ଚିନ୍ତା ବଢ଼ାଇଲା ବିଶ୍ୱ ବ୍ୟାଙ୍କର ଆକଳନ : ଭାରତର ଅଭିବୃଦ୍ଧି ୬%କୁ ଖସିବ

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତିର ବର୍ତ୍ତମାନର ସ୍ଥିତି ଓ ନିକଟ ଭବିଷ୍ୟତରେ ସୁଧାରକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ସଂସ୍ଥାଗୁଡ଼ିକ ଆଦୌ ଆଶାବାଦୀ ନାହାନ୍ତି । ଏହାର ପ୍ରମାଣ ସେମାନଙ୍କ ଅଭିବୃଦ୍ଧି ଆକଳନରୁ ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାର ନିମ୍ନଗାମୀ ହେଉଥିବା ଅଭିବୃଦ୍ଧି ହାରକୁ ବଢ଼ାଇବା ପାଇଁ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରୁଥିଲାବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଅର୍ଥନୈତିକ ସଂସ୍ଥା ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର କମିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଭାରତର ରିଜର୍ଭ ବ୍ୟାଙ୍କ, ରେଟିଂ ଏଜେନ୍ସି ମୁଡିସ୍‌, ଏସୀୟ ବିକାଶ ବ୍ୟାଙ୍କ, ଓଇସିଡି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପରେ ଏବେ ବିଶ୍ୱ ବ୍ୟାଙ୍କ ମଧ୍ୟ ଚଳିତବର୍ଷ ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଆକଳନ କରିଛି ।
୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬ ପ୍ରତିଶତକୁ କମିଯିବ ବୋଲି ଆଜି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି । ବିଶ୍ୱବ୍ୟାଙ୍କ ଗତ ଏପ୍ରିଲରେ କରିଥିବା ଏହାର ପୂର୍ବ ଆକଳନରେ ଭାରତର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୭.୫ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା । ତେବେ ପୂର୍ବ ଆକଳନରେ ସଂଶୋଧନ କରି ବିଶ୍ୱବ୍ୟାଙ୍କ୍ ଏବେ ଭାରତର ଜିଡିପି ଅଭିବୃଦ୍ଧି ହାର ଆହୁରି ୧.୫ ପ୍ରତିଶତ କମିଯିବ ବୋଲି ଆକଳନ କରି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । “ସାଉଥ୍ ଏସିଆ ଇକୋନୋମିକ୍ ଫୋକସ, ଫଲ୍ ୨୦୧୯: ମେକିଂ (ଡି)ସେଣ୍ଟ୍ରାଲାଇଜେସନ ୱାର୍କ’ ଶୀର୍ଷକ ରିପୋର୍ଟରେ ବିଶ୍ୱବ୍ୟାଙ୍କ ଭାରତର ଅଭିବୃଦ୍ଧି ନେଇ ଏଭଳି ଆକଳନ କରିଛି । ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା “ସାଂଘାତିକ’ ମାନ୍ଦାବସ୍ଥା ଦେଶର ଟଳମଳ ହେଉଥିବା ଆର୍ଥିକ କ୍ଷେତ୍ରକୁ ଅଧିକ ଦୁର୍ବଳ କରିଦେଇପାରେ ବୋଲି ବିଶ୍ୱବ୍ୟାଙ୍କ ସତର୍କ କରାଇ ଦେଇଛି ।
ଚଳିତ ଆର୍ଥିକ ବର୍ଷ ପାଇଁ ଏସିଆର ତୃତୀୟ ବୃହତ୍ ଅର୍ଥନୀତି ଭାବେ ପରିଚିତ ଭାରତ ନିମନ୍ତେ ଅନ୍ୟ ଏକ ଚିନ୍ତାର ବିଷୟ ହେଲା ପଡ଼ୋଶୀ ନେପାଳ ଏବଂ ବାଂଲାଦେଶର ଅଭିବୃଦ୍ଧି ଆମଠାରୁ ଅଧିକ ରହିବ । ନେପାଳର ଅର୍ଥନୀତି ୬.୫ ପ୍ରତିଶତ ଏବଂ ବାଂଲାଦେଶର ଅର୍ଥନୀତି ୭.୨ ପ୍ରତିଶତ ହାରରେ ଆଗକୁ ବଢ଼ିବ ।
ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତୀୟ ଅର୍ଥନୀତିରେ ଯେଉଁ ଉଲ୍ଲେଖନୀୟ ମନ୍ଥରତା ପରିଲକ୍ଷିତ ହୋଇଛି ତାହା ଉଭୟ ବାହ୍ୟ ଏବଂ ଚକ୍ରାକାର (ସାଇକ୍ଲିକାଲ) କାରଣ ଯୋଗୁଁ ହୋଇଛି । କିନ୍ତୁ ଏହି ସମୟ ମଧ୍ୟରେ ଭାରତୀୟ ଅର୍ଥନୀତିରେ କେତେକ ଢାଞ୍ଚାଗତ(ଷ୍ଟ୍ରକ୍‌ଚରାଲ) ସମସ୍ୟା ଉଭା ହୋଇଛି । ଏହି ସମସ୍ୟା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଭାରତର ଆର୍ଥିକ ବଜାରର ଦୁର୍ବଳତା । ଏଥିଯୋଗୁଁ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକର ଋଣ ପ୍ରଦାନ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ଅର୍ଥନୀତିକୁ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରାଇବା ପାଇଁ ହେଲେ ଆର୍ଥିକ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ବିଶ୍ୱ ବ୍ୟାଙ୍କ ଏହାର ରିପୋର୍ଟରେ ସ୍ପଷ୍ଟ କରିଦେଇଛି ।
ନିକଟରେ ରେଟିଂ ଏଜେନ୍ସି ମୁଡିସ୍ ଇନଭେଷ୍ଟର ସର୍ଭିସେସ୍‌, ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ଯଥାକ୍ରମେ ୫.୮ ପ୍ରତିଶତ ଏବଂ ୬.୧ ପ୍ରତିଶତକୁ କମାଇ ଦେଇଥିଲା । ସେହିଭଳି ରିଜର୍ଭ ବ୍ୟାଙ୍କ ଚଳିତ ମାସରେ ଏହାର ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ୬.୧ ପ୍ରତିଶତକୁ ସଂଶୋଧିତ କରିଛି । ଏତଦ୍ୱ୍ୟତୀତ ଏସୀୟ ବିକାଶ ବ୍ୟାଙ୍କ ଏବଂ ଓଇସିଡି ପକ୍ଷରୁ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ଯଥାକ୍ରମେ ୬.୫ ପ୍ରତିଶତ ଏବଂ ୫.୯ ପ୍ରତିଶତକୁ ଖସାଇ ସାରିଛନ୍ତି । ତେବେ ଆଶ୍ୱାସନାର ବିଷୟ ହେଲା ୨୦୨୦-୨୧ ଆର୍ଥିକ ବର୍ଷରୁ ଭାରତର ଅଭିବୃଦ୍ଧିରେ ସୁଧାର ଆସିବ । ୨୦୨୦-୨୧ରେ ଭାରତର ଜିଡିପି ୬.୯ ପ୍ରତିଶତକୁ ଏବଂ ୨୦୨୧-୨୨ରେ ୭.୨ ପ୍ରତିଶତକୁ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି ।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇସାରିଛି । ଗତ ୬ ବର୍ଷରୁ ଊଧ୍ୱର୍ ସମୟ ମଧ୍ୟରେ ଏହା ସର୍ବନିମ୍ନ । ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଇବା ପରେ ସରକାର ଏକାଧିକ ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ଏସବୁର ସୁଫଳ ନିକଟ ଭବିଷ୍ୟତରେ ମିଳିବାର ସମ୍ଭାବନା ନାହିଁ ବୋଲି ଆଜି ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଆକଳନରୁ ସ୍ପଷ୍ଟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ