ବର୍ଷାଦିନେ କେଶର ଯତ୍ନ
ପ୍ରତ୍ୟେକ ଋତୁରେ କେଶ ଓ ତ୍ୱଚାର ଯତ୍ନ ନେବା ଜରୁରୀ । ଆପଣ ସାମାନ୍ୟତମ ଦୃଷ୍ଟି ନ ଦେଲେ, ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ସମସ୍ୟା ହୋଇଥାଏ । ବର୍ଷା ଋତୁରେ ଯୁବତୀ ଓ ମହିଳାମାନେ କେଶର ଯତ୍ନ ଅଧିକ ସତର୍କତାର ସହ କରିବା ଉଚିତ । ବର୍ଷାରେ ଓଦା ହୋଇଗଲେ, ଘରକୁ ଫେରିବା ପରେ ତୁରନ୍ତ କେଶ ଶୁଖାଇ ନେବେ । ତହିଁ ଆରଦିନ କେଶ ଶାମ୍ପୂ କରିନେବା ଉଚିତ । କାରଣ ବର୍ଷା ପାଣି କେଶରେ ଲାଗି ରହିଲେ କେଶଝଡ଼ା ଆରମ୍ଭ ହୋଇଥାଏ ।
କେଶ ସମସ୍ୟା ଦୂର କରିବା ଲାଗି ବିଭିନ୍ନ ପ୍ରକାର ଘରୋଇ ପ୍ୟାକ ତିଆରି କରି ଲଗାନ୍ତୁ ।
ସକାଳୁ ଶଯ୍ୟା ତ୍ୟାଗ ପରେ ଅଧ ଚାମଚ ମେଥିଦାନା ଖାଲିପେଟରେ ଉଷୁମ ପାଣି ସହ ଖାଆନ୍ତୁ । ଏହି ଉପାୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିବା ବେଳେ କେଶର ଘନତ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ ।
ସପ୍ତାହରେ ଥରୁଟିଏ ଦହି ଓ ଅଁଳା ଗୁଣ୍ଡର ପ୍ୟାକ କେଶ ମୂଳରେ ଲଗାଇ ୨୦ ମିନିଟ ପରେ ଶାମ୍ପୂ କରିନେବେ । ଏହା କେଶ ନିମନ୍ତେ କଣ୍ଡିସନର ଭଳି କାମ କରେ ।
ସୋରିଷ ତେଲ ଓ ନଡ଼ିଆ ତେଲ ସମପରିମାଣରେ ନେଇ ଅଳ୍ପ ଉଷୁମ କରି କେଶମୂଳରେ ଲଗାଇ ତହିଁ ଆରଦିନ ଶାମ୍ପୂ କରନ୍ତୁ । ଏପରି କଲେ ଆପଣଙ୍କ କେଶ ମୂଳ ମଜବୁତ ରହିବ ।
ବର୍ଷା ଦିନେ କେଶରେ ରୁପି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥିରୁ ବର୍ତ୍ତିବାକୁ ହେଲେ ମହୁ ଓ ବେସନ ପ୍ୟାକ୍ କେଶରେ ଲଗାଇ ୨୦ ମିନିଟ ପରେ ଶାମ୍ପୂ କରିନିଅନ୍ତୁ ।


