୧୪୪ଧାରା ଜାରିପରେ ଓରାଳି ଛକ ଶୁନସାନ, ଉଭୟ ପକ୍ଷରୁ ୮ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବଦକୁ କେନ୍ଦ୍ରକରି ଆପଣ୍ଡା ଓ ଓରାଳି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ଗୃହଦାହ ଆଦି ଘଟଣାରେ ପ୍ରଶାସନ ପକ୍ଷରୁ ଗତକାଲି ୧୪୪ଧାରା ଜାରି କରାଯାଇଛି । ଏହି ୧୪୪ଧାରା ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ଜାରି ରହିଛି । ଫଳରେ ଓରାଳିଛକ ଆଜି ଶୁନସାନ ହୋଇ ପଡିଛି । ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ଜଗି ରହିଥିବାବେଳେ ବନ୍ତ ତହସିଲଦାର ଓ ବନ୍ତ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବନ୍ତ ପୁଲିସ ଆପଣ୍ଡା ଗ୍ରାମର କାଶିନାଥ ନାୟକଙ୍କ ଅଭିଯୋଗ କ୍ରମେ ଥାନା କେସନଂ-୫୪/୨୩ରେ ଏକ ମାମଲା ରୁଜୁକରି ଗତକାଲି ଓରାଳି ଗ୍ରାମର ଗୌରହରୀ ରାଉତ, ଶିବ ପ୍ରସାଦ ରାଉତ, ଶୁଭମ ରାଉତ, ତୋଫାନ ଭୋଇ, ବୃନ୍ଦାବନ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଓରାଳି ଗ୍ରାମର ଭୀମସେନ ଜେନାଙ୍କ ଅଭିଯୋଗ କ୍ରମେ ଥାନାକେସନଂ ୫୫/୨୩ରେ ଏକ ମାମଲା ରୁଜୁକରି ଆଜି ଆପଣ୍ଡା ଗ୍ରାମର କୋଦଣ୍ଡଧର ଜେନା, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଉଭୟ ଗ୍ରାମର ଲୋକଙ୍କୁ ନେଇ ଶାନ୍ତିକମିଟି ଗଠନ କରିବା ସହିତ ଉଭୟ ଗ୍ରାମରେ ଶାନ୍ତି ଫେରାଇ ଆଣିବାପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଏଠାରେ ସୁଚନାଯୋଗ୍ୟ ଯେ ଓରାଳି ଛକର ସୀମା ବିବାଦକୁ କେନ୍ଦ୍ରକରି ଗତ ଶନିବାର ରାତିରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଓ ପୋଡାଜଳା, ଲୁଟତରାଜ ହେବାସହ ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିଲେ । ଦୁଇ ଦୁଇଟି କାର ସହ ୨୦ରୁ ଉର୍ଦ୍ଧ ଦୋକାନ, ବାସଗୃହ ଓ ୭ଟି ବାଇକ ଆଦି ଜଳାଇ ଦେଇଥିଲେ । ଅନେକ ଦେକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଓରାଳି ସରପଞ୍ଚଙ୍କ ପରିବାର ଲୋକେ ଜୀବନ ବଞ୍ଚାଇବା ପାଇଁ ଓରାଳି ଛକସ୍ଥିତ ନିଜଘରୁ ପଳାଇବାପରେ ଲୋକମାନେ ତାଙ୍କ ଘରକୁ ଭାଙ୍ଗୀିରୁଜି ନ୍େଟ କରିଦେବା ସହ ସମସ୍ତ ଜନିଷପତ୍ର ଲୁଟିନେଇ ନିଆଁ ଲଗାଇ ଦେଇଥିଲେ । ଅନେକ ଦୋକାନକୁ ଭାଙ୍ଗି ଦୋକାନ ସାମଗ୍ରୀ ସବୁ ଲୁଟ କରିନେବାପରେ ଦୋକାନ ଗୁଡିକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋିଥିଲା । ଏହି ଘଟଣାରେ ଆପଣ୍ଡା ଗ୍ରାମର କାଶୀନାଥ ନାୟକ ଓ ଓରାଳି ଗ୍ରାମର ଭୀମସେନ ଜେନାଙ୍କ ଅଭିଯୋଗ ଅଧାରରେ ବନ୍ତ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି ।