୨ଠ୨୩ ସୁଦ୍ଧା ୪ଠ% ବଢିବ ଇଣ୍ଟରନେଟ୍ ବ୍ୟବହାକାରୀଙ୍କ ସଂଖ୍ୟା
ନୂଆଦିଲ୍ଲୀ, (ଏଜେନ୍ସି): ଦେଶରେ ଡାଟା ମୂଲ୍ୟ ଲଗାତାର ଶସ୍ତା ହେବାରେ ଲାଗିଛି । ଯଦ୍ୱାରା ଆର୍ଥିକ ବର୍ଷ ୨୦୨୩ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପାଖି ୪୦% ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସ୍ମାର୍ଟଫୋନ୍ ରଖିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦୁଇଗୁଣା ହେବ ବୋଲି ଆକଳନ କରାଯାଇଛି । ମାକିନ୍ସେର ଏକ ରିପୋର୍ଟରେ ଏ ସମ୍ବନ୍ଧରେ ଦର୍ଶାଯାଇଛି । ଆର୍ଥିକ ବର୍ଷ ୨୦୧୩ରୁ ଏଯାବତ୍ ଡାଟା ଖର୍ଚ୍ଚ ୯୫% ହ୍ରାସ୍ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଡିଜିଟାଲ କ୍ଷେତ୍ର ୨୦୨୫ ସୁଦ୍ଧା ଦୁଇ ଗୁଣା ବୃଦ୍ଧି ପାଇ ୩୫୫ରୁ ୪୩୫ଅରବ ଡଲାର ହୋଇଯିବ । ମାକିନ୍ସେ ଗ୍ଲୋବାଲ୍ ଇନ୍ଷ୍ଟିଚ୍ୟୁଟ୍ର ରିପୋର୍ଟ ‘ଡିଜିଟାଲ ଇଣ୍ଡିଆ-ଟେକ୍ନୋଲୋଜି’ ଟୁ ଟ୍ରାନ୍ସଫର୍ମ ଏ କନେକ୍ସନ ନେସନ୍ରେ କହିଛନ୍ତି ଯେ ଭାରତ ଡିଜିଟାଲ୍ ଉପଭୋକ୍ତାଙ୍କ ପାଇଁ ସର୍ବାଧିକ ବେଗରେ ବଢ଼ୁଥିବା ବଜାର ମଧ୍ୟରୁ ଅନ୍ୟତମ । ଦେଶରେ ୨୦୧୮ ସୁଦ୍ଧା ଇଣ୍ଟରନେଟ୍ର ୫୬କୋଟି ବ୍ୟବହାରକାରୀ ଥିଲେ । ଯାହା କେବଳ ଚୀନ୍ ଠାରୁ ହିଁ କମ । ରିପୋର୍ଟ ଅନୁସାରେ ଦେଶରେ ମୋବାଇଲ୍ ଡାଟା ବ୍ୟବହାରକାରୀ ଆନୁମାନିକ ମାସ ପିଛା ୮.୩୦ଜିବି ଡାଟାର ବ୍ୟବହାର କରିଥାନ୍ତି । ଏହା ଚୀନ୍ରେ ଆନୁମାନିକ ୫.୫୦ଜିବି ଓ ଦକ୍ଷିଣ କୋରିଆ ପରି ଉନ୍ନତ ଡିଜିଟାଲ ବଜାରରେ ୮ରୁ ୮.୫ଜିବି ରହିଛି । ସେ କହିଛନ୍ତି ଯେ ୧୭ ପରିପକ୍ୱ ଓ ବିକସିତ ବଜାରର ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତ କୌଣସି ବି ଅନ୍ୟ ଦେଶ ତୁଳନାରେ ଅଧିକ ବୃଦ୍ଧିରେ ଡିଜିଟାଲ ହୋଇଛି । ସେ କହିଛନ୍ତି ଯେ ସରକାରଙ୍କ ସାହାଯ୍ୟ ଯୋଗୁଁ ଅର୍ଥବ୍ୟବସ୍ଥାକୁ ଡିଜିଟାଲ କରିବାରେ ସାହାଯ୍ୟ ମିଳିଛି । ରିଲାଏନ୍ସ ଜିଓ ପରି ଘରୋଇ କମ୍ପାନୀ କାରଣରୁ ୨୦୧୩ ଠାରୁ ଡାଟାର ମୂଲ୍ୟ ୯୫%ରୁ ଅଧିକ କମିଛି ।