୨୨ ଯୋଦ୍ଧାଙ୍କ ସହ ପୁଣି ୫୬ ପଜିଟିଭ୍, ସଂଖ୍ୟା ଛୁଇଁଲା ୫୧୬
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ସଙ୍ଗୀନ ହେବା ସହ କାୟା ଦୃତଗତିରେ ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ଅସମ୍ଭାଳ ହୋଇ ବେହାଲ ହେଲାଣି । ଆଜି ପୁଣି ୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ୫୬ଜଣକୁ ମିଶାଇ ସଂଖ୍ୟା ୫୧୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୫୬ଜଣକ ମଧ୍ୟରୁ ଗୋଷାଣୀ ବ୍ଲକର ୭ଜଣ,ଗୁମ୍ମାର ୫ଜଣ,ନୁଆଗଡର ୧୦ଜଣ,ରାୟଗଡର ଜଣେ,କାଶୀନଗରର ୨ଜଣ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳର ୩୧ଜଣ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୨୨ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡିଛି । ଏମାନେ ସମସ୍ତଙ୍କୁ ଆର.ସୀତାପୁର ସ୍ଥିତ କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଏହି ସୁଚନା ପ୍ରଦାନ କରି ସମଗ୍ର ଜିଲ୍ଲାବାସୀଙ୍କୁ ସମ୍ପୁର୍ଣ୍ଣ ସଚେତନ ରହିବା ସହ ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ,ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ଲୋକେ ପ୍ରଶାସନକୁ ଏ ନେଇ ସମସ୍ତ ସହଯୋଗ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି ।


