୧୬ ସୁଦ୍ଧା ଓଡ଼ଶା ଛାଡ଼ିପାରେ ମୌସୁମୀ
ଭୁବନେଶ୍ୱର : ଏଥର ବିଳମ୍ବରେ ଓଡ଼ିଶାରେ ଶୀତ ପ୍ରବାହ ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ ସମୟରେ ଯେମିତି ଲୁଚକାଳି ଖେଳୁଥିଲା, ପ୍ରତ୍ୟାବର୍ତନ ସମୟରେ ବି ସମାନ ସ୍ଥିତି ଲାଗି ରହିଛି । କେବେ ଛାଡ଼ିବ, ସେନେଇ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରି ନାହିଁ । ତିନି ଦିନ ହେଲା ବିଭାଗ ଆକଳନ କରୁଛି ଯେ ୨ ଦିନ ଭିତରେ ପୂର୍ବ ଭାରତରୁ ଶୀତ ପ୍ରତ୍ୟାବର୍ତନ କରିବ । ତେବେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ନାହିଁ, ବରଂ ପୂର୍ବଭଳି ଦୁଇରୁ ୩ ଦିନ ଭିତରେ ମୌସୁମୀ ଓଡ଼ିଶାରୁ ପତ୍ୟାବର୍ତନ କରିବ ବୋଲି ଆଜି ବି କୁହାଯାଇଛି ।
ପାଣିପାଗ କେନ୍ଦ୍ରର ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଏଥର ମୌସୁମୀ ପ୍ରତ୍ୟାବର୍ତନରେ ବିଳମ୍ବ ହେଉଥିବାରୁ ଶୀତ ଆସିବା ବି ବିଳମ୍ବ ହେବ । ସାଧାରଣତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ରାତିର ତାପମାତ୍ରା ୧୨ ଡିଗ୍ରିକୁ ଖସି ଆସେ ଓ ଶୀତ ଅନୁଭୂତ ହୋଇଥାଏ । ଏଥର କିନ୍ତୁ ବିଳମ୍ବ ହୋଇଛି । ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ । ତେଣୁ ଅକ୍ଟୋବର ୪ର୍ଥରୁ ଶୀତ ପ୍ରବାହ ହୋଇପାରେ ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ରାଜସ୍ଥାନ ଉପରେ ଏକ ଗୁରୁଚାପ ବଳୟ ରହିଛି । ପ୍ରଭାବରେ ଓଡ଼ିଶାକୁ ଜାମ୍ମୁ ଓ କାଶ୍ମୀର ଆଡ଼ୁ ଉତ୍ତରା ପବନ ହେଉଛି । ଆସନ୍ତା ଦୁଇ ଦିନ ଧରି ଏହା ଜାରି ରହିବ । ୧୪ ତାରିଖରେ ଉତ୍ତର ଓଡ଼ିଶା ବ୍ୟତୀତ ରାଜ୍ୟ ଅନ୍ୟ ସମସ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ୧୫ରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଦକ୍ଷିଣ ଓଡି଼ଶାରେ ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ । ୧୭ ଓ ୧୮ରେ ରାଜ୍ୟର ଅନେକ ଜାଗାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।
ଅନୁମାନ କରାଯାଉଛି ଯେ ସୋମବାର ଓ ମଙ୍ଗଳବାର ଉପକୂଳବର୍ତୀ ଅଞ୍ଚଳରେ ରାତିର ତାପମାତ୍ରା ଏକ ଡିଗ୍ରି ସେଲସିୟସ୍ ଲେଖାଏ କମିବ । କିନ୍ତୁ ପଶ୍ଚିମ ଓଡ଼ିଶାରେ ଦେଢ଼ ଡିଗ୍ରି ଲେଖାଏ କମିବାର ସମ୍ଭାବନା ରହିଛି । ତେବେ ୧୫ ତାରିଖ ସୁଦ୍ଧା ବାୟୁର ଦିଗ ପରିବର୍ତନ ହେବ । ପଶ୍ଚିମା ପବନ ବଦଳରେ ୧୬ ତାରିଖରେ ଉତ୍ତର-ପୂର୍ବ ଦିଗରୁ ପବନ ବହିବ । ୧୭ ତାରିଖରେ ବଙ୍ଗୋପସାଗରୀୟ ପୂର୍ବା ପବନ ହେବ । ଫଳରେ ୧୬ତାରିଖଠାରୁ ରାତିର ତାପମାତ୍ରା ପୁଣି ଦୁଇ ଡିଗ୍ରି ବଢ଼ିବ । ଯାହାକି ପରବର୍ତୀ ୪ଦିନ ପର୍ଯ୍ୟନ୍ତ ଲାଗି ରହିବ ଓ ବର୍ଷା ହେବ । ତେଣୁ ୨୧ ତାରିଖ ପର୍ଯ୍ୟନ୍ତ ଶୀତ ଆସିବାର ସମ୍ଭାବନା ନାହିଁ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ୧୪ ଓ ୧୫ ତାରିଖରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । କେତେକ ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି । ତେବେ ୧୪ ତାରିଖ ଅପରାହ୍ଣରୁ ୧୫ ତାରିଖ ଅପରାହ୍ଣ ମଧ୍ୟରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇପାରେ । ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗତ ଏକ ସପ୍ତାହ ପରି ଗତକାଲି ମଧ୍ୟ ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି । ଗତ ୧୨ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୬ ଓ କେନ୍ଦୁଝରରେ ୨୦.୪ମିମି ବର୍ଷା ହୋଇଛି । ଏଥିସହ ବାଲେଶ୍ୱର, ଭୁବନେଶ୍ୱର, କଟକ, ଗୋପାଳପୁର ଆଦି ଅଞ୍ଚଳରେ ବି ବର୍ଷା ହୋଇଛି ।


