୧୦ ବର୍ଷ ପରେ ମଧ୍ୟ ନିର୍ମାଣ ହୋଇପାରିଲାନି ଟେଲାପାଲି ଏଏନ୍‌ଏମ୍ ଗୃହ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଭିତିଭୂମିର ବିକାଶ ପାଇଁ। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲାର ଏଭଳି ଅନେକ ଅଞ୍ଚଳ ଅଛି ଯେଉଁଠେ ଭିତ୍ତିଭୂମି ବିକାଶ ପାଇଁ ଟଙ୍କା ଖର୍ଚ୍ଚ କରାଯାଇଛି, କିନ୍ତୁ ତାହା କୌଣସି କାମରେ ଆସୁନାହିଁ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଡ଼ିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ ଟେଲାପାଲି ଗ୍ରାମରେ। ଟେଲାପାଲି କୌଣସି ଦୁର୍ଗମ ଅଞ୍ଚଳ କିମ୍ବା ଅପହଞ୍ଚ ଇଲାକାରେ ନୁହେଁ, ତାହା ରାଜ୍ୟ ରାଜପଥର ପାର୍ଶ୍ବରେ ଅବସ୍ଥିତ ଉକ୍ତ ଗ୍ରାମ। ତଥାପି ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଏଏନ୍ଏମ୍ ଗୃହ ଆଜିକୁ ୧୦ ବର୍ଷରୁ ଅଧିକ ବର୍ଷ ହେଲା ଅର୍ଧନିର୍ମିତ ହୋଇ ପଡ଼ିରହିଛି। ଏନେଇ ବିଭାଗ ପାଖରେ ସମସ୍ତ ପ୍ରକାର ଖବର ରହିଥିଲେ ମଧ୍ୟ କେହି ଏହା କିଭଳି ଭାବେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ସେଥିନେଇ ପଦକ୍ଷେପ ନେଉନାହାନ୍ତି ବୋଲି ଖୋଦ୍ ଉକ୍ତ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ସେହିସମୟରେ ନିର୍ମାଣ ହୋଇଥିବା ଉକ୍ତ ଗୃହ କାର୍ଯ୍ୟକୁ ଜନୈକ ଠିକାଦାର କାମ ଆରମ୍ଭ କରି ଅଧଖଣ୍ଡିଆ କରି ଛାଡ଼ି ଚାଲିଯାଇଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ୧୦ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଜଣ ଜିଲା ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗ ଓ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ୱାର୍ଡ଼ ମେମ୍ବର ପ୍ରଦୀପ ସାହାଣୀ। ଟେଲାପାଲି ଗ୍ରାମର ବଡ଼ଣା କହଁର, ଯୋଗେନ୍ଦ୍ର କହଁର ଓ ପିତବାସ କହଁର କହିଛନ୍ତି ଯେ ଏ ସଂକ୍ରାନ୍ତରେ ପଞ୍ଚାୟତ ବୈଠକ କିମ୍ବା ପଲିସଭା ଓ ଗାଁ ବୈଠକରେ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ ପଦକ୍ଷେପ ନିଆଯାଇ ନାହିଁ। ଏନେଇ ସରପଞ୍ଚ କହ୍ନେଇ କହଁର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗ୍ରାମବାସୀ ମାନଙ୍କ ଠାରୁ ଅଭିଯୋଗ ପାଇଛି, କିନ୍ତୁ ଗତ ୧୦ ବର୍ଷ ତଳେ ଏହା ନିର୍ମାଣ ହୋଇ ଆଉ ଶେଷ ହୋଇ ନାହିଁ। ସମସ୍ୟା ସମ୍ପର୍କରେ ବ୍ଳକ ପ୍ରଶାସନକୁ ମଧ୍ୟ ଜଣାଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବାଧ୍ୟ ହୋଇ ଉକ୍ତ ପଞ୍ଚାୟତର ଏଏନ୍ଏମ୍ ଦାୟିିତ୍ୱରେ ଥିବା କର୍ମଚାରୀ ବୁଲି ବୁଲି କାମ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ପଚାରିବାରୁ ସେ କହିଥିଲେ ଯେ ନୂତନ ଭାବେ ଦାୟିତ୍ୱ ନେଇଛନ୍ତି, ତେଣୁ ତାଙ୍କ ପାଖରେ ଏନେଇ କୌଣସି ପ୍ରକାର ତଥ୍ୟ ନାହିଁ। ତଥାପି ଅଭିଯୋଗ ଉପରେ ଦୃଷ୍ଟିଦେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ