୨୨୧ କିଲୋ ଗଞ୍ଜେଇ ଜବତ : ୨ ଚାଲାଣକାରୀ ଚମ୍ପଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ପକ୍ଷରୁ ୨୨୧କେଜି ୪୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଥିବାର ଜଣାପଡିଛି । ଆର୍.ଉଦୟଗିରି ଥାନା ସୂତ୍ରରୁ ପ୍ରକାଶ ଯେ, ଆଜି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ଏଏସ୍ଆଇ ଏସ୍.ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ କିରାମା ଗ୍ରାମାଞ୍ଚଳରେ ପେଟ୍ରୋଲିଂ କରି ଫେରୁଥିବା ସମୟରେ ଅଟିଲିମ୍ମା ଗ୍ରାମ ନିକଟ ଚାଞ୍ଚଡାସାହି ଛକ ଠାରେ ଦୁଇଜଣ କିଛି ଜରି ଅଖା ଭର୍ତ୍ତି ସାମଗ୍ରୀ ରଖି ରାସ୍ତାକଡରେ ବସିଥିଲେ । ପେଟ୍ରୋଲିଂ କରୁଥିବା ପୋଲିସ ଦଳ ସନ୍ଦେହରେ ପଚରା ଉଚରା କରିବା ପାଇଁ ଥାନା ଗାଡିକୁ ରଖିବା କ୍ଷଣେ ବସିଥିବା ଦୁଇଜଣ ଚାଲାଣକାରୀ ଜରି ବସ୍ତାଗୁଡିକୁ ଛାଡି ଜଙ୍ଗଲ ଅଭିମୁଖେ ଚମ୍ପଟ ମାରିଥିଲେ । ଏହାପରେ ପୋଲିସ ସମସ୍ତ ଜରିଭର୍ତ୍ତି ଅଖାଗୁଡିକୁ ଯାଞ୍ଚ କରିବା ବେଳେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ମୋଟ ୭ଗୋଟି ଜରିବ୍ୟାଗ ବସ୍ତାକୁ ଜବତ କରି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଆର୍.ଉଦୟଗିରି ସହକାରୀ ତହସିଲଦାର ରାଜେଶ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଓଜନ ଓ ଗଞ୍ଜେଇ ବସ୍ତାଗୁଡିକୁ ସିଲ କରି ଜବତ କରାଯାଇଥିଲା । ଏନେଇ ଆର୍.ଉଦୟଗିରି ଥାନାରେ ୫୬/୨୨ରେ ଏକ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଏବଂ ଏହାର ତଦନ୍ତଭାର ଏସ୍ଆଇ ମୁକେଶ ଲାକ୍ରାଙ୍କୁ ଦିଆଯାଇଥିବାର ଥାନା ଅଧିକାରୀ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।