ସଫଳ ହେଉନି ଅନଲାଇନ ପାଠପଢା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣେୁ ସଂକ୍ରମଣ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନ୍ୟପକ୍ଷରେ ଶିକ୍ଷାର୍ଥୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷାଦାନ ସକାଶେ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ବିଭାଗୀୟ ନିର୍ଦ୍ଦେଶାନୁସାରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର କେତେକ ସରକାରୀ ସ୍କୁଳ ଶିକ୍ଷକ, ଶିକ୍ଷୟତ୍ରୀ ନିର୍ଦ୍ଦେଶ ମୁତାବକ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି । ମାତ୍ର ଏହି ଅନଲାଇନ ଶିକ୍ଷାଦାନ ବାସ୍ତବ କ୍ଷେତ୍ରରେ ଫଳପଦ୍ର ହୋଇପାରୁନଥିବା ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୂୁ ଗୋଟିଏ ଜାଗାରେ ଏକାଠି ନହେବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିୟମ ପ୍ରଚଳନ କରାଯାଇଛି । ଗତ ମାର୍ଚ୍ଚ ମାସ ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକ ପୁଣି ଥରେ କେବେ ପୁନଃ ଖୋଲାଯିବ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । କରୋନା ପରିସତଇିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଗୁଡ଼ିକ କେବେ କୋଲାଯିବ, ସେ ନେଇ ରାଜ୍ୟ ସରକାର ଘୋଷଣା କରିବେ ବୋଲି କହିଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ଅଂଚଳର ପ୍ରାୟ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ୬ଷ୍ଠ ଠାରୁ ୯ମ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବା ଦେଖିବାକୁ ମିଳିଛି । ପରିତାପର ବିଷୟ ଏ କ୍ଷେତ୍ରରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ସମସ୍ତ ଶିକ୍ଷାର୍ଥୀ ଅନଲାଇନ ଶିକ୍ଷାଦାନରେ ସାମିଲ ହୋଇପାରୁ ନଥିବା ଜଣାପଡ଼ିଛି । କିଛି ଶିକ୍ଷାର୍ଥୀଙ୍କ ହାତରେ ଏନଡ଼୍ରୋଏଡ଼ ମୋବାଇଲ ରହିଛି ତ କିଛି ଗରୀବ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଖରେ ଏନଡ଼୍ରୋଏଡ଼ ମୋବାଇଲ ନାହିଁ । ଗତ କିଛି ଦିନ ଧରି ବହୁ ଅଂଚଳରେ ନେଟୱାର୍କ ମଧ୍ୟ ରହୁନାହିଁ । ସେହିପରି ଏହାର କିପରି ଉପଯୋଗ କରାଯାଉଛି ଭଲଭାବେ ଜାଣି ପାରୁନାହାନ୍ତି । ସର୍ଭେରୁ ଜଣାପଡ଼ିଛି ଯେ, ମାତ୍ର ୧୦% ପ୍ରତିଶତ ଶିକ୍ଷାର୍ଥୀ ଅନଲାଇନ ଶିକ୍ଷାଦାନରେ ଯୋଡ଼ି ହୋଇ ପାରୁଥିବା ବେଳେ ଅବଶିଷ୍ଟ ୯୦ ପ୍ରତିଶତ ଶିକ୍ଷାର୍ଥୀ ଅନଲାଇନ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ବାସ୍ତବରେ ଅନଲାଇନ ଶିକ୍ଷାଦାନ ସଫଳ ହୋଇପାରୁନଥିବା କୁହାଯାଇଛି । ଏ ନେଇ ସମସ୍ତ ଶିକ୍ଷାର୍ଥୀ କିପରି ଅନଲାଇନ ଶିକ୍ଷାଦାନ ପାଇପାରିବେ ସେ କ୍ଷେତ୍ରରେ ଉଦ୍ୟମ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା କହିଛନ୍ତି ।


