୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଛାଡ଼ ଦାବିରେ ‘ସିପିଆଇ’ର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) :-ସାମ୍ପ୍ରତିକ ବିଜୁଳି ଯୋଗାଣ ଅବ୍ୟବସ୍ଥାର ପ୍ରତିକାର ଓ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଛାଡ଼ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବା ବେଳେ ବାଲେଶ୍ୱର ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିପିଆଇ କର୍ମୀମାନେ ଫାଣ୍ଡିଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ କାଳୀମନ୍ଦିର ନିକଟ ଟାଟା ପାୱାର ଅଫିସ ସମ୍ମୁଖରେ ପହଞ୍ଚଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ବର୍ଷିୟାନ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଦେବେନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ଆଲୋକ ଦାସ, ନାରୀନେତ୍ରୀ ବନ୍ଦନା ପାତ୍ର, ଭରତ ଚନ୍ଦ୍ର ସେଠୀ ଓ ସୁହାଗୀ ମାଝୀ ପ୍ରମୁଖ ଏଥିରେ ଯୋଗଦେଇ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ସଂସ୍ଥାର ଗ୍ରାହକ ଶୋଷଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଭିତ୍ତିଭୂମିର ବିକାଶ ପାଇଁ ଆଇପିଡିଏସ ଯୋଜନାରେ ସରକାର ଘରୋଇ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାକୁ ଦେଉଥିବା କୋଟି କୋଟି ଟଙ୍କା ଅନୁଦାନ ତୋଷରପାତ ହେଉଥିବାର ସେମାନେ ଅଭିଯୋଗ କରିଥିଲେ । ସାମ୍ପ୍ରତିକ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବଢ଼ି ଚାଲିଥିବା ଅଘୋଷିତ ବିଜୁଳିକାଟ ଜନଜୀବନକୁ ଅତିଷ୍ଠ କରିଛି । ଏମିତିକି ଦୀର୍ଘସମୟ ବିଜୁଳିକାଟ ଫଳରେ ଇନଭର୍ଟର ମଧ୍ୟ କାମ କରୁନାହିଁ । ଏବେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ବଢ଼ି ଚାଲିଥିବା ଏହି ବିଜୁଳିକାଟ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି ବୋଲି ସିପିଆଇ ନେତାମାନେ ଆରୋପ ଉଠାଇଥିଲେ । ଏମିତିକି ସନ୍ଧ୍ୟା ସମୟରେ ବିଜୁଳିକାଟ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଙ୍କ କ୍ଷତିର କାରଣ ହୋଇଛି ବୋଲି ସେମାନେ କହିଥିଲେ । ଓଡ଼ିଶା ବିଜୁଳି ଉତ୍ପାଦନରେ ଏକ ବଳକା ରାଜ୍ୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ସମସ୍ତ ବିଦ୍ୟୁତ ଗ୍ରାହକଙ୍କୁ ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଛାଡ଼ ପାଇଁ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଶକ୍ତି ଯୋଗାଇକୁ ସିପିଆଇ ପକ୍ଷରୁ ଦାବି କରାଯାଇଥିଲା ଏଥି ସହିତ ତ୍ରୁଟିପୂର୍ଣ୍ଣ ବିଲ ସଂଶୋଧନ ପରିବର୍ତ୍ତେ ଟାଟା ପାୱାର ସଂସ୍ଥା କର୍ମଚାରୀମାନେ ଜୋର ଜବରଦସ୍ତ ଦେୟ ଆଦାୟକୁ ଏଥିରେ ନିନ୍ଦା କରାଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶଶିକାନ୍ତ ବେହେରା, ସନ୍ତୋଷ ରଣା, ବେଣୁଧର ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଯତୀନ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।