେବେ ତାଙ୍କ ଭତ୍ତା ଟଙ୍କା ସେମାନଙ୍କୁ ମିଳୁଛି ତାହା ଦେଖିବାକୁ ବାକି ରହିଲା ।