ୟୁରୋ ସ୍କୁଲର ତୃତୀୟ ବାର୍ଷିକୋତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା) :‘ୟୁରୋ ସ୍କୁଲ’ ଛତ୍ରପୁର ଶାଖାର ତୃତୀୟ ବାର୍ଷିକୋତ୍ସବ ‘ଅସ୍ତ୍ର’ ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଭାରତୀୟ ସେନାବାହିନୀର ବୀରଚକ୍ର ପୁରସ୍କାରପ୍ରାପ୍ତ କର୍ଣ୍ଣଲ ଦୀପକ ରାମପାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଗୁରୁ ହିଁ ପିଲାଙ୍କୁ ଅନ୍ଧାରୁ ଉଜ୍ୱଳକୁ ନେବାର ଏକ ମାଧ୍ୟମ । ପିଲାଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ଐତିହାସିକ ଯୁଗରୁ ଗୁରୁକୁଳ ତଥା ପାଠଶାଳା ଆଦି ରହି ଆସିଛି । ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ତମ ଭବିଷ୍ୟତ ଗଢିବା ଲାଗି ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠାନ ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ । ଏହାସହ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନାକୁ ଆସିପାରିବ । ସମ୍ମାନିତ ଅତିଥି ଭାବେ ଗୋପାଳପୁର ପୋର୍ଟର ମୁଖ୍ୟ ସୁରକ୍ଷା ଅଧିକାରୀ ତଥା ଅବସରପ୍ରାପ୍ତ ଲେଫଟାର୍ଣ୍ଣ କମାଣ୍ଡେଣ୍ଟ ରାକେଶ ପଣ୍ଡା ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରିନ୍ସପାଲ୍ ପ୍ରମୋଦ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକ ସସ୍ମିତା ମହାପାତ୍ର, ପରିଚାଳନା ନିର୍ଦ୍ଦେଶକ ପି.ଅନିଲ ରେଡ୍ଡୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ କୁମାର ମହାପାତ୍ର ପ୍ରମୁଖ ମଂଚାସୀନ ସହ ନିଜ ନିଜ ବକ୍ତବ୍ୟରେ ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ଚିତ୍ର, ମାନସିକ ବୃଦ୍ଧିର ଖେଳ ଏବଂ ଅନ୍ୟାନ୍ୟ ବର୍ଗର ଖେଳକୁଦର ଶିଶୁମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିବା କୃତୀ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଗତି ନୃତ୍ୟ କଳାକେନ୍ଦ୍ରର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଶତପଥୀଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ