ଯୁବକଙ୍କୁ ଛୁରାମାଡ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : ଯୋଡା ମାର୍କେଟ ମୁସଲିମ୍ ବସ୍ତିସ୍ଥିତ ମିଶ୍ର ମାର୍କେଟ ଇକବାଲ ହୋଟେଲ ନିକଟରେ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଜଣେ ଯୁବକଙ୍କୁ ଏକ ପଲସର ବାଇକରେ ଆସି ହଠାତ ଛୁରିରେ ଆକ୍ରମଣ କରିବା ଘଟଣା ସହରରେ ଚାଂଚଲ୍ୟ ଖେଳିଯାଇଛି । ମିଳିଥିବା ସୂଚନାନୁଯାୟୀ, ବାଂଶପାଣିର ବିକ୍ରାନ୍ତ ନାୟକ ଆଜି ସନ୍ଧ୍ୟାରେ ଯୋଡା ମାର୍କେଟକୁ ଯାଇଥିବା ସମୟରେ ଦୁର୍ବୁତ ଜଣକ ଆସି ତାଙ୍କୁ ଅଟକାଇ ଥିଲେ ଓ ତୁ ହିରୋଗିରି ଦେଖାଉଛୁ ବୋଲି କହିବା ସହିତ ଅନ୍ଟାରୁ ଛୁରି ବାହାର କରି ବିକ୍ରାନ୍ତ ନାୟକଙ୍କ ବାମ ହାତକୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିଲା । ପରେ ବିକ୍ରାନ୍ତ ନାୟକ ସେଠାରୁ ଯୋଡା ଥାନା ଯାଇ ପୋଲିସକୁ ଜଣାଇଥିଲେ । ପୋଲିସ ବିକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାକୁ ପଠାଇଥିବା ବେଳେ ଘଟଣାସ୍ଥଳକୁ ପୋଲିସ ପେଟ୍ରୋଲିଂ ଗାଡି ପହନଚି ଥିଲା । ମାତ୍ର ସେଠାରେ ଦୁର୍ବୁତ ମାନଙ୍କର କୌଣସି ଟେର ପୋଲିସ ପାଇପାରିନଥିଲା । ଦୁର୍ବୁତମାନେ ଆକ୍ରମଣ କରିବା ପରେ ବିକ୍ରାନ୍ତଙ୍କୁ ଗୁଳି କରି ମାରିଦେବା ପାଇଁ ଧମକ ଦେବା ଏବଂ ସେଠାରୁ ବିକ୍ରାନ୍ତ ଚାଲିଆସିବା ପରେ ଦୁର୍ବୁତ ଜଣକ ଏକ ଦୁର୍ବୁତ ଗ୍ୟାଙ୍ଗ ସହ ସେଠାରେ କିଛି ସମୟ ଧରି ବିକ୍ରାନ୍ତଙ୍କୁ ଖୋଜାଖୋଜି କରି ଆତଙ୍କରାଜ ଚଳାଇଥିଲା । ଯାହା ଫଳରେ ସ୍ଥାନୀୟ ବ୍ୟବସାୟୀମାନେ ଆତଙ୍କିତ ହୋଇପଡିଥିଲେ । ଏପରି ଅସାମାଜିକ କାର୍ଯ୍ୟ ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ପୋଲିସ ଗୁରୁତର ଭାବେ ନେଉନଥିବାରୁ ସହରରେ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଏ ସମ୍ପର୍କରେ ଯୋଡା ଥାନା ଏସଆଇ ଅନୀଲ କୁମାର ସାମଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଘଟଣାସ୍ଥଳକୁ ପେଟ୍ରୋଲିଂ ଗାଡି ଯାଇଥିଲା । ମାତ୍ର ସେମାନଙ୍କର କୌଣସି ପତା ମିଳିନଥିବା ଏସଆଇ ସାମଲ କହିଛନ୍ତି ।