୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାରେ ବ୍ରାଉନ ସୁଗାର କାରବାର ରୋକିବା କ୍ଷେତ୍ରରେ ବାଲେଶ୍ୱର ପୁଲିସକୁ ମିଳିଛି ଆଶାତୀତ ସଫଳତା । ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ପୁଲିସ ଟିମ ସହର ଉପକଣ୍ଠ ଫୁଲାଡ଼ି ଅଞ୍ଚଳରୁ ଶୁକ୍ରବାର ଭୋର ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ମଧ୍ୟପ୍ରଦେଶରଶେଖ ଶେଖ ଆୟୁବ, ଅରଡ଼ବଜାର ଅଞ୍ଚଳର ଜାମସେଦଙ୍କ ପୁତ୍ର ଶେଖ ହୁସେନ, ଶେଖ ଜୁଲଫୁକରଙ୍କ ପୁତ୍ର ଲାଡ଼େନ ଓରଫ ଶେଖ ସଫିକ, ଶେଖ ଜାମସେଦଙ୍କ ପୁତ୍ର ଶେଖ ରାଜୁ ଓ ବାବୁ ଓରଫ ଶେଖ ସମିର, ଏବଂ ରବୀନ୍ଦ୍ର ତରେଇଙ୍କ ପୁତ୍ର ରିଣ୍ଟୁ ତରେଇ । ସେମାନଙ୍କ ଠାରୁ ୬ ଗୋଟି ପଲିଥିନ ପ୍ୟାକେଜର ୧୦.୬ କେଜି ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଏଥି ସହିତ ଓଡି-୦୧ଜେଡ / ୯୩୬୫ ନଂର ୟମାହା ଏଫଜେଡ ମୋଟରସାଇକେଲ, ଓଡି-୦୧ଏଏମ/ ୭୧୪୦ ନଂର ହୋଣ୍ଡା ସ୍କୁଟି, ୫ଟି ଅଣ୍ଡ୍ରୟେଡ ମୋବାଇଲ ଫୋନ ଓ ଗୋଟିଏ କିପେଡ ମୋବାଇଲ, ୨୧ ହଜାର ଟଙ୍କା ଏବଂ ଗୋଟିଏ ଆଧାରକାର୍ଡ଼ ପୁଲିସ ଜବତ କରିଥିବା ଆଇଜି କହିଛନ୍ତି । ଫୁଲାଡ଼ି ଅଞ୍ଚଳରେ ବିପୁଳ ପରିମାଣର ବ୍ରାଉନସୁଗାର ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ଟିମ ଅରଡ଼ବଜାରରୁ ଫୁଲାଡ଼ି ପର୍ଯ୍ୟନ୍ତ ଅଞ୍ଚଳ ଉପରେ ନଜର ରଖିଥିଲା । ଗତକାଲି ବିଳମ୍ବିତ ରାତିରେ ଫୁଲାଡ଼ି ନିକଟ ବୁଢ଼ାବଳଙ୍ଗ ନଦୀକୂଳରେ ବ୍ରାଉନସୁଗାର ହସ୍ତାନ୍ତର କରାଯିବା ବେଳେ ପୁଲିସ ଟିମ ଚଢ଼ଉ କରିଥିଲା । ତେବେ ଅନ୍ୟ କେତେକ ଅଭିଯୋଗ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ୬ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚୁରା ଚାଲିଥିବା ବେଳେ ଆସାମ ସୀମାନ୍ତରୁ ଏହି ବ୍ରାଉନସୁଗାର ଆସିଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ସଦର ଏସଡିପିଓ ଶଶାଙ୍କ ଶେଖର ଦେଉରା, ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।