୧୮ହାତୀ ଉପଦ୍ରବ, ଭାଙ୍ଗିଲେ ୩ ଘର
ଯୋଡ଼ା (ଯୁଗାଦ୍ଦ) : ଚମ୍ପୁଆ ରେଂଜ୍ ଯୋଡା ବନପାଳ ଅନ୍ତର୍ଗତ ଜଜାଙ୍ଗଠାରେ ୧୮ ଟି ହାତୀଙ୍କ ଉପଦ୍ରବ ହେବା ସହିତ ହାତୀପଲ ୩ ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି । ଯୋଡା ବନପାଳ ପିଅନ ନାଏକଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ବୁଧବାର ରାତିରେ ଏହି ୧୮ ଗୋଟି ହାତୀ ଗୁରୁବେଡା ଜଙ୍ଗଲ ମଧ୍ୟରେ ଥିବା ପମ୍ପ ହାଉସ୍ ଭିତରେ ପଶିଥିଲେ । ପରେ ଏହି ହାତୀପଲ ରାତିପ୍ରାୟ ୧୦ଟା ସମୟରେ ବାଲିବନ୍ଧ ଫରେଷ୍ଟ ଅନ୍ତର୍ଗତ କନକନା ଓ ଗୁଗୁଦୁରୀ ଅଭିମୁଖେ ଯାଇ ସେଠାରୁ ପୁଣି ବନ୍ଧୁଆବେଡା ଓ ଜଜାଙ୍ଗ ଅଭିମୁଖେ ଆସିଥିଲେ । ରାତି ପ୍ରାୟ ୧ ଟା ସମୟରେ ହାତୀପଲ ଜଜାଙ୍ଗ ଅଂଚଳର ପୂର୍ଣ୍ଣ ନାଏକ, ଗିଡୁ ମାଝି ଓ ଟୁନିଆ ମାଝିଙ୍କ ଘର ଭାଙ୍ଗିବା ଦେଇଥିଲେ ଓ ଘରେ ରଖାଯାଇଥିବା ଧାନଚାଉଳକୁ ଖାଇ ଦେଇଥିବା ଜଣାପଡିଛି । ଖବର ପାଇ ଯୋଡା ବନପାଳ ପିଅନ ନାଏକ , ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ବେହେରା ଓ ଦୋଳ ଗୋବିନ୍ଦ ଦେଓ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିଥିଲେ । ଘର ଭଙ୍ଗା ଯାଇଥିବା ଲୋକଙ୍କର ଲିଖିତ ଅଭିଯୋଗ ହେବା ପରେ ଆଇନ ଅନୁଯାୟୀ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଯୋଡା ବନପାଳ ପିଅନ ନାଏକ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବୈତରଣୀ ସଂରକ୍ଷିତ ଜଙ୍ଗଲରେ ୭ ଟି ହାତୀ ଓ ଚିପିଣ୍ଡା ଜଙ୍ଗଲରେ ଗୋଟିଏ ହାତୀ ବିଚରଣ କରୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।


