୧୬ ବର୍ଷରେ ପହଞ୍ଚିଲା ଓଟିଏମ୍ ବଞ୍ଚାଅ ଆନ୍ଦୋଳନ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଓଡିଶାର ସର୍ବପଥମ ବୃହତ ଶିଳ୍ପ ଓଡିଶା ଟେକ୍ସଟାଇଲ ମିଲ୍ସ (ଓଟିଏମ୍) ବନ୍ଦ ହେବାପରେ ଏହାକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଓଟିଏମ୍ ବଞ୍ଚାଅ ଆନ୍ଦୋଳନ ୧୫ବର୍ଷ ଅତିକ୍ରମ କରି ୧୬ବର୍ଷରେ ପ୍ରବେଶ କରିଛି । ଏହି ପରିପ୍ରେକ୍ଷୀରେ ଓଟିଏମ୍ର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନର ପ୍ରତିକ ଲାଲପତାକା ଉତ୍ତଳନ ହୋଇଥିଲା ।କୋଭିଡ-୧୯ ନିୟମକୁ ପାଳନକରି ଖୁବ୍ କମ୍ ସଂଖ୍ୟାକ ଶ୍ରମିକ ପ୍ରତିନିଧିମାନେ ଉପସ୍ତିତ ରହି ଆନ୍ଦୋଳନ ଦିବସକୁ ପାଳନ କରିଥିଲେ।ପତାକା ଉତ୍ତୋଳନ ପରେ ଆତ୍ମହତ୍ୟା କରିଥିବା ୨୯ଶ୍ରମିକ ଓ ଆନ୍ଦୋଳନରେ ସାମିଲ ରହି ପ୍ରାପ୍ୟ ନପାଇ ପ୍ରାଣ ହରାଇଥିବା ୬୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଶ୍ରମିକମାନେ ସରକାର ଓଟିଏମ୍ର ପୁନଃଉଦ୍ଧାର କ୍ଷେତ୍ରରେ ଅତ୍ୟଧିକ କାଳକ୍ଷେପଣ ନିତୀକୁ ନିନ୍ଦା କରିଥିଲେ । ଗତ ୧୫ବର୍ଷ ଭିତରେ ରାଜ୍ୟ ସରକାର ଓ ନେତାମାନେ ଅନେକ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନଥିବାରୁ ଶ୍ରମିକମାନେ କ୍ଷଭ ପ୍ରକାଶ କରିଥିଲେ । ସରକାରଙ୍କର ଦୃଢ ଇଚ୍ଛା ଶକ୍ତି ରହିଲେ ଅଦାଲତରେ ଓଟିଏମ୍ କେସ୍ର ସମାଧାନ ହୋଇପାରନ୍ତା ଏବଂ ଏତଦ୍ଦ୍ୱାରା ଶ୍ରମିକମାନେ ତାଙ୍କର ପ୍ରାପ୍ୟ ପାଇପାରନ୍ତେ ବୋଲି ଆନ୍ଦୋଳନର ମୂଖ୍ୟ ପୁରଦା ଦୀପକ ବାରିକ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ବିଭୂ ପ୍ରସାଦ ରଥ, ଦୁଲାଣସେନ ସ୍ୱାଇଁ, ନବକିଶୋର ଭୂୟାଁ, ବିଜୟ ସାହୁ, ସରୋଜ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ରବି ସାହୁ ପ୍ରମୂଖ ଉପସ୍ଥିତ ରହି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶ୍ରମିକମାନେ ଏହି ଲଢେଇରେ ସାମିଲ ରହିବେ ବୋଲି ଶପଥ କରିଥିଲେ ।