୨୦୨୧ରେ କ୍ରିଶ-୪
କରୋନା କାରଣରୁ ସିନେ ଜଗତ ମଧ୍ୟ ଅନେକ କ୍ଷତି ସହିବାରେ ଲାଗିଛି । ଚଳଚ୍ଚିତ୍ର ଗୁଡ଼ିକ ଏବେ ପ୍ରେକ୍ଷାଳୟରେ କେବେ ମୁକ୍ତିଲାଭ କରିବ, ତାହା କହିବା ମୁସ୍କିଲ । କେତୋଟି ଚଳଚ୍ଚିତ୍ରର ସୁଟିଂ ଚାଲିଛି, କିନ୍ତୁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ସେଟ୍ ଆସିବାରେ କଟକଣା ରହିଛି । ଏହି କାରଣରୁ ସୁଟିଂ ଶୀଘ୍ର ଶେଷ ହୋଇପାରିବ ନାହିଁ ବୋଲି ପ୍ରଯୋଜକମାନେ ପ୍ରମାଦ ଗଣିଲେଣି । ଏ ଭିତରେ ନିର୍ଦ୍ଦେଶକ ରାକେଶ ରୋଶନ ନିଜ ଆଗାମୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାନ୍ତା, କିନ୍ତୁ ଗତବର୍ଷ ରାକେଶ କର୍କଟରେ ଆକ୍ରାନ୍ତ ହେବାରୁ କାମ ଆରମ୍ଭରେ ବିଳମ୍ବ ହେଲା । ଚଳିତ ବର୍ଷ କରୋନା ବାଧକ ସାଜିଛି । ଚଳଚ୍ଚିତ୍ରର କେତୋଟି ଦୃଶ୍ୟର ସୁଟିଂ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହୋଇଛି । ଅନ୍ୟ କାମ ପାଇଁ ସମସ୍ତ ପ୍ଲାନିଂ ହୋଇସାରିଥିବା ସତ୍ତ୍ୱେ କାମ ଆଗକୁ ବଢ଼ିପାରୁନାହିଁ । କ୍ରିଶ-୪ ର କାହାଣୀ ଦମଦାର ହେବା ସହ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନ, ଅନୁଷ୍କା ଶର୍ମା ଅଭିନୟ କରିବେ ବୋଲି ଶୁଣାଯାଉଛି । ପ୍ରିୟଙ୍କା ଚୋପ୍ରା ଏଥିରେ ଅତିଥି କଳାକାର ଭୂମିକାରେ ଦେଖାଦେବେ । ଏକ ସାକ୍ଷାତକାରରେ ରାକେଶ କହିଛନ୍ତି, ବର୍ତ୍ତମାନ ସ୍ଥିତି ଦେଖିଲେ ସେ କେବଳ ଏତିକି କହିବେ ଯେ ୨୦୨୧ ପୂର୍ବରୁ କ୍ରିଶ-୪ ସୁଟିଂ ଆରମ୍ଭ ହୋଇପାରିବ ନାହିଁ ।


