ଡ଼େଙ୍ଗୁକୁ ନିମନ୍ତ୍ରଣ କରୁଛି ବେଲଗୁଣ୍ଠା ସହର; କାମରେ ଲାଗୁନି ଟିଫା ମେସିନ୍; ପରିମଳ ଅବସ୍ଥା ବିପର୍ଯ୍ୟସ୍ତ
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ଜଣେ ଯୁବ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ସ୍ଵପ୍ନ ଥିଲା ବେଲଗୁଣ୍ଠା ସହରକୁ ଏକ ଆଦର୍ଶ ସହର ଭାବେ ଗଢ଼ି ତୋଳି ଏହାର ପରିମଳ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ I ଏଦିଗରେ ପ୍ରଥମ କିଛି ଦିନ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲିବା ପରେ କିଛି ଖାମଖିଆଲି କର୍ମଚାରୀଙ୍କ ଯୋଗୁଁ ବର୍ତ୍ତମାନ ବେଲଗୁଣ୍ଠା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଦିଗରେ ଗତି କରୁଥିବା ବେଳେ ଆଦର୍ଶ ଗଠନ ହେବାର ସ୍ଵପ୍ନ ଭାଙ୍ଗି ଯିବାକୁ ବସିଛି I ବେଲଗୁଣ୍ଠା ସହରର ବିଭିନ୍ନ ଗଳିରୁ ଘରକୁ ଘର ବୁଲି ଗାଡ଼ିରେ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆବର୍ଜନା ସଂଗ୍ରହ ଗାଡିର ସମୟ ସାରଣୀ ଠିକ୍ ରହୁ ନଥିବାରୁ ଲୋକେ ଗାଡ଼ି ସମ୍ପର୍କରେ ସଠିକ୍ ତଥ୍ୟ ନପାଇ ଗାଡ଼ି ପାଖରେ ପହଞ୍ଚାଇ ପାରୁ ନାହାନ୍ତି I ସେହିଭଳି ବିଭିନ୍ନ ଗଳି ଛକରେ ଆବର୍ଜନା ସଂଗ୍ରହ ଗାଡ଼ି ପାଞ୍ଚ ମିନିଟ୍ ମଧ୍ୟ ଅପେକ୍ଷା କରୁ ନଥିବାରୁ ଲୋକଙ୍କ ନିକଟରୁ ଅଳିଆ ସଂଗ୍ରହ ହୋଇପାରୁନି I ଫଳରେ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ପଡ଼ି ରହିବା ସହିତ ପୂତିଗନ୍ଧମୟ ପରିବେଶ ସୃ୍ଷ୍ଟି ହୋଇଛି I ଅନ୍ୟ ପକ୍ଷରେ ଏହି ଅପରିଷ୍କାର ପରିବେଶ ମଧ୍ୟରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବିଭିନ୍ନ ୱାର୍ଡ଼ ବାସୀନ୍ଦା ପ୍ରକାଶ କରିଛନ୍ତି I ସହରକୁ ମଶା ମୁକ୍ତ ରଖିବା ପାଇଁ ଏନ୍ଏସିର ଟିଫା ମେସିନ୍ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟରେ ଲଗାଯାଉନଥିବା ଯୋଗୁଁ ମଶା ଦାଉରେ ଅସ୍ତବ୍ୟସ୍ତ ହୋଇ କ୍ଷୋଭ ପ୍ରକାଶ କରିଛନ୍ତି I ବିଭିନ୍ନ ସହରରେ ବର୍ତ୍ତମାନ ଡେଙ୍ଗୁର ପ୍ରଭାବ ଯେମିତି ବିସ୍ତାର କରିଚାଲିଛି ଯଦି ଅତି ଶୀଘ୍ର ବେଲଗୁଣ୍ଠା ସହରର ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ନକରାଯାଏ ତେବେ ସହରରେ ଡେ଼ଙ୍ଗୁ, ମ୍ୟାଲେରିଆର ବିସ୍ତାରକୁ ଅଣଦେଖା କରା ଯାଇ ନପାରେ I ତେଣୁ ଏ ଦିଗରେ କାର୍ଯ୍ୟ ନିର୍ବାହି ଅଧିକାରୀ ତୁରନ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି I