୨୦୨୨କୁ ଯିବ ଟି-୨୦ ବିଶ୍ବକପ୍, ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍-୧୩!
ଦୁବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ବକପ୍ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିଲେ ହେଁ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହାକୁ ଘୁଞ୍ଚାଇବା ଏକରକମ ନିଶ୍ଚିତ ହୋଇଛି। ତେବେ ବିକଳ୍ପ ୱିଣ୍ଡୋ ନେଇ ଆଇସିସି ଚିନ୍ତାରେ ଥିବା ବେଳେ ଆସନ୍ତା ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ଉପଯୁକ୍ତ ପରିବେଶ ନ ଥିବାରୁ ଏହାକୁ ଆସନ୍ତା ୨୦୨୨କୁ ଘୁଞ୍ଚାଯିବାର ସମ୍ଭାବନା ରହିଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇସିସି ଟି-୨୦ ବିଶ୍ବକପ୍ ୨୦୨୨କୁ ଘୁଞ୍ଚିଗଲେ, ବିସିସିଆଇ ପାଇଁ ଆଇପିଏଲର ତ୍ରୟୋଦଶ ସଂସ୍କରଣ ଆୟୋଜନ ପାଇଁ ସୁବିଧା ହେବ। ଏହି ଟୁର୍ଣ୍ଣାମେଣ୍ଟ୍ ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିଲେ ହେଁ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହାକୁ ଏପ୍ରିଲ୍ ୧୫ରୁ ଆରମ୍ଭ କରିବା ସକାଶେ ବିସିସିଆଇ ଘୋଷଣା କରିଥିଲା। କିନ୍ତୁ ପରିସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ନ ଆସିବାରୁ ବିସିସିଆଇ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଛି। ଆସନ୍ତା ବର୍ଷ ଭାରତରେ ଟି-୨୦ ବିଶ୍ବକପର ପରବର୍ତ୍ତୀ ସଂସ୍କରଣ ହେବାକୁ ଥିବାରୁ ଚଳିତ ବର୍ଷର ବିଶ୍ବକପ୍ ଖେଳାଯାଇ ନ ପାରିଲେ, ଏହାକୁ ଆସନ୍ତା ବର୍ଷ ଆୟୋଜନ କରିବା ସମ୍ଭବପର ନୁହେଁ। ତେଣୁ ଆଇସିସି ପକ୍ଷରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ସଂସ୍କରଣକୁ ୨୦୨୨କୁ ହିଁ ଘୁଞ୍ଚାଯାଇପାରିବ। କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହି ଟୁର୍ଣ୍ଣାମେଣ୍ଟ୍ ଚଳିତ ବର୍ଷ ଆୟୋଜିତ ହେବା ନେଇ ସନ୍ଦେହ ଉପୁଜିବାରୁ ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ଏହାକୁ ଆୟୋଜନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ୬ ମାସ ଭିତରେ ଗୋଟିଏ ଫର୍ମାଟରେ ଦୁଇଟି ବିଶ୍ବକପ ଆୟୋଜନ ସମ୍ଭବପର ନ ଥିବାରୁ ଚଳିତ ବର୍ଷର ବିଶ୍ବକପ୍ ଆସନ୍ତା ୨୦୨୨ରେ ଖେଳାଯିବା ଅଧିକ ଯୁକ୍ତିସଙ୍ଗତ ମନେ ହେଉଛି। ଆଇପିଏଲ୍ ଓ ଟି-୨୦ ବିଶ୍ବକପର ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍ ସ୍ପୋର୍ଟ୍ସ ପାଇଁ ମଧ୍ୟ ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। କାରଣ ଷ୍ଟାର୍ ସ୍ପୋର୍ଟ୍ସ ୬ ମାସ ଭିତରେ ଦୁଇଟି ଆଇପିଏଲ୍ ଓ ଗୋଟିଏ ବର୍ଷରେ ଦୁଇଟି ଟି-୨୦ ବିଶ୍ବକପର ପ୍ରସାରଣ ପାଇଁ ଆଦୌ ରାଜି ହେବ ନାହିଁ। ତା’ଛଡ଼ା ୨୦୨୨ରେ ବି କୌଣସି ବିଶ୍ବକପ୍ ଆୟୋଜନ ହେବାକୁ ନ ଥିବାରୁ ଏହି ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ବକପ୍ ସଂସ୍କରଣର ଆୟୋଜନ ଅଧିକ ପ୍ରାସଙ୍ଗିକ ହେବ। ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଆଇସିସି ବୈଠକରେ ବିସିସିଆଇ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ଥିବା ସଭାପତି ସୌରଭ ଗାଙ୍ଗୁଲି ୨୦୨୨ରେ ଟି-୨୦ ବିଶ୍ବକପ୍ ଆୟୋଜନ ପାଇଁ ଦାବି ଉଠାଇବାର ସମ୍ଭାବନା ମଧ୍ୟ ରହିଛି।


