୧୭୭ ଓଡ଼ିଆ ଝିଅଙ୍କୁ ଉଦ୍ଧାର କଲେ ସୋନୁ

କୋରୋନା ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବାବେଳେ ଜୀବିକା ହରାଇ ନିଜ ନିଜ ଘରକୁ ଫେରି ଯିବାକୁ ବ୍ୟାକୁଳ ହେଉଛନ୍ତି ପ୍ରବାସୀ ଶ୍ରମିକ। କିଏ ଚାଲିଚାଲି ତ ଆଉ କିଏ ସାଇକେଲରେ। ଯିଏ ଯେମିତି ପାରୁଛି ଭିଟାମାଟିକୁ ଫେରିଯିବାକୁ ଉଦ୍ୟମ ଜାରି ରଖିଛି। କିଏ ଏଥିରେ ସଫଳ ହେଉଛି ତ ଆଉ କିଏ ଘରକୁ ଫେରିବା ପାଇଁ ସ୍ଥାନୀୟ ପ୍ରଶାସନଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଗୁହାରି କରୁଛନ୍ତି। ଏଭଳି ଏକ ବିପଦ ସମୟରେ ସେମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅଭିନେତା ସୋନୁ ସୁଦ। ମୁମ୍ବାଇର ଶେଷ ଶ୍ରମିକ ଘରେ ନ ପହଞ୍ଚିବା ଯାଏ ସେ ତାଙ୍କର ଏହି କାମ ଜାରି ରଖିବେ ବୋଲି ସୋନୁ ପଣ କରିଛନ୍ତି। ତେବେ କେବଳ ମୁମ୍ବାଇରୁ ନୁହେଁ, ଯିଏ ଯେଉଁଠୁ ତାଙ୍କୁ ଅନୁରୋଧ କରୁଛନ୍ତି ସେମାନଙ୍କୁ ମଧ୍ୟ ଘରେ ପହଞ୍ଚାଇବାରେ ସେ ସାହାଯ୍ୟ କରୁଛନ୍ତି। ସୋନୁ ପରଦାରେ ସିନା ଖଳନାୟକ ଚରିତ୍ରରେ ଅଭିନୟ କରନ୍ତି, କିନ୍ତୁ ପ୍ରତ୍ୟେକକ ହୃଦୟରେ ଏବେ ସେ ପ୍ରକୃତ ହିରୋ ପାଲଟିଛନ୍ତି। ଗରିବ ତଥା ଶ୍ରମିକଙ୍କୁ କେବଳ ଘରେ ପହଞ୍ଚାଇବା କାମ ନୁହେଁ, ଏଥିସହିତ ସେ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
ସୋନୁ ଶ୍ରମିକଙ୍କୁ ବସରେ ଘରକୁ ଫେରିବା ପାଇଁ ଏକ ଟୋଲ ଫ୍ରି ନମ୍ବର ଜାରି କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ, ସେ ୧୭୭ ଜଣ ଓଡ଼ିଆ ଝିଅଙ୍କୁ ଏୟାରଲିଫ୍ଟ ମଧ୍ୟ କରିଛନ୍ତି। ଏହି ଯୁବତୀମାନେ କେରଳର ଏର୍ନାକୁଲମରେ ଫସି ରହିଥିଲେ। ସେମାନେ ଏକ ସ୍ଥାନୀୟ ଫ୍ୟାକ୍ଟ୍ରିରେ ସିଲେଇ ଓ ଏମ୍ବ୍ରୋଡୋରୀ କାମ କରୁଥିଲେ। କୋଭିଡ୍-୧୯ ପାଇଁ ଏହି ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିଲା। ଫଳରେ ସମସ୍ତଙ୍କ ପାଇଁ ସମସ୍ୟା ବଢ଼ି ଯାଇଥିଲା। ଏ ସମ୍ପର୍କରେ ଭୂବନେଶ୍ବରରେ ରହୁଥିବା ସୋନୁଙ୍କ ଜଣେ ନିକଟତମ ବନ୍ଧୁ ତାଙ୍କୁ ଜଣାଇଥିଲେ। ଏହାପରେ ସୋନୁ କୋଚି ଓ ଭୁବନେଶ୍ବର ବିମାନବନ୍ଦରକୁ ଅପରେଟ୍ କରିବା ଲାଗି ସରକାରଙ୍କ ଅନୁମତି ନେଇଥିଲେ। ମିଳିଥିବା ସୂଚନାନୁସାରେ ଏହି ଯୁବତୀମାନଙ୍କ ପାଇଁ ବେଙ୍ଗାଳୁରୁରୁ ଏକ ସ୍ବତନ୍ତ୍ର ଏୟାରକ୍ରାପ୍ଟ କୋଚି ଅଣାଯାଇଥିଲା। ଏବେ ଏହି ବିମାନ ଉକ୍ତ ଯୁବତୀଙ୍କୁ ନେଇ ଭୁବନେଶ୍ବର ଆସିଛି। ଫଳରେ ସେମାନେ ନିଜ ପରିବାର ଲୋକଙ୍କ ପାଖକୁ ଯାଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ