୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ
ନିମାପଡ଼ା,( ସନ୍ତୋଷ ଦାଶ):ରାଜ୍ୟ ପର୍ଯ୍ୟଟନ ବିଭାଗ , ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆୟୋଜନରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପାଞ୍ଚ ଦିନିଆ ୩୫ ତମ କୋଣାର୍କ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସର ରେ ଚନ୍ଦ୍ରଭାଗା ର ସ୍ବର୍ଣ୍ଣାଭ ବେଳାଭୂମିରେ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ କୁ ରବିବାର ସଂଧ୍ୟା ରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପ୍ରଥମ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟ ସାଙ୍ଗକୁ ବାଲୁକା ରାଶିରେ ବାଲୁକା କଳା ମାଧ୍ୟମରେ ମହିଳା ସଶକ୍ତିକରଣ ,ଓଡିଆ ଅସ୍ମିତା ଓ ବିଶ୍ୱ ଐତିହ୍ୟ ,ସ୍ମାରକୀର ଚିତ୍ତାକର୍ଷକ ବାର୍ତ୍ତାକୁ ହଜାର ହଜାର ପର୍ଯଟକ ମନଭରି ଉପଭୋଗ କରିଛନ୍ତି । ପ୍ରଥମ ଦିନରେ ଛଅ ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସମେତ ରାଜ୍ୟ ବାହାରୁ ୧୦ ଜଣ ଓ ଆମ ରାଜ୍ୟର ୩୫ ଜଣ ମହିଳା ବାଲୁକା ଶିଳ୍ପୀଙ୍କ ସମେତ ୧୨୮ ଜଣ ବାଲୁକା ଶିଳ୍ପୀ ବାଲୁକା କଳା ମାଧ୍ୟମରେ ମହିଳା ସଶକ୍ତିକରଣ ,ଓଡ଼ିଆ ଅସ୍ମିତା ଓ ବିଶ୍ୱ ଐତିହ୍ୟ , ପ୍ରାଚୀନ ସ୍ମାରକୀ ର ସୁରକ୍ଷା ର ବାର୍ତ୍ତା ନେଇ ବାଲୁକା କଳା ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମତୀ ପ୍ରଭାତୀ ପରିଡ଼ା , ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ ଚିତାକର୍ଷକ ବାଲୁକା କଳାକୁ ବୁଲି ଦେଖିଥିଲେ । ଏହି ବାଲୁକା କଳା କୁ ଜନସାଧାରଣ ଦିନ ୯ ରୁ ରାତି ୯ ଟା ପର୍ଯ୍ୟନ୍ତ ବୁଲି ଦେଖି ପାରିବେ।